ପୁଣି ଜବତ ହେଲା କୋଟିଏ ଟଙ୍କାର ବ୍ରାଉନସୁଗାର: ରାଜଧାନୀରୁ ଧରାପଡ଼ିଲେ ୨ ଅନ୍ତଃରାଜ୍ୟ ନିଶା ମାଫିଆ

ବେପାରର ମଙ୍ଗ ଧରିଛନ୍ତି ପଡ଼ୋଶୀ ରାଜ୍ୟର ଯୁବନେତା

ଭୁବନେଶ୍ବର: ଭୁବନେଶ୍ବରର ରସୁଲଗଡ଼ ଅଞ୍ଚଳରୁ କ୍ରାଇମ୍‌ବ୍ରାଞ୍ଚ୍‌ର ସ୍ପେସାଲ୍ ଟାସ୍କ୍ ଫୋର୍ସ (ଏସ୍‌ଟିଏଫ୍) ଦୁଇଜଣ ଅନ୍ତଃରାଜ୍ୟ ନିଶା ମାଫିଆକୁ ଗିରଫ କରିଛି। ପଶ୍ଚିମବଙ୍ଗରୁ ଧଳାଜହର ଆଣି ରସୁଲଗଡ଼ରେ ବିକ୍ରି ପାଇଁ ଅପେକ୍ଷା କରିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍ ସେମାନଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ପ୍ରାୟ ୧ କିଲୋ ବ୍ରାଉନ୍‌ସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଗିରଫ ଦୁଇ ନିଶା ମାଫିଆ ହେଉଛନ୍ତି, ପଶ୍ଚିମ ଦକ୍ଷିଣ ୨୪ପ୍ରଗଣାର ରକିବୁଲ୍ ଲସ୍କର୍(୩୦) ଓ ସୁଧନ୍ୟ ଗାଏନ୍(୪୪)।

ମିଳିଥିବା ସୂଚନା ମୁତାବକ, ଏହି ଏହି ଦୁଇ ଅନ୍ତଃରାଜ୍ୟ ନିଶା ବେପାରୀ କିଛିଦିନ ତଳେ ଓଡ଼ିଶାକୁ ଧଳାଜହର ଧରି ଆସିଥିଲେ। ଉଭୟ ମାଲ୍ ବିକ୍ରି ପାଇଁ ଗ୍ରାହକ ଖୋଜୁଥିବା ଏସ୍‌ଟିଏଫ୍ ଖବର ପାଇଥିଲା। ଏହା ପରେ ଏସ୍‌ଟିଏଫ୍ ଦୁହିଁଙ୍କୁ ଯୋଗାଯୋଗ କରି ନିଜର କିଛି କର୍ମଚାରୀଙ୍କୁ ଏଜେଣ୍ଟ କରି ପଠାଇଥିଲା। ଯୋଜନା ଅନୁଯା‌ୟୀ ରକିବୁଲ୍ ଓ ସୁଧନ୍ୟକୁ ଆଜି ସକାଳୁ ରସୁଲଗଡ଼ ତଳେ ଥିବା ରେଳ ଲେବୁଲ୍ କ୍ରସିଂ ନିକଟକୁ ବିକ୍ରି ପାଇଁ ଡକାଇଥିଲା। ଏସ୍‌ଟିଏଫ୍‌ର ଚାଲ୍ ବୁଝିନପାରି ଦୁଇ ବେପାରୀ ଲେବୁଲ କ୍ରସିଂ ନିକଟରେ ଆସି ପହଞ୍ଚିବା ପରେ ଉଭୟଙ୍କୁ ମାଡ଼ି ବସିଥିଲା ଏସ୍‌ଟିଏଫ୍‌ର ପୂରା ଟିମ୍। ଆଉ ପ୍ରାୟ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା।

ଅପରପକ୍ଷରେ ଏହି ଦୁଇ ମାଫିଆଙ୍କୁ ପଚରାଉଚରା ପରେ ପୁଲିସ ଜାଣିବାକୁ ପାଇଛି ଯେ ଏମାନଙ୍କୁ ତୃଣମୂଳ କଂଗ୍ରେସର ଦୁଇଜଣ ପ୍ରମୁଖ ଯୁବନେତା ନିଶା କାରବାରରେ ସହଯୋଗ କରୁଥିଲେ। ନେତାଙ୍କ ଛତ୍ରଛାୟା ତଳେ ଥିବାରୁ ପଶ୍ଚିମବଙ୍ଗରୁ ଅନ୍ୟ ରାଜ୍ୟକୁ ବ୍ରାଉନସୁଗାର ଅନାୟାସରେ ଚାଲାଣ ହେଉଥିଲା। ଆଗାମୀ ଦିନରେ ଦୁହିଁଙ୍କୁ ରିମାଣ୍ଡରେ ଆଣି ରାଜନେତା ଲିଙ୍କ୍ ଖୋଜିବା ସହିତ ମୂଳ ବେପାରୀଙ୍କ ପାଖରେ ପହଞ୍ଚିବାକୁ ଏସ୍‌ଟିଏଫ୍ ଉଦ୍ୟମ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ କମିସନରେଟ୍ ପୁଲିସ କିଛି ମାସ ହେଲା ନିଶା କାରବାରକୁ ମୂଳପୋଛ କରିବା ପାଇଁ ଅପରେସନ୍ ‘ହ୍ବାଇଟ୍ ସ୍ପାଇଡର୍’ ଅଭିଯାନ ସାଙ୍ଗକୁ କ୍ୟୁଏଟି ଓ ଏସ୍‌ଟିଏଫ୍ ମଧ୍ୟ ମିଳିତ ଅଭିଯାନ ଚଳାଇଛି। ଫଳରେ ୩୦ରୁ ଅଧିକ ନିଶା ବେପାରୀ ବନ୍ଧା ହୋଇ ଜେଲ୍‌ରେ ଅଛନ୍ତି।

ନିକଟରେ ଧରାପଡ଼ିଥିବା କିଛି ପ୍ରମୁଖ ନିଶା ମାଫିଆ

୧୯ ଜୁନ୍ ୨୦୨୦: ଏକ ବୋଲେରୋରେ ବ୍ରାଉନସୁଗାର ଚାଲାଣ ହେଉଥିବା ଖବର ପାଇ ଏସ୍‌ଟିଏଫ୍ ଗୋଡ଼ାଇ ଗୋଡ଼ାଇ ରସୁଲଗଡ଼ରେ ଗାଡ଼ିକୁ ଧରିଥିଲା। ଏଥିରୁ ପ୍ରାୟ ୪କେଜି ୪୮୬ ଗ୍ରାମ୍‌ର ବ୍ରାଉନସୁଗାର ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢ଼େ ୪କୋଟି ହେବ। ଏହି ମାମଲାରେ ୩ଜଣଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍।
୩୧ ଅକ୍ଟୋବର ୨୦୨୦: ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଏକ ବସ୍‌ରୁ କୋଟିଏ ୧୭ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିଲା। ବାଲେଶ୍ବରର ନିଶା ମାଫିଆ ସେକ୍ ହାସିମ୍ ବକ୍ସ ବାଲେଶ୍ବରରୁ ଧଳାଜହର ଆଣି ଏଠାରୁ ପୁରୀ, ଭୁବନେଶ୍ବରର ସ୍ଥାନୀୟ ଅଞ୍ଚଳରେ ବିକ୍ରି କରିବାକୁ ଆସିଥିବା ବେଳେ ଏସ୍‌ଟିଏଫ୍ ଜାଲରେ ଧରାପଡ଼ିଥିଲା।
୭ ଜାନୁଆରି ୨୦୨୧: ଖୋର୍ଦ୍ଧା ବାଇପାସ୍‌ରୁ ୧୩ଶହ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଥିଲା ଏସ୍‌ଟିଏଫ୍। ପୁଲିସର ଯେପରି ସନ୍ଦେହ ନ ହେବ ସେଥିପାଇଁ ଏକ ପଲସର୍ ବାଇକ୍‌ରେ ଧଳାଜହର ବେପାରୀ ସେକ୍ ଅନଵର ଓରଫ୍ ପିଣ୍ଟୁ ନିଶା ନେଇ ଯାଉଥିଲା। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ କୋଟି ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଥିଲା।
୨୪ ଏପ୍ରିଲ ୨୦୨୧: ଖୋର୍ଦ୍ଧା ଅଞ୍ଚଳରୁ ଏସ୍‌ଟିଏଫ୍ କୋଟିଏରୁ ଅଧିକ ଟଙ୍କାର ଧଳାଜହର ଜବତ କରିଥିଲା। ଏହି ମାମଲାରେ ୪ଜଣ ବେପାରିଙ୍କୁ ଗିରଫ କରାଯାଇଥିଲା।
୧୩ ଅଗଷ୍ଟ ୨୦୨୧: ଖୋର୍ଦ୍ଧା ବସ୍‌ଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣରେ ଧଳାଜହର ଜବତ ହୋଇଥିଲା। ଏହି ଅଭିଯାନରେ ବାଲେଶ୍ବରରୁ କଟକ ଓ ପରେ ସେଠାରୁ ଖୋର୍ଦ୍ଧାକୁ ଅଣାଯାଉଥିବା ବେଳେ ୩ ନିଶା ମା‌ଫିଆଙ୍କୁ କାବୁ କରିବା ସହ କୋଟିଏ ୩୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା ଏସ୍‌ଟିଏଫ୍‌।

ସମ୍ବନ୍ଧିତ ଖବର