ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୩ ଗୁରୁତର

ଦୁର୍ଘଟଣାରେ ଜଣେ ଗୁରୁତର

ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ହଂସପାଳ-ଜୟଦେବ ମୁଖ୍ୟ ରାସ୍ତାର ସିଙ୍ଗଡ଼ାଭୋଇ ସାହି ନିକଟରେ ଆଜି ସଂଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ହେଲେ ନୂଆସାହି ଗ୍ରାମର ରାଜକିଶୋର ପରିଡ଼ା (୨୬)। ଆହତମାନେ ନୂଆସାହି ଗ୍ରାମର ଜଗା ପରିଡ଼ା (୨୩) ଓ ଅନ୍ୟ ଦୁଇଜଣ ପଟିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ସମସ୍ତଙ୍କ ପରିଚୟ ମିଳିପାରିନି। ପ୍ରାପ୍ତ ସୂଚନାନୁଯାୟୀ ଉଭୟ ରାଜିକିଶୋର ଓ ଜଗା ଭୁବନେଶ୍ବରରୁ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ପଟିଆ ଅଞ୍ଚଳର ସମ୍ପୃକ୍ତ ଦୁଇ ଯୁବକଙ୍କ ବାଇକ୍‌ ସହ ଧକ୍କା ହେବାରୁ ସମସ୍ତେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣାରେ ଜଣେ ଗୁରୁତର
ବାଲିପାଟଣା : ବାଲିପାଟଣା ଛକ ଆକ୍ସିସ୍‌ ବ୍ୟାଙ୍କ ସମ୍ମୁଖରେ ଆଜି ପୂର୍ବାହ୍ନରେ ବାଇକ୍‌ ଦୁର୍ଘଟଣାରେ ଦୁଇ ଯୁବକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ରହିଛି। ଗୁରୁତର ଯୁବକ ଜଣକ ହେଲେ ବାଲିପାଟଣା ଥାନା ସାନମାଛପୁର ଗ୍ରାମର ଅଭିଷେକ ସାହୁ (୨୦) ଓ ଆହତ ଯୁବକ ସେହି ଥାନା ବାରିଲୋ ଗ୍ରାମର ଜଗନ୍ନାଥ ସାହୁଙ୍କ ପୁଅ ମନୋଜ ସାହୁ (୨୬)। ଅଭିଷେକ ବାଇକ୍‌ (ଓଡି୦୨ବିବି-୨୪୫୩)ରେ ବାଲିପାଟଣା ବଜରକୁ ଯାଉଥିବା ସମୟରେ ଆକ୍ସିସ୍‌ ବ୍ୟାଙ୍କ ଗଳିରୁ ବାହାରୁଥିବା ମନୋଜଙ୍କ ସ୍କୁଟି (ଓଡି୦୨ଏଏମ-୫୪୭୧) ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଯୁବକମାନେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ଅଭିଷେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାକୁ କ୍ୟାପିଟାଲ ହସପିଟାଲକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ମନୋଜ ଚିକିତ୍ସିତ ହୋଇ ଘରକୁ ‌ଫେରିଛନ୍ତି। ବାଲିପାଟଣା ପିସିଆର ଗାଡ଼ି ଦୁଇଟିକୁ ଜବତ କରିଛି।

ସମ୍ବନ୍ଧିତ ଖବର