ସ୍କୁଟିକୁ ପିଟିଲା କାର୍‌, ୩ ଗୁରୁତର

ନିଜେ ଚଳାଉଥିବା ହାଇୱା ଚାପାରେ ଡ୍ରାଇଭର ମୃତ

ଭୁବନେଶ୍ବର : ଆଜି ରାତି ପ୍ରାୟ ୯ଟାରେ ସିଆର୍‌ପି ଛକ ଓଭରବ୍ରିଜ୍‌ରେ ଏକ କାର୍‌ (ଓଡି୩୩ଏନ୍‌-୩୭୫୦) ସ୍କୁଟି (ଓଡି୦୨ଏଏକ୍ସ-୮୨୨୩)କୁ ଧକ୍କା ଦେବାରୁ ୩ଜଣ ଗୁରୁତର ଆହତ ହୋଇଛନ୍ତି। ନୂଆପଲ୍ଲୀ ଥାନା ପୁଲିସ ସମସ୍ତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସୂଚନା ଅନୁଯାୟୀ ଦୁଇଜଣ ଯୁବକ ସ୍କୁଟିରେ ବରମୁଣ୍ଡାରୁ ଜୟଦେବ ବିହାର ଫେରୁଥିଲେ। ଏହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଭାରସାମ୍ୟ ହରାଇ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା। ଯୁବକ ଦ୍ବୟ ସ୍କୁଟି ସହ ୧୦ ଫୁଟ୍‌ ଉପରକୁ ଉଠି ତଳେ ପଡ଼ି କିଛିବାଟ ଘୋଷାଡ଼ି ହୋଇଯାଇ ଡିଭାଇଡର୍‌ରେ ପିଟି ହୋଇଯାଥିଲେ। ଫଳରେ ଜଣଙ୍କ ହାତ ଭାଙ୍ଗିଯାଇଥିବା ବେଳେ ଅନ୍ୟ ଜଣକ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। କାର୍‌ଟି ଓଲଟି ପଡ଼ିବାରୁ ଚାଳକ ଜଣକ ଭିତରେ ଚାପିହୋଇ ରହିଥିଲେ।

ନିଜେ ଚଳାଉଥିବା ହାଇୱା ଚାପାରେ ଡ୍ରାଇଭର ମୃତ

ଖଣ୍ଡଗିରି : ସୋମବାର ଅପରାହ୍ଣ ପ୍ରାୟ ୨ଟାବେଳେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ଓଗାଳପଡ଼ା ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ହାଇୱା ଡ୍ରାଇଭର୍‌ଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଧା କାଇପଦର ଗାଁର ଫଗୁଚରଣ ମାର୍ଥା(୩୬)। ଯାଁଳା ଫାଣ୍ଡି ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନାନୁସାରେ ଫଗୁ ଚଳାଉଥିବା ହାଇୱା(ଓଡି୦୨ଏମ୍‌-୯୦୭୦)କୁ ନେଇ ଭୁବନେଶ୍ବରୁ ଖୋର୍ଧା ଦିଗରେ ଯାଉଥିଲେ। ଅପରାହ୍ଣ ପ୍ରାୟ ୨ଟାବେଳେ ସେ ଓଗାଳପଡ଼ା ବଜାର ପାର୍ ହେଉଥିବାବେଳେ ହଠାତ୍ ଭାରସାମ୍ୟ ହରାଇଥିଲେ ଓ ଗାଡ଼ିଟି ଡିଭାଇଡର୍‌ ଉପରକୁ ଚଢ଼ି ଯାଇଥିଲା। ଫଳରେ ଫଗୁ କ୍ୟାବିନ୍ ଆଗୁ ଝୁଙ୍କି ପଡ଼ି ସମ୍ମୁଖ କାଚ ଭାଙ୍ଗି ବାହାରକୁ ଛିଟିକି ପଡ଼ିଥିଲେ। ଫଗୁ ଠିକ୍‌ ତଳେ ପଡ଼ିବାବେ‌ଳକୁ ଗଡ଼ୁଥିବା ହାଇୱା ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର