ଖଣ୍ଡଗିରି : ଶୁକ୍ରବାର ରାତିରେ ଭୁବନେଶ୍ବର ଏମ୍ସ ନିକଟରେ ଘରୋଇ ଆମ୍ବୁଲାନ୍ସ ଚାଳକଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ଖଣ୍ଡଗିରି ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ସ୍ଥାନୀୟ ସିଜୁଆ ଗାଁର ସମୀର କୁମାର ରାଉତରାୟ। ପୁଲିସ ସୂଚନାନୁସାରେ ଗତକାଲି ସମୀର ଓ ଆଉ କିଛି ଯୁବକ ଗଣେଶ ପୂଜା ପାଇଁ ଆମ୍ବୁଲାନ୍ସ ଚାଳକ ଆନନ୍ଦ ପାଟଶାଣୀଙ୍କୁ ଚାନ୍ଦା ମାଗିଥିଲେ। ଗାଡ଼ି ପିଛା ଲକ୍ଷେ ଟଙ୍କା ଲେଖାଏଁ ବଟି ଦେବାକୁ ଧମକ ଦେଇଥିଲେ। ଆନନ୍ଦ ଏହାର ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ଼ ମାରି ଗୁରୁତର କରିଥିଲେ। ଆନନ୍ଦ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟମାନେ ଫେରାର୍ ଅଛନ୍ତି ଓ ସେମାନଙ୍କୁ ଗିରଫ କରିବା ପାଇଁ ଚଢ଼ଉ ଜାରି ରହିଛି ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି।
ହୋଟେଲରୁ ମଦ ଜବତ, ମାଲିକ ସମେତ ୩ ଗିରଫ
ଖଣ୍ଡଗିରି : ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଥିବା ହୋଟେଲ ଶ୍ରୀଜଗନ୍ନାଥରେ ଚଢ଼ଉ କରି ଖଣ୍ଡଗିରି ଥାନା ପୁଲିସ ମାଲିକ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ହୋଟେଲ ମାଲିକ କେନ୍ଦ୍ରାପଡ଼ା ନିକିରାଇର ନିରଂଜନ ପାତ୍ର, ସେଲ୍ସମ୍ୟାନ୍ ଧୀରେନ୍ଦ୍ର ପଣ୍ଡା ଓ ମଦ ଯୋଗାଣକାରୀ ମଂଜୟ ଯାଦବ। ପୁଲିସ ହୋଟେଲରୁ ବିଭିନ୍ନ ବ୍ରାଣ୍ଡର ୧୨୦ବୋତଲ ବିଦେଶୀ ମଦ ଓ ୬,୫୦୦ ଟଙ୍କା ଜବତ କରିଛି। ବସ୍ଷ୍ଟାଣ୍ଡ ନିକଟରେ ଥିବା ଆହୁରି କିଛି ହୋଟେଲରେ ଏଭଳି ବେଆଇନ କାରବାର ଚାଲିଛି ଓ ଖୁବଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ନାବାଳିକାଙ୍କୁ ବ୍ଲାକ୍ମେଲିଂ, ଯୁବକ ଗିରଫ
ଭୁବନେଶ୍ବର : ଜଣେ ନାବାଳିକାଙ୍କ ଆପତ୍ତିଜନକ ଫଟୋ ଉଠାଇ ବ୍ଲାକମେଲିଂ କରୁଥିବା ଯୁବକକୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୁଲିସ। ଅଭିଯୁକ୍ତ ଧିରିକୁଟି ସାହିରେ ରହୁଥିବା ସୁନାଖଳାର ଅଶୋକ ଦାସ ବୋଲି ଜଣାପଡ଼ିଛି। ନାବାଳିକାଙ୍କ ମା’ଙ୍କ ଅଭିଯୋଗକ୍ରମେ ପୋକ୍ସୋ ଆଇନ ବଳରେ ତାକୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ସୂଚନା ମୁତାବକ, ଅଭିଯୁକ୍ତର ନାବାଳିକାଙ୍କ ସହ ଚିହ୍ନା ପରିଚୟ ହୋଇଥିଲା। କ୍ରମେ ସମ୍ପର୍କ ବଢ଼ାଇବା ସହ ନାବାଳିକାଙ୍କ ନିକଟତର ହୋଇଥିଲା। ଏହା ପରେ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲା। ସେ ରାଜି ନ ହେବାରୁ ତାଙ୍କୁ ଅସଦାଚରଣ କରିଥିଲା। ହେଲେ ପରେ କ୍ଷମା ପ୍ରାର୍ଥନା କରିବାରୁ ନାବାଳିକା ଥାନାରେ ଅଭିଯୋଗ କରି ନଥିଲେ। ଅସଦାଚରଣ କରିବା ସମୟରେ କୌଶଳରେ ଫଟୋ ଉଠାଇଥିଲା। କିଛି ଦିନ ପରେ ଏହି ଫଟୋକୁ ନେଇ ସେ ବ୍ଲାକମେଲ୍ ଆରମ୍ଭ କରିଥିଲା। ଏଣୁ ନାବାଳିକା ପରିବାର ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ।