ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଲୋଗୋ ବ୍ୟବହାର କରି ନକଲି ୱେବସାଇଟ୍ ଖୋଲିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଆଜି ଜଣକୁ ଗିରଫ କରିଛି। ସେ ହେଲା, ବରମୁଣ୍ଡାର ଖଗେଶ୍ବର ସେଠୀ।
ଖବର ଅନୁଯାୟୀ ଖଗେଶ୍ବର ଡବ୍ଲୁଡବ୍ଲୁଡବ୍ଲୁ.ଵିମେନ୍ଓଡ଼ିଶା.ଇନ୍ ନାଁରେ ଏକ ୱେବସାଇଟ୍ ଖୋଲିଥିଲା। ମହିଳାଙ୍କ ପାଇଁ କାମ କରୁଥିବା କହି ଏହି ସଂସ୍ଥା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଲୋଗୋ ବ୍ୟବହାର କରୁଥିବା ବିଭାଗୀୟ ଅଧିକାରୀ ଅଭିଯୋଗ କରିଥିଲେ। ଏପରି କୌଣସି ୱେବସାଇଟ୍ ରାଜ୍ୟ ସରକାରଙ୍କ ନଥିବା ଅଭିଯୋଗରେ ଉଲ୍ଲେଖ ହୋଇଥିଲା।
ପୁଲିସ ଘଟଣାର ତଦନ୍ତ କରି ଖଗେଶ୍ବରକୁ ଗିରଫ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା, ଖଗେଶ୍ବର ବରମୁଣ୍ଡାରେ ଥିବା ବିଡିଏ ଡୁପ୍ଲେକ୍ସରେ ଏକ କାର୍ଯ୍ୟାଳୟ ମଧ୍ୟ ଖୋଲିଛି। ୩୦୦ ଟଙ୍କା ପଞ୍ଜୀକରଣ କରି ଚାକିରି କରିବା ପାଇଁ ସେ ଅନଲାଇନ୍ରେ ବିଜ୍ଞାପନ ମଧ୍ୟ ଦେଇଥିଲା। କିଛି ଯୁବକ ଓ ଯୁବତୀ ଟଙ୍କା ଦେଇ ପଞ୍ଜୀକରଣ କରିଥିବା ପୁଲିସ ସୂଚନା ଦେଇଛି। ଆସନ୍ତାକାଲି ଖଗେଶ୍ବରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବ। ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିବ ବୋଲି ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest.jpg)