କାଠଯୋଡ଼ିରେ ଅଘଟଣ: ଗାଧୋଇଲାବେଳେ ୪ ଭାସିଗଲେ

ଯୁବକ ମୃତ, ଜଣେ ନିଖୋଜ; ୨ ଉଦ୍ଧାର

ବାରଙ୍ଗ/ତ୍ରିଶୁଳିଆ : ଶନିବାର ଅପରାହ୍‌ଣରେ କାଠଯୋଡ଼ିରେ ଗୋଧୋଇବା ବେଳେ ୪ଜଣ ଭାସି ଯାଇଥିବା‌ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସେମାନଙ୍କ ମଧ୍ୟରୁ ପାଣିରେ ବୁଡ଼ି ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ନିଖୋଜ ହୋଇଯାଇଛି। ତେବେ ସ୍ଥାନୀୟ ୨ ଗ୍ରାମବାସୀଙ୍କ ଉଦ୍ୟମ ଯୋଗୁଁ ୨ ନାବାଳକ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବାରଙ୍ଗ ତହସିଲ ଅଧୀନ କାଠଯୋଡ଼ି ନଦୀ ମୁଣ୍ଡମୁହାଣ ବାଲିଘାଟ ତୁଠ‌ରେ ଆଜି ଅପରାହ୍‌ଣରେ ଏହି ଅଘଟଣ ଘଟିଛି। ମୃତକ ହେଲେ ପ୍ରଭାତ ଚୌଧୁରୀ ଓରଫ ଇଲୁ (୩୦)। ସେହିପରି ନିଖୋଜ ଯୁବକ ଜଣଙ୍କ ହେଲେ ସେକ୍‌ ସାଧୁ (୨୭)। ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ମିଳି ପାରିନାହିଁ। ବାରଙ୍ଗ ଥାନା ପୁଲିସ ପ୍ରଭାତଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ, ଏମାନେ ସମସ୍ତେ ମୁଣ୍ଡମୁହାଣ ଗ୍ରାମରେ ଥିବା ଏକ ପାଉଁରୁଟି କମ୍ପାନିରେ ରହି କାମ କରନ୍ତି। ଶନିବାର ଅପରାହ୍‌ଣ ପ୍ରାୟ ସାଢ଼େ ୨ଟା ବେଳେ ଏହି ୪ଜଣଙ୍କ ସହ ଅନ୍ୟ ୨ଜଣ କାଠଯୋଡ଼ିକୁ ଗାଧୋଇବାକୁ ଯାଇଥିଲେ। ପରସ୍ପର ସହ ଗପସପ ହୋଇ ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଗଭୀର ପାଣିକୁ ଚାଲି ଯାଇ ଭାସି ଯାଇଥିଲେ। ଏହା ଦେଖି ନିକଟରେ ଥିବା ମୁଣ୍ଡମୁହାଣ ଗ୍ରାମର ଶୂନ୍ୟବାସୀ ରାଉତ(୭୨) ଓ ଯୁଗଳ ରାଉତ(୧୬) ଓରଫ ବିଜୁନା ଘାଟରେ ଥିବା ଡଙ୍ଗା ନେଇ ସମସ୍ତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ସେମାନେ ପ୍ରଥମେ ନାବାଳକ ଦ୍ବୟଙ୍କୁ ଉଦ୍ଧାର କରି ଡଙ୍ଗା ଉପରକୁ ନେଇ ଆସିଥିଲେ। ପରେ ସେକ୍‌ ସାଧୁକୁ ଉଦ୍ଧାର କରିବା ବେଳେ ସେ ପ୍ରାଣ ବିକଳରେ ଡଙ୍ଗା ଉପରକୁ ଚଢ଼ି ଆସିବାକୁ ଉଦ୍ୟମ କରିବାରୁ ଡଙ୍ଗାଟି ଓଲଟି ପଡ଼ିଥିଲା। ଫଳରେ ସେକ୍ ସାଧୁ ଓ ୨ ନାବାଳକ ପାଣିରେ ଭାସି ଯାଉଥିଲେ। ଶୂନ୍ୟବାସୀ ଓ ଯୁଗଳ ବହୁ କଷ୍ଟରେ ନାବଳକଦ୍ବୟଙ୍କୁ ପୁଣି ଉଦ୍ଧାରକରି କୂଳକୁ ଟାଣି ଆଣିଥିଲେ। କିନ୍ତୁ ସେକ୍‌ ସାଧୁ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ।

ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବୋଟ୍‌ ସାହାଯ୍ୟରେ ପ୍ରଭାତଙ୍କ ଶବକୁ ଉଦ୍ଧାର କରିଥିଲେ। ହେଲେ ସେକ୍ ବାବୁ ନିଖୋଜ ରହିଛି। ଅନ୍ଧାର ହୋଇଯିବାରୁ ଆଜି ଉଦ୍ଧାର କାର୍ଯ୍ୟକୁ ଆଜି ସ୍ଥଗିତ ରଖାଯାଇଛି।

ସମ୍ବନ୍ଧିତ ଖବର