ଜୋରଦାର ଚଢ଼ଉ, ଦିନକରେ ୩ଶହ ଅମାନିଆଙ୍କୁ ଜରିମାନା

ଭୁବନେଶ୍ବର: ବିପରୀତ ଦିଗରେ କିମ୍ବା ଦ୍ରୁତ ଗାଡ଼ିରେ ଗାଡ଼ି ଚଳାଉଛନ୍ତି କି, ବେଆଇନ ଗାଡ଼ି ପାର୍କିଂ କରୁଛନ୍ତି କି? ତେବେ ସାବଧାନ! କ୍ରେନ୍‌ ଆପଣଙ୍କ ଗାଡ଼ି ଟେକି ନେବ। ଥାନାକୁ ଯାଇ ଜରିମାନା ଦେଇ ଗାଡ଼ି ମୁକୁଳାଇବାକୁ ପଡ଼ିବ। କରୋନା ମହାମାରୀ ପାଇଁ ବେଶ୍‌ କିଛି ଦିନ ଧରି ଶାନ୍ତ ପଡ଼ିଥିବା କମିସନରେଟ୍‌ ଟ୍ରାଫିକ୍‌ ଏବେ ପୁଣି ତତ୍ପର ହୋଇଉଠିଛି। ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ୍‌ କରିବା ପାଇଁ ଟ୍ରାଫିକ୍‌ ପୁଲିସ୍‌ ପକ୍ଷରୁ ଆଜିଠାରୁ ଅଭିଯାନ ଆରମ୍ଭ ହୋଇଛି। ଆଜି ଗୋଟିଏ ଦିନରେ ପୁଲିସ୍‌ ୩ଶହ ଅମାନିଆଙ୍କଠାରୁ ଜରିମାନା ଆଦାୟ କରିଥିବା ବେଳେ ପାଖାପାଖି ୪ଶହ ଗାଡ଼ି ଉଠାଇ ଆଣିଛି।

ନବନିଯୁକ୍ତ ଟ୍ରାଫିକ୍‌ ଡିସିପି ସୌମ୍ୟା ମିଶ୍ର ଓ ଏସିପି ସ୍ବସ୍ତିକ ପଣ୍ଡାଙ୍କ ନେତୃତ୍ବରେ ଟ୍ରାଫିକ୍‌ ରୁଲସ୍‌ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ବିଭିନ୍ନ ଜାଗାରେ ଚଢ଼ଉ କରିଥିଲା। ବିଶେଷକରି ବାଣୀବିହାର, ଆଚାର୍ଯ୍ୟବିହାର, ଏଜି ଛକ ଆଦି ସହରର ପ୍ରମୁଖ ସ୍ଥାନରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଆଗକୁ ଏହି ଅଭିଯାନ ଜୋରଦାର କରାଯିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଚଳିତବର୍ଷ ଆରମ୍ଭରୁ ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବତନ୍ତ୍ର ଯୋଜନା ହୋଇଥିଲା। କାର୍ଯ୍ୟାନୁଷ୍ଠାନ ଆରମ୍ଭ ମଧ୍ୟ ହୋଇଯାଇଥିଲା। କିନ୍ତୁ କରୋନା ସଙ୍କଟ ପାଇଁ ସବୁ ଅଟକି ଯାଇଥିଲା।

ସମ୍ବନ୍ଧିତ ଖବର