ଗୋଟିଏ ଦିନରେ ଟ୍ରେନ୍‌ରେ କଟି ୩ ମୃତ

ଭୁବନେଶ୍ୱର: ଆଜି ରାଜଧାନୀର ପୃଥକ ପୃଥକ ସ୍ଥାନର ରେଳ ଧାରଣାରୁ ଆଜି ୩ ମୃତଦେହ ଉଦ୍ଧାର କରାଯାଇଛି। ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଆଜି ପ୍ରଥମେ ସକାଳ ୯ଟାରେ ମଞ୍ଚେଶ୍ୱର ଟ୍ରେନ୍‌ ଲାଇନ୍‌ରୁ ଜଣେ ବୃଦ୍ଧଙ୍କ ଶବ ଉଦ୍ଧାର ହୋଇଥିଲା। ସେ ହେଲେ ଭଦ୍ରକ ଗୁଆମାଳ ଅଞ୍ଚଳର ନିରାକାର ତ୍ରିପାଠୀ(୬୭)। ଟ୍ରେନ୍‌ରୁ ଖସି ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି। ସେହିପରି ବ୍ରହ୍ମପୁର ଦିଗପହଣ୍ଡି ଅଞ୍ଚଳର ସୁରେନ୍ଦ୍ର ସାହୁ(୪୫)ଙ୍କ ଶବ ଲିଙ୍ଗରାଜ ରେଲ୍‌େଓ୍ଵ ଷ୍ଟେସନ୍‌ ନିକଟରୁ ଉଦ୍ଧାର କରାଯାଇଥିଲା। ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଟ୍ରେନ୍‌ ଲାଇନ୍‌ ପାର ହେଉଥିବା ବେଳେ କୌଣସି ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସେହିପରି ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ପୋଖରୀପୁଟ୍‌ ସରକନ୍ତରା ନିକଟ ରେଲ୍‌ୱେ ଲାଇନ୍‌ ପାର୍ଶ୍ୱରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ଯୁବକଙ୍କ ବୟସ ୩୦ ବର୍ଷ ହୋଇଥିବାବେଳେ ସେ ଜିନ୍‌ ପ୍ୟାଣ୍ଟ୍‌ ଓ ଖଇରିଆ ରଙ୍ଗର ଟି ସାର୍ଟ ପିନ୍ଧିଥିଲେ। ଏନେଇ ଜିଆର୍‌ପି ପକ୍ଷରୁ ତିନିଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। କେବଳ ଭୁବନେଶ୍ୱରରେ ଦେଇ ଯାଇଥିବା ଟ୍ରେନ୍‌ ଲାଇନ୍‌ରେ ମାସକୁ ୧୦ରୁ ୧୫ଜଣଙ୍କ ମୃତ୍ୟୁ ହେଉଛି। ଟ୍ରେନ୍‌ ଲାଇନ୍‌ରେ କଟି ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ପିଡିଏଚ୍‌ଆର୍‌ ପକ୍ଷରୁ ଦାବି ହୋଇଛି। ଜନସାଧାରଣଙ୍କୁ ସଚେତନ ଏବଂ ସତର୍କ କରିବା ରେଳ ବିଭାଗର ଦାୟିତ୍ୱ ବୋଲି ପିଡିଏଚ୍‌ଆର୍‌ଆଇର ରାଜ୍ୟ ସଭାପତି ଗଦାଧର ଦାସ କହିଛନ୍ତି।

ସମ୍ବନ୍ଧିତ ଖବର