ଭୁବନେଶ୍ବର : ଅଶୋକନଗର ରେମଣ୍ଡ ସୋରୁମ୍ ନିକଟରେ ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ବାମୀ ଓ ଝିଅ ଆହତ ହୋଇଛନ୍ତି। ମୃତ ମହିଳା ଜଣକ ହେଲେ ପୁରୀ ଅଞ୍ଚଳର ବିଷ୍ଣୁପ୍ରିୟା ଆପଟ (୩୨)। କ୍ୟାପିଟାଲ ଥାନା ପୁଲିସ ମହିଳାଙ୍କ ସ୍ବାମୀ ଭବାନୀ ପ୍ରସାଦ ଆପଟ ଓ ଛୋଟ ଝିଅକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିବା ବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ମୁତାବକ, କିଛିଦିନ ତଳେ ବିଷ୍ଣୁପ୍ରିୟା ପରିବାର ସହ ଏଜି କଲୋନିରେ ଥିବା ବାପାଙ୍କ ଘରକୁ ଆସିଥିଲେ। ଆଜି ସନ୍ଧ୍ୟାରେ ସ୍ବାମୀଙ୍କ ସହ ବାଇକ୍ରେ ମାର୍କେଟ ବିଲ୍ଡିଂ ଯାଉଥିଲେ। ସେ କଳ୍ପନା ଛକରୁ ମାର୍କେଟ ବିଲ୍ଡିଂ ଆଡ଼କୁ ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଭାରସାମ୍ୟ ହରାଇ ବାଇକ୍ ସହ ଘଷି ହୋଇଯାଇଥିଲା। ଫଳରେ ହାଇୱାର ହୁକ୍ରେ ମହିଳା ଜଣଙ୍କ ଟାଣିହୋଇ ଚକା ତଳେ ପଡ଼ିଯାଇଥିଲେ। ଭବାନୀ ଓ ଝିଅ ବାଇକ୍ ସହ ଘୋଷାଡ଼ି ହୋଇ କିଛିବାଟ ଦୂରରେ ପଡ଼ିଥିଲେ। ଦୁର୍ଘଟଣା ପରେ ସେଠାରେ ଘଣ୍ଟାଏ କାଳ ଯାତାୟାତ ଠପ୍ ହୋଇଯାଇଥିଲା। ଅନ୍ୟପଟେ ପୁଲିସ ହାଇୱାକୁ ଜବତ କରିବା ସହ ଚାଳକକୁ ଗିରଫ କରି ଥାନାକୁ ନେଇଥିଲା। ଆସନ୍ତାକାଲି ଗାଡ଼ି ଚାଳକକୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଗରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/acc-6.jpg)
