ଭୁବନେଶ୍ୱର : ଆଜି ସକାଳୁ ସକାଳୁ କଳିଙ୍ଗ ଷ୍ଟାଡିୟମ ନିକଟରେ ଜଣେ ଉବର କାର୍ ଚାଳକଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁଁ ପ୍ରାତଃ ଭ୍ରମଣରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ମହିଳା ଆହତ ହୋଇଛନ୍ତି। ମୃତକ ହେଉଛନ୍ତି, ନୂଆପଲ୍ଲୀ ବେହେରାସାହିର ଡମ୍ବରୁଧର ବେହେରା(୫୫)। ଆହତ ଦୁଇ ମହିଳା ହେଲେ କୁଞ୍ଜଲତା କୁଣ୍ଡୁ ଓ ବୀଣାପାଣି ପତି। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡମ୍ବରୁଧରଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେହିପରି ଆହତ ମହିଳା ଦ୍ୱୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରଯାଇଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କଳିଙ୍ଗ ଷ୍ଟାଡିୟମ୍ ସମ୍ମୁଖ ରାସ୍ତାକୁ ଅବରୋଧ କରିିଥିଲେ। ପୁଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ତେବେ ଦୁର୍ଘଟଣା ଘଟାଇଥିବା ଉବର କାର୍ ଛାଡ଼ି ଚାଳକ ଜଣକ ଫେରାର ହୋଇଯାଇଛି। ପୁଲିସ କାର୍ଟିକୁ ଜବତ କରି ଚାଳକକୁ ଧରିବା ପାଇଁ ଉଦ୍ୟମ ଚଳାଇଛି।
ପୁଲିସ ସୂଚନା ମୁତାବକ, ଆଜି ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଡମ୍ବରୁ ପ୍ରାତଃଭ୍ରମଣରେ କଳିଙ୍ଗ ଷ୍ଟାଡିୟମ ଗେଟ୍ ନଂ-୩ରୁ ୯ ଆଡ଼କୁ ଯାଉଥିଲେ। ତେବେ ସେ ଗେଟ୍ ନଂ-୭ ସମ୍ମୁଖରେ ଯାଉଥିବା ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଉବର କାର୍ ତାଙ୍କୁ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଜୋର୍ ଥିଲା ଯେ ଡମ୍ବରୁ ୨୦ ମିଟର ଦୂରରେ ଡିଭାଇଡର୍ରେ ପିଟିହୋଇ ପଡ଼ିଥିଲେ। ତେବେ ଏତିକିରେ କାର୍ ଚାଳକର କାର୍ନାମା ସରି ନ ଥିଲା। ଡମ୍ବରୁଙ୍କୁ ଧକ୍କା ଦେବା ପରେ କାର୍ ଚାଳକ ଜଣକ ସେହି ରାସ୍ତାରେ ଯାଉଥିବା ଅନ୍ୟମାନଙ୍କ ଉପରକୁ ମଧ୍ୟ ମାଡ଼ି ଯାଇ ଆତଙ୍କ ସୃଷ୍ଟି କରିଥିଲା। ପ୍ରଥମେ ସେ କୁଞ୍ଜଲତା ଓ ପରେ ବୀଣାପାଣିଙ୍କୁ ଧକ୍କା ଦେଇଥିଲା। ଫଳରେ କୁଞ୍ଜଲତାଙ୍କ ବାମ ହାତ ଭାଙ୍ଗିଯିବା ସହ ବୀଣାପାଣିଙ୍କ ମୁଣ୍ଡ ଫାଟିଯାଇଥିଲା। ଦୁର୍ଘଟଣା ଦେଖି ଆଖପାଖରେ ଯାଉଥିବା ଲୋକମାନେ ଧାଇଁ ଆସିଥିଲେ। ତୁରନ୍ତ ପୁଲିସକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ କାର୍ ଚାଳକ ଜଣକ କାର୍ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ଦୁର୍ଘଟଣାରେ ଡମ୍ବରୁଙ୍କ ମୃତ୍ୟୁ ହୋଇ ଯାଇଥିବା ଖବର ପ୍ରଚାରିତ ହୋଇଯିବା ପରେ ଶତାଧିକ ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଚାଲି ଆସିଥିଲେ। ଫଳରେ ସେଠାରେ ଉତ୍ତେଜନା ଦେଖାଯାଇଥିଲା। ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ, ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି, ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ଏବଂ ସର୍ବସାଧାରଣଙ୍କ ପ୍ରବେଶ ପାଇଁ କିଛି ଦିନ ହେଲା ବନ୍ଦ ଥିବା କଳିଙ୍ଗ ଷ୍ଟାଡିୟମ ଗେଟ୍ ଖୋଲିବା ଆଦି ୪ ଦଫା ଦାବିରେ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପୂର୍ବରୁ କଳିଙ୍ଗ ଷ୍ଟାଡିୟମ ଭିତରକୁ ଲୋକେ ମର୍ଣ୍ଣିଂ ଓ୍ଵାକ୍ କରିବାକୁ ଯାଉଥିଲେ। ମାତ୍ର ମରାମତି ଆଳରେ କର୍ତୃପକ୍ଷ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଥିବାରୁ ଷ୍ଟାଡିୟମ୍ ବାହାରେ ଲୋକେ ପ୍ରାତଃ ଭ୍ରମଣ କରିବାକୁ ବାଧ୍ୟ ହେଉଛନ୍ତି। ଏହି କାରଣରୁ ଆଜି ଏହି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସେମାନେ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ ଯେ, ଗେଟ୍ କେବଳ ଆମ ସାଧାରଣ ଲୋକଙ୍କ ପାଇଁ ବନ୍ଦ ହୋଇଥିବାବେଳେ ଭିଆଇପି ଓ ଭିଭିଆଇପିମାନଙ୍କୁ କାହିଁକି ଭିତରକୁ ଛଡ଼ାଯାଉଛି? ପାଖାପାଖି ୨ଘଣ୍ଟା ରାସ୍ତାରୋକ ଫଳରେ ଏହି ରାସ୍ତାରେ ଯାତାୟାତ ଏକ ପ୍ରକାର ଠପ୍ ହୋଇଯାଇଥିଲା। ଏହାପରେ ସ୍ଥାନୀୟ କର୍ପୋରେଟର୍ ନବକିଶୋର ବେହେରା, ବରିଷ୍ଠନାଗରିକ ସଂଘର ସଭାପତି ମଧୁମାଧବ ଜେନା, ସାଧାରଣ ସମ୍ପାଦକ କାମାକ୍ଷା ପ୍ରସାଦ ପଣ୍ଡା, ମୁକୁନ୍ଦ ଚନ୍ଦ୍ର ଜେନା, ଯୁବ ସମାଜସେବୀ ଅର୍ଜୁନ ବେହେରା ପ୍ରମୁଖ ଡିସିପି ସତ୍ୟବ୍ରତ ଭୋଇଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।