ବିଳମ୍ବିତ ରାତିରେ ଦୁର୍ଘଟଣା: କାର୍‌ ପିଟିଲା, ଟ୍ରକ୍ ଚାପିଦେଲା; ଜଣେ ମୃତ, ଜଣେ ଗୁରୁତର

ଭୁବନେଶ୍ୱର : ସହିଦନଗର ଥାନା ଆୟକର ଭବନ ସମ୍ମୁଖ ଜାତୀୟ ରାଜପଥରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଥୀ ଗୁରୁତର ହୋଇଛନ୍ତି। ମୃତକ ହେଲେ ଚନ୍ଦନ ଦେହୁରୀ ଓ ଗୁରୁତର ରମେଶ ପ୍ରଧାନ। ଚନ୍ଦନଙ୍କର ଘଟଣାସ୍ଥଳରେ ମତ୍ୟୁ ହୋଇଥିବା ବେଳେ ରମେଶଙ୍କୁ ପୁଲିସ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି।

ସୂଚନା ଅନୁସାରେ ଆଜି ଚନ୍ଦନ ଓ ଖୁଣ୍ଟୁଣି ଅଞ୍ଚଳର ରମେଶ ଟଙ୍କପାଣି ରୋଡ ଅଞ୍ଚଳରେ ଏକ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ଭୋଜିସାରି ରାତି ପ୍ରାୟ ୧୧ଟା ବେଳେ ଭୁଆଶୁଣୀରେ ଥିବା ରମେଶଙ୍କ ଭଉଣୀ ଘରକୁ ଯାଉଥିଲେ। ଆୟକର ଭବନ ସମ୍ମୁଖରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଉଭୟଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ପଛରେ ବସିଥିବା ରମେଶ ପଡ଼ିଯାଇ ଗୁରୁତର ହୋଇଥିବା ବେଳେ ବାଇକ୍ ଚଳାଉଥିବା ଚନ୍ଦନ ରାସ୍ତାର ଅପରପାର୍ଶ୍ବକୁ ଛିଟିକି ପଡ଼ିଥିଲେ। ସେହି ସମୟରେ କଟକ ଅଭିମୁଖେ ଯାଉଥିବା ଏକ ଟ୍ରକ ଚନ୍ଦନଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇ ପୁଲିସ୍ ମୃତଦେହ ଜବତ କରିଥିବା ବେଳେ ଆହତଙ୍କୁ ହସ୍ପିଟାଲକୁ ପଠାଇଥିଲା। ହେଲେ ଦୁର୍ଘଟଣା ଘଟାଇ ଥିବା କାର୍‌ ଓ ଟ୍ରକ୍‌ର ପତ୍ତା ପାଇନାହିଁ।

ସମ୍ବନ୍ଧିତ ଖବର