ଟ୍ରକ୍‌ ଧକ୍କାରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମୃତ୍ୟୁ , ଜଣେ ଆହତ

ବାଲିଅନ୍ତା : ଭୁବନେଶ୍ୱର-କଟକ ଜାତୀୟ ରାଜପଥର ପାହାଳ ଫାଣ୍ଡି ଅଧୀନ ପାହାଳ ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ ଧକ୍କାରେ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁଶାନ୍ତ ପତି (୩୬)। ଘର କଟକସଦର ଥାନା ଅଞ୍ଚଳରେ। ସୁଶାନ୍ତଙ୍କ ସହିତ ଥିବା ଅନ୍ୟଜଣେ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ପରିଚୟ ଜଣାପଡ଼ି ନଥିବା ପାହାଳ ଫାଣ୍ଡି ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି କହିଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ପାହାଳ ଫାଣ୍ଡି ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଥିଲେ ହେଁ ଚାଳକ ଖସି ପଳାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ ସୁଶାନ୍ତ ନଖରାସ୍ଥିତ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ। ସୋମବାର ସେ ଡ୍ୟୁଟି ସାରି ଅନ୍ୟ ଜଣେ ଯୁବକଙ୍କ ସହିତ ବାଇକ୍‌ରେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ପାହାଳ ଛକ ନିକଟରେ ରାସ୍ତା ପାର ହେଉଥିବା ସମୟରେ ପଛରୁ ଦ୍ରୁତବେଗରେ ଆସୁଥିବା ଟ୍ରକ୍‌ (ଓ ଆର-୦୫ଟି-୯୮୪୭) ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରୁ ଛିଟିକିପଡ଼ି ସୁଶାନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ବ୍ୟବଚ୍ଛେଦ କରାଇ ବାଲିଅନ୍ତା ଥାନା ପୁଲିସ ଶବ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର