ମେଡିକାଲ୍‌ କଲେଜ୍‌ ସିଟ୍‌ ବିକିବା ନାଁରେ କୋଟିଏ ଚଳୁ, ଠକ ଯୁବ ଇଂଜିନିୟର ଗିରଫ

ଭୁବନେଶ୍ବର: ମେଡିକାଲ୍‌ କଲେଜରେ ନାମ ଲେଖାଇଦେବା ନାଁରେ ଆଶାୟୀମାନଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଆଜି ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା, ଯାଜପୁର ଜିଲ୍ଲା ନାରଣପୁର ଅଞ୍ଚଳର ସୁମିତ ବିଶ୍ବାଳ(୩୩)। ସେ ଜଣେ ଇଂଜିନିୟରିଂ ପାସ୍ ଆଉଟ୍‌ ବୋଲି ପୁଲିସ ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା ୪ଜଣଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିବା ଜଣାପଡ଼ିଛି ଓ ଆଗକୁ ଅଭିଯୋଗ ସଂଖ୍ୟା ବଢ଼ିବା ଅନୁମାନ କରାଯାଉଛି।

ପୁଲିସ ସୂଚନାନୁସାରେ, ୫ବର୍ଷ ତଳେ ସୁମିତ‌୍ ପୁରୁଣା ଭୁବନେଶ୍ବର ଗ୍ୟାରେଜ୍‌ ଛକରେ ବି ବି ଷ୍ଟଡିଜ୍‌ ନାମକ ଏକ ପ୍ଲେସ୍‌ମେଣ୍ଟ ସଂସ୍ଥା ଖୋଲିଥିଲା। ଆଶାୟୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ମେଡିକାଲ୍‌ କଲେଜ୍‌ରେ ନାମ ଲେଖାଇ ଦେବ ବୋଲି କହିଥିଲା। ଉଭୟ ଘରୋଇ ଓ ସରକାରୀ ମେଡିକାଲ୍‌ କଲେଜ୍‌ରେ ସିଟ୍‌ କରାଇ ଦେବ ବୋଲି ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଲୋଭନ ଦେଖାଇଥିଲା। ଏମିତିକି ବାହାର ରାଜ୍ୟର ମେଡିକାଲ୍‌ କଲେଜ୍‌ରେ ମଧ୍ୟ ସିଟ୍‌ ଯୋଗାଇ ପାରିବ ବୋଲି ସ୍ବପ୍ନ ଦେଖାଉଥିଲା। ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ନିଜକୁ ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାର ସଦସ୍ୟ ଥିବା କହି ନକଲି ପରିୟପତ୍ର ଦେଖାଉଥିଲା। ଅଗ୍ରୀମ ଆକାରରେ କାହାଠାରୁ ୨୦ ଲକ୍ଷ ତ କାହାଠାରୁ ୩୦ ଲକ୍ଷ ଟଙ୍କା ନେଇଥିଲା। ଟଙ୍କା ପକାଇବା ପରେ ବିଭିନ୍ନ ବାହାନା କରି ଦିନ ଗଡ଼ାଉଥିଲା। କିଛି ଦିନ ତଳେ ଶ୍ରୀଲିଙ୍ଗରାଜ ଥାନାରେ ୪ ଜଣ ଆଶାୟୀ ଥାନାର ଦ୍ବାରସ୍ଥ ହୋଇଥିଲେ। ସେମାନଙ୍କଠାରୁ ସୁମିତ୍ କୋଟିଏରୁ ଅଧିକ ଟଙ୍କା ନେଇଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର