ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ମତଦାନକୁ ଆଉ ୨୪ ଘଣ୍ଟା ବାକି। ଆସନ୍ତାକାଲି ସକାଳୁ ପ୍ରିଜାଇଡିଂ ଅଫିସର, ପ୍ରଥମ ଓ ଦ୍ବିତୀୟ ପୁଲିଂ ଅଫିସରଙ୍କ ସମେତ ବୁଥ୍ ପିଛା ଏକ ୫ ଜଣିଆ ଟିମ୍ ମେସିନ୍ ଧରି ବୁଥ୍ ଅଭିମୁଖେ ବାହାରିଯିବେ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆଜି ବିଜେବି କଲେଜ୍ ଷ୍ଟ୍ରଙ୍ଗ୍ରୁମ୍ରେ ମେସିନ୍ଗୁଡ଼ିକୁ ବୁଥ୍ୱାରି ଖଞ୍ଜା ଯାଇଛି। ବୁଥ୍ମାନଙ୍କୁ ଟିମ୍ ଯିବା ପାଇଁ ପାଖାପାଖି ୪ଶହ ଗାଡ଼ି ବିଜେବି କଲେଜରେ ପହଞ୍ଚିଛି। ମତଦାନ କେନ୍ଦ୍ର ସହ ଗାଡ଼ିମାନଙ୍କୁ ସଂଯୋଗ କରାଯାଇଛି। ମତଦାନ ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ବା ଟିମ୍ ଷ୍ଟ୍ରଙ୍ଗ୍ ରୁମ୍ ପହଞ୍ଚିବା ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକ ଟିମ୍ ସହ ଯୋଡ଼ି ହୋଇ ରହିବାକୁ କୁହାଯାଇଛି। କେନ୍ଦ୍ରୱାରି ସଂଯୋଗ ହୋଇଥିବା ଗାଡ଼ିରେ ଅଧିକାରୀମାନେ ମେସିନ୍ ଧରି ବସିବା ପରେ ପୁଲିସ କଡ଼ା ସୁରକ୍ଷା ବଳୟରେ ଗାଡ଼ିଗୁଡ଼ିକୁ ନେଇ ମତଦାନ କେନ୍ଦ୍ରରେ ପହଞ୍ଚାଇବ। ଏ ନେଇ ଆଜି ନିର୍ବାଚନ ଅଧିକାରୀ ତଥା ଏଡିଏମ୍ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତିର ଶେଷ ସମୀକ୍ଷା ବୈଠକ ହୋଇଛି।
ଗୁରୁବାର ବିଏମ୍ସିର ୭୦୫ ବୁଥ୍ରେ ୭ ଲକ୍ଷ ୨୫ ହଜାର ୭୬୫ ଭୋଟର ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି। ୨୮୯ କର୍ପୋରେଟର ପ୍ରାର୍ଥୀ ଓ ୧୨ ଜଣ ମେୟର ପ୍ରାର୍ଥୀ ଏଭଳି ମୋଟ୍ ୩୦୧ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି। ମତଦାନରେ ୩ ହଜାରରୁ ଊର୍ଦ୍ଧ୍ବ ଅଫିସର ନିୟୋଜିତ ହୋଇଛନ୍ତି। ଏହି ଅଧିକାରୀମାନେ ଆସନ୍ତାକାଲି ସକାଳୁ ନିର୍ଦ୍ଧାରିତ ବୁଥ୍ଗୁଡ଼ିକୁ ଯାଇ ପ୍ରସ୍ତୁତ ରହିବେ। ସେହିଭଳି ବୁଥ୍ଗୁଡ଼ିକୁ ମଧ୍ୟ ପ୍ରସ୍ତୁତ କରାଯାଇଛି। ମତଦାତାମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ, ତା ଉପରେ ଗୁରୁତ୍ବ ଦିଆଯାଇଛି। କିଛି ଦିନ ହେବ ପ୍ରବଳ ଖରା ହେଉଥିବାରୁ ବୁଥ୍ଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ବିଏମ୍ସି ନିର୍ବାଚନ ଅଧିକାରୀ ଶ୍ରୀ ସ୍ବାଇଁ।
ଅନ୍ୟପଟେ ଆଜି ପ୍ରଚାର ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ପ୍ରଚାର ଶେଷ ପାଇଁ ବିଧିବଦ୍ଧ ଭାବରେ ଘୋଷଣା ହୋଇଥିଲେ ମଧ୍ୟ ଆଜି ୫ଟା ପରେ ପ୍ରଚାର ଚାଲିଥିବା ନଜରକୁ ଆସିଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ୩ଟି ଜାଗାରେ ଚଢ଼ଉ କରି ପ୍ରଚାର ବନ୍ଦ କରିଛି। କିନ୍ତୁ ଅଭିଯୋଗର ଘଣ୍ଟାଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୁଲିସ ପହଞ୍ଚିନାହିଁ। ଜାଣି ଜାଣି ଏକ ଘଣ୍ଟା ଅଧିକ ପ୍ରଚାର ପାଇଁ ଦିଆଯାଇଥିବା ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ହୋଇଛି। ପ୍ରଦୀପ୍ତ ନାୟକ କରିଥିବା ଅଭିଯୋଗ ମୁତାବକ, ୨୦, ୨୧ ଓ ୨୨ ନମ୍ବର ୱାର୍ଡର ସାଲିଆ ସାହି ଓ ଆଖପାଖ ଅଞ୍ଚଳରେ ଆଜି ସନ୍ଧ୍ୟା ୫ଟା ପରେ ପ୍ରଚାର ଚାଲିଥିଲା।
ଶହ ଶହ ସମର୍ଥକଙ୍କ ସହ ବିଜେଡି, ବିଜେପି ଓ କେତେକ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଶୋଭାଯାତ୍ରା କରୁଥିଲେ। ଏ ନେଇ କମିସନରେଟ୍ ପୁଲିସ ଠାରୁ ଆରମ୍ଭ କରି ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ହେବାର ଏକ ଘଣ୍ଟା ପରେ ପୁଲିସ ପହଞ୍ଚି ପ୍ରଚାର ବନ୍ଦ କରିଥିଲା। ଅର୍ଥାତ ଏକ ଘଣ୍ଟା ଅଧିକ ପ୍ରଚାର ପାଇଁ ଦିଆଯାଇଥିଲା। ଏପରିକି କୌଣସି ଜରିମାନା ଆଦାୟ କରାନଯାଇ ଗାଡ଼ିଗୁଡ଼ିକୁ ପୁଲିସ ଛାଡ଼ି ଦେଇଥିଲା। ନିକଟ ଅତୀତରେ ପଞ୍ଚାୟତ ନିର୍ବାଚନରେ ଜଣେ ସ୍ବାଧୀନ ପ୍ରାର୍ଥୀ ସମୟସୀମା ପରେ ପ୍ରଚାର କରୁଥିବା ଦର୍ଶାଇ ପୁଲିସ ୨୬ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା। ହେଲେ ଏଠାରେ କାହିଁକି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଣେ କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି କି ଅଭିଯୋଗ ପାଇବା ପରେ ଚଢ଼ଉ ହୋଇଥିଲା। କିନ୍ତୁ ସେମାନେ ପ୍ରଚାର ସାରି ଗାଡ଼ିରେ ଫେରୁଥିଲେ। ଏଣୁ ଜରିମାନା ଆଦାୟ କରାଯାଇ ନାହିଁ।