ବାଇକ୍‌କୁ ପିଟିଲା ବାଇକ୍‌ : ଜଣେ ମୃତ, ୩ ଗୁରୁତର

ଧଉଳି : ଅପରାହ୍ଣ ପ୍ରାୟ ୪ଟା ସମୟରେ ଧଉଳି ଥାନା ଅଧୀନ ଦୟାନଦୀ ବନ୍ଧ ମୁଖ୍ୟ ରାସ୍ତାର ପଳାସପୁର ଛକ ନିକଟରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମର ଗୋବିନ୍ଦ ବାରିକଙ୍କ ପୁଅ ଦେବରାଜ ବାରିକ୍‌ (୨୨)। ତାଙ୍କ ସହିତ ବାଇକ୍‌ରେ ବସିଥିବା ଅନ୍ୟ ଗୁରୁତର ଆହତ ସାଙ୍ଗ ଜଣକ ହେଲେ ଏହି ଥାନା ଅଞ୍ଚଳର ସାଗର ପଲେଇ (୨୫)।

ସେହିପରି ବିପରୀତ ଦିଗରୁ ବାଇକ୍‌ରେ ଆସୁଥିବା ଅନ୍ୟ ଦୁଇ ଆହତ ହେଲେ ଧଉଳି ଥାନା ଅନ୍ତର୍ଗତ ପଳାସପୁର ଗ୍ରାମର ଲଛମନ ଭଞ୍ଜ (୫୯) ଓ ତାଙ୍କ ପୁଅ ରଂଜନ ଭଞ୍ଜ (୨୪)। ଚିକିତ୍ସା ଲାଗି ସ୍ଥାନୀୟ ଲୋକେ ସମସ୍ତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଦେବରାଜଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଜଟିଳ ହେବାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବୟସ୍କ ବୃଦ୍ଧ ଲଛମନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ପୁଲିସ କହିଛି।

ପୁଲିସ ସୂଚନା ମୁତାବକ ବାପ-ପୁଅ ଗାଁରୁ ବାହାରି ପିପିଲି ହାଟ ଅଭିମୁଖେ ଯାଉଥିବା ବେଳେ ଦେବରାଜ ଓ ସାଗର ଦ୍ରୁତ ବେଗରେ ଭୁବନେଶ୍ୱର ଆଡ଼କୁ ଯାଉଥିଲେ। ହେଲେ ନିୟନ୍ତ୍ରଣ ହରାଇ ସେମାନେ ବାଇକ୍‌ରୁ ଛିଟିକି ପଡ଼ି ମୃତାହତ ହୋଇଥିଲେ। ଖବର ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଦୁଇଟିକୁ ଜବତ କରିଛି।

ସମ୍ବନ୍ଧିତ ଖବର