ବାଲିଅନ୍ତା : ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ଫୁଲନଖରା-ନିଆଳି ମୁଖ୍ୟ ରାସ୍ତାର ତ୍ରିନାଥବଜାର ନିକଟରେ ଆଜି ସନ୍ଧ୍ୟା ୮ଟା ସମୟରେ ଏକ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ଗଗନ ବିହାରୀ ରାଉତ (୨୨)। ସେହିପରି ଉକ୍ତ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅନ୍ୟ ଯୁବକଙ୍କ ପରିଚୟ ମିଳିପାରିନି। ସେମାନଙ୍କ ଘର ନିଆଳି ଥାନା ଅନ୍ତର୍ଗତ କସର୍ଦା ଗ୍ରାମରେ। ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣା ଘଟାଇଥିବା ଉକ୍ତ ଟ୍ରକ୍ଟି ଦ୍ରୁତବେଗରେ ଖସି ପଳାଇ ପୁନର୍ବାର କଟକସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋ ବଜାର ଓ ଦାମୋଦରପୁର ବଜାରରେ ବାଇକ୍ରେ ଯାଉଥିବା ଅନ୍ୟ ଦୁଇଜଣଙ୍କୁ ଧକ୍କା ଦେଇଥିଲା। ଏଥିସହିତ ବାଟରେ ଏକ ବରଗାଡ଼ିକୁ ମଧ୍ୟ ଧକ୍କା ଦେଇ ସେଠାରୁ ବି ଟ୍ରକ୍ଟି ଅତି ଦ୍ରୁତବେଗରେ ଖସିପଳାଇବାରେ ସଫଳ ହୋଇଥିବା କିଛି ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ପ୍ରକାଶ।
ହେଲେ ଏ ସଂପର୍କରେ ପୂର୍ବ ସୂଚନା ପାଇ ଓଲଟପୁର ଥାନା ବରାହୀପୁର ନିକଟରେ ଉକ୍ତ ଥାନା ପୁଲିସ ଟିମ୍ ଟ୍ରକଟିକୁ ଜବତ କରିବା ସହ ଏହାର ମାତାଲ ଚାଳକ ଓ ହେଲପରକୁ କାବୁ କରି ନେଇଥିଲେ। ଆସନ୍ତା କାଲି ଗିରଫ ଟ୍ରକ ଚାଳକ ବାଲିଅନ୍ତା ଥାନାକୁ ହସ୍ତାନ୍ତର ହେବ ବୋଲି ପୁଲିସ କହିଛି। ପ୍ରାପ୍ତ ସୂଚନାନୁଯାୟୀ ଗାଡ଼ି ପଛରେ ବସିଥିବା ମୃତ ଯୁବକ ଗଗନ ଓ ଚାଳକ ଯୁବକ ଜଣକ ସ୍କୁଟିରେ ଉପରୋକ୍ତ ରାସ୍ତାରେ କସର୍ଦା ଅଭିମୁଖେ ଫେରୁଥିଲେ। ହେଲେ ସେମାନଙ୍କୁ ପଛରୁ ଟ୍ରକ୍ (ଓଆର-୦୯-ଜେ-୫୦୨୪ )ଟି ଧକ୍କା ଦେଇଥିଲା। ଗଗନ ଉପରେ ଟ୍ରକ୍ଟି ଚଢ଼ିଯାଇଥିବା ବେଳେ ଆରୋହୀ ଗାଡ଼ିରୁ ଛିଟିକିପଡ଼ି ଗୁରୁତର ଆହତ ହୋଇଥିଲେ। ତୁରନ୍ତ ଚିକିତ୍ସା ଲାଗି ଉଭୟଙ୍କୁ କଟକ ବଡ଼ ହସ୍ପିଟାଲକୁ ପଠାଯାଇଥିଲା। ହେଲେ ଡାକ୍ତର ସେଠାରେ ଗଗନକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଯୁବକ ଚିକିତ୍ସାଧୀନ ଥିବା ପୁଲିସ କହିଛି ।