ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଖଣ୍ଡଗିରି : ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ଇନ୍‌ଫୋଭ୍ୟାଲି-୨ ନୂଆ ସଡ଼କରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ, କେନ୍ଦୁଝର ନୟା‌କୋଟ ତୁଲାଡ଼ି ଗାଁର ପୂର୍ଣ୍ଣ ରଣାଙ୍କ ପୁଅ ବଳଭଦ୍ର(୨୫) ଓ ଗୁରୁତର ଆହତ ଯୁବକ ହେଲେ, ଖୋର୍ଧା ଜଙ୍କିଆ ଛଣଗିରିର ସଲମନ୍ ଖାଁ। ଯାଁଳା ଫାଣ୍ଡି ପୁଲିସ ବଳଭଦ୍ରର ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିବା ସହ ଦୁର୍ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରଖିଛି।

ସୂଚନାନୁସା‌ରେ, ବଳଭଦ୍ର ଓ ସଲମନ୍‌ ଭୁବନେଶ୍ବର ପାଣ୍ଡରାସ୍ଥିତ ଏକ ଇଟା କମ୍ପାନିରେ କାମ କରନ୍ତି। ସେମାନେ ଗତ ରାତିରେ ଚନ୍ଦକା ଥାନା ଗମେଇ-ଗ୍ରାମଡ଼ିହକୁ ଯାତ୍ରା ଦେଖିବାକୁ ଯାଇଥିଲେ। କିଛି ସମୟ ଯାତ୍ରା ଦେଖିବା ପରେ ସେମାନେ ବାଇକ୍‌(ଓଡି-୦୫କେ-୦୬୦୪))ରେ ଛତାବର ଦେଇ ଭୁବନେଶ୍ବର ଫେରୁଥିଲେ। ମାତ୍ର ଦୁର୍ଭାଗ୍ୟକୁ ସେମାନେ ୧୬ ନମ୍ବର ଜାତୀୟ ରାଜପଥକୁ ଉଠିବା ପାଇଁ ମଦନପୁର ରାସ୍ତା ବଦଳରେ ଇନ୍‌ଫୋଭ୍ୟାଲି-୨ ରାସ୍ତା ଧରିଥିଲେ। ଗତ ବର୍ଷା ଦିନେ ବନ୍ୟା ଜଳ ନିଷ୍କାସନ ପାଇଁ ଏହି ରାସ୍ତା କଟା ଯାଇଥିବା ବାବଦରେ ସେମାନଙ୍କର ଧାରଣା ନଥିଲା। ତେଣୁ ବାଇକ୍‌ର ବେଗ ଅଧିକ ଥିବାରୁ ହଠାତ୍ ସମ୍ମୁଖରେ ରାସ୍ତା କଟ୍‌ ଦେଖିଥିଲେ ବି ବଳଭଦ୍ର ଉପାୟଶୂନ୍ୟ ହୋଇପଡ଼ିଥିଲେ। ବାଇକ୍ ସହ ସେମାନେ ରାସ୍ତା କଟ୍‌ ଭିତରକୁ ପଡ଼ି ଯାଇଥିଲେ। ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ବଳଭଦ୍ରଙ୍କ ମୃତ୍ୟୁ ଘଟିଥିଲା। ଯାତ୍ରା ଦେଖି ସାରି ସେହି ରାସ୍ତା ଦେଇ ଫେରୁଥିବା କିଛି ଲୋକ ଯାଁଳା ଫାଣ୍ଡି ପୁଲିସକୁ ଖବର ଦେବା ପରେ ପୁଲିସ ମୃତାହତଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର