ଖଣ୍ଡଗିରି: ମଧୁସୂଦନ ନଗର, ପଞ୍ଚସଖା ନଗର ଠାରୁ ଯଦୁପୁର, ବେଗୁନିଆ ଗାଁ ସମେତ ୱାର୍ଡ ନମ୍ବର ୬୪ର ପ୍ରତିଟି ଅଞ୍ଚଳରେ ସ୍ଥାନୀୟବାସିନ୍ଦା ଡ୍ରେନ ଯନ୍ତ୍ରଣା ଭୋଗୁଛନ୍ତି। ପଞ୍ଚସଖା ନଗରରେ ପିଡବ୍ଲୁଡି ଡ୍ରେନର ପ୍ରଶସ୍ତୀକରଣର ଆବଶ୍ୟକତା ସହିତ ୯ ନମ୍ବର ପ୍ରାକୃତିକ ନାଳରୁ ଜବରଦଖଲ ହଟାଇବା ଦାବି ଜୋର ଧରିଛି। ୯ ନମ୍ବର ଡ୍ରେନ ନିର୍ମାଣର ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ କି ଏହି ଅଞ୍ଚଳର ଆବର୍ଜନା ପାଣି ନିଷ୍କାସନ ସମସ୍ୟା ସମାଧାନ ହୋଇପାରୁ ନାହିଁ। ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟା ହୋଇ ଯାତାୟାତ ଠପ ହୋଇ ପଡ଼ୁଛି।

Advertisment

ୱାର୍ଡ ନମ୍ବର ୬୪ରେ ଆୟୋଜିତ ‘ୱାର୍ଡରେ ଦିନେ’ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ମେୟର ସୁଲୋଚନା ଦାସ ଏବଂ କମିସନର ଅମୃତା କୁଲାଙ୍ଗେଙ୍କୁ ଡ୍ରେନ ସମସ୍ୟା ସମ୍ପର୍କରେ କହିଥିଲେ। ଏଥିରୁ ବର୍ଷ ତମାମ ସେମାନଙ୍କ ଦୁର୍ଦ୍ଦଶାର ଚିତ୍ର ସ୍ପଷ୍ଟ ବାରି ହେଉଥିଲା। ଏପରିକି ବୈଠକ ପରେ ମଧୁସୂଦନ ନଗରରେ ଜମି ରହିଥିବା ବର୍ଷାଜଳକୁ ମେୟର ଏବଂ କମିସନରଙ୍କୁ ଦେଖାଇ ଥିଲେ। ଆସନ୍ତାକାଲିଠାରୁ ସେହି ଅଞ୍ଚଳରେ ୯୦ କୋଟି ଟଙ୍କା ବ୍ୟୟରେ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଘୋଷଣା ହୋଇଥିଲା। ଏହା ମଧୁସୂଦନ ନଗରରୁ ୯ ନମ୍ବର ଡ୍ରେନ ପର୍ଯ୍ୟନ୍ତ ସଂଯୋଗ ହେବ। ଯେଉଁ ୯ ନମ୍ବର ଡ୍ରେନ ନିର୍ମାଣ ନେଇ ସର୍ବାଧିକ ସ୍ବର ଉଠିଥିଲା, ମେୟରଙ୍କ ଉତ୍ତର ପରେ ବି ସେ ଅନିଶ୍ଚିତତା ଦୂର ହୋଇପାରିଲା ନାହିଁ। ମେୟର କହିଥିଲେ, ଆଉ କିଛି ଦିନ ପରେ ବର୍ଷାଋତୁ ଆସିଯିବ। ତେଣୁ ବର୍ଷା ପରେ ଏହି କାର୍ଯ୍ୟ ଆରମ୍ଭ ହେବ। ଯଦୁପୁର, ବେଗୁନିଆ ଗାଁରେ ଡ୍ରେନର ଆଉଟଲେଟ୍ ନଥିବା ନେଇ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା।

ଆର୍ଯ୍ୟଭିଲ୍ଲା କମ୍ୟୁନିଟି ସେଣ୍ଟରରେ ସକାଳ ୭ଟାରେ ଆୟୋଜିତ କାର୍ଯ୍ୟକ୍ରମରେ ଯଦୁପୁରର ଓଳିଆ ସାହି, ଡୁମୁଡୁମା ଭୋଇ ସାହିରେ ପରିଚୟ ଗୃହ ନଥିବାରୁ ଲୋକଙ୍କୁ ସଭା କରିବା ନେଇ ହେଉଥିବା ଅସୁବିଧା ଏବଂ ପଞ୍ଚସଖା ନଗରର ରାସ୍ତା ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା। ଏଥିସହିତ ଜାଗମରା ଛକରୁ କସ୍‌ମୋପଲିସ ପର୍ଯ୍ୟନ୍ତ ଥିବା ରାସ୍ତା, ଭୋଇସାହି ରାସ୍ତାର ଉନ୍ନତୀକରଣ ଏବଂ ପ୍ରଶସ୍ତୀକରଣ, କୈବଲ୍ୟ ବିହାର ଅଞ୍ଚଳରେ ରାସ୍ତା ଆଲୋକୀକରଣ, ତିନୋଟି ଲେନରେ ପେଭର ବ୍ଲକ ରାସ୍ତା କରାଯିବା, ନୂଆ ଭୋଇସାହି ଅଞ୍ଚଳରେ ବିଦ୍ୟୁତ ତାର ସଂଯୋଗରେ ଉନ୍ନତି ଆଣିବା ଏବଂ ବିପଦସଙ୍କୁଳ ତାର ହଟାଇବା, ଯଦୁପୁର ଖେଳ ପଡ଼ିଆ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା, ପଞ୍ଚସଖା ନଗରରୁ ଆଇଟିଆର ଶିବ ମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତା ଉନ୍ନତୀକରଣ, ଟୁଙ୍ଗିସାହି କବରଖାନା ବିକାଶ, ସନ୍‌ସିଟିରେ ରାସ୍ତା ଏବଂ ଡ୍ରେନ ପାଇଁ ପ୍ରସ୍ତାବ, ମଧୁସୂଦନ ନଗର ଅଞ୍ଚଳର ଅଧା ରହିଥିବା ରାସ୍ତା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଏବଂ ରାସ୍ତା ଆଲୋକୀକରଣ ଏବଂ ଆର୍ଯ୍ୟବିହାର ପାଠାଗାର ଏବଂ ପାର୍କ ପାଇଁ ଆବଶ୍ୟକ ଉପକରଣ ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଧିବାସୀ ପ୍ରସ୍ତାବ ଦେଇଥିଲେ। ଲୋକଙ୍କ ସହିତ ଆଲୋଚନା ବେଳେ ମେୟର ମୁକ୍ତା ଯୋଜନାରେ ନମ୍ରକାନି ମନ୍ଦିର ନିକଟରେ ପୁଷ୍କରିଣୀ ପ୍ରାଚୀର, ଗାର୍ଡରୁମ ନିର୍ମାଣ, ଏସବିଆଇ ଛକରୁ ଟାଙ୍ଗି ଛକ ପର୍ଯ୍ୟନ୍ତ ୯୦୦ ମିଟର ରାସ୍ତା ନିର୍ମାଣ, ଜାଗା ମିସନ ଅନ୍ତର୍ଗତରେ ୧ କିଲୋମିଟର ଡ୍ରେନ ଏବଂ ଦେଢ କିଲୋମିଟର ରାସ୍ତା ନିର୍ମାଣ ସମେତ ବିଭିନ୍ନ ଅଞ୍ଚଳର ରାସ୍ତା ନିର୍ମାଣର ସୂଚନା ଦେଇଥିଲେ।

ବୈଠକରେ କର୍ପୋରେଟର ସାକିବା ମୁସରତ, ଅତିରିକ୍ତ କମିସନର ଶୁଭେନ୍ଦୁ ସାହୁ, ଜୋନାଲ ଡେପୁଟି କମିସନର ରବିନାରାୟଣ ଜେଠୀ, ସହକାରୀ କମିସନର ମୃତ୍ୟୁଞ୍ଜୟ ମହାପାତ୍ର, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ ମିଶ୍ର ଉପସ୍ଥିତ ଥିଲେ। ୱାର୍ଡ ନମ୍ବର ୬୪ର ୧୫୦ରୁ ଊର୍ଧ୍ବ ବ୍ୟକ୍ତି ସାମିଲ ହୋଇଥିଲେ। ଅପରପକ୍ଷରେ ସ୍ଥାନୀୟ ଅଧିବାସୀ ମେୟରଙ୍କ ୱାର୍ଡରେ ଦିନେ କାର୍ଯ୍ୟକ୍ରମକୁ ସ୍ବାଗତ କରୁଛନ୍ତି କିନ୍ତୁ ଦୃଷ୍ଟି ଆକର୍ଷଣ କରାଯାଉଥିବା ସମସ୍ୟାର ସମାଧାନ ନହେଲେ ଲାଭ ହେବ ନାହିଁ ବୋଲି କୁହାଯାଉଛି।