ଭୁବନେଶ୍ୱର: ଟାଟା ପ୍ରିମିୟମ ନାଁରେ ଚା’ ପ୍ୟାକିଂ କରି ବିକୁଥିଲେ, ଧରାପଡ଼ି ଗଲେ ଜେଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବର୍ଦ୍ଧିତ ଲୋକ ସଂଖ୍ୟା ଯୋଗୁଁ କଳା ବେପାରୀ ଓ କଳା କାମରେ ସଂପୃକ୍ତ ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ନନ୍ଦନକାନନ ପୁଲିସ ଶନିବାର ଏଭଳି ଏକ ଘଟଣାର ପ୍ରଘଟ କରିଛି। ସୂଚନା ଅନୁସାରେ ନନ୍ଦନକାନନ ଥାନା ଅନ୍ତର୍ଗତ ଟାଙ୍ଗୀ ଗାଁର କାହ୍ନଚରଣ ଦାସଙ୍କ ପୁଅ କନ୍ଦା ଦାସ (୩୨) ଟାଟା ପ୍ରିମିୟମ ନାଁରେ ଚା’ ପ୍ୟାକିଂ କରି ବିକ୍ରି କରୁଥିଲେ। ପୁଲିସକୁ ଏବାବଦରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଆଜି ଚଢ଼ାଉ କରିଛି।

ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି ଯେ, କନ୍ଦା ଦାସ ଟାଟା ପ୍ରିମିୟମ୍‌ ନାଁରେ ଚା’ ପ୍ୟାକିଂ କରୁଥିଲା। ସେ ଶସ୍ତା ଦରରେ ଚା’ ଓ ଜରି କିଣି ଘରେ ପ୍ୟାକିଂ କରୁଥିଲା। ଏହାକୁ ବଜାରରେ ବିକ୍ରି କରି ଭଲ ଟଙ୍କା ରୋଜଗାର କରୁଥିଲା। ଚଢ଼ାଉ ବେଳେ ପୁଲିସ ୨ ବ୍ୟାଗ ଚା’, ଏକ ବ୍ୟାଗ ଚା’ ଗୁଣ୍ଡ, ପ୍ୟାକିଂ ମେସିନ ଓ ପ୍ଲାଷ୍ଟିକ କଭର ଜବତ କରିଛି। ପୁଲିସ କନ୍ଦା ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ଭୁବନେଶ୍ୱର ଉପକଣ୍ଠରେ ଏମିତି ଅନେକ ଗୁଡ଼ିଏ ସ୍ଥାନ ଅଛି ଯେଉଁଠାରେ ଅସଲି ବ୍ରାଣ୍ଡ ନାଁରେ ନକଲି ଜିନିଷ ବିକ୍ରି କରାଯାଉଛି। ସେଥିରୁ କିଛି ଘଟଣା ବାହାରକୁ ଆସୁଥିବା ବେଳେ କିଛି ଘଟଣା ଜଣାପଡୁ ନାହିଁ।

ସମ୍ବନ୍ଧିତ ଖବର