ଭୁବନେଶ୍ବର : କ୍ୟାପିଟାଲ୍‌ ଥାନା ସମ୍ମୁଖ ରାସ୍ତାରେ ଦୁଇଟି ବାଇକ୍‌ ଧକ୍କା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା‌ ‌ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ବ୍ରହ୍ମପୁର ଅଞ୍ଚଳର ବ୍ରହ୍ମାନନ୍ଦ ପୂଜାରୀ(୪୮)। ଏନେଇ କ୍ୟାପିଟାଲ୍‌ ଥାନା ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।

Advertisment

ସୂଚନା ମୁତାବକ, ବ୍ରହ୍ମାନନ୍ଦ ଫରେଷ୍ଟ ପାର୍କ ଅଞ୍ଚଳରେ ରହୁଥିବା ବେଳେ ଏକ ପ୍ରତିଷ୍ଠିତ ସଂସ୍ଥାରେ କାମ କରୁଥିଲେ। ସେ ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳେ ବାଇକ୍‌ରେ ଏଜି ଛକରୁ ରାଜମହଲ ଛକ ଯାଉଥିବା ବେଳେ କ୍ୟା‌ପିଟାଲ୍‌ ଥାନା ସମ୍ମୁଖ ରୋଡ୍‌ରେ ଭାରସାମ୍ୟ ହରାଇ ଅନ୍ୟ ଏକ ବାଇକ୍‌କୁ ପଛରୁ ଧକ୍କା ଦେଇଥିଲେ। ଫଳରେ ଦୁଇଟି ଯାକ ବାଇକ୍‌ କିଛିବାଟ ଘୋଷାଡ଼ି ହୋଇ ଡିଭାଡରରେ ପଟି ହୋଇଯାଇଥିଲେ। ବ୍ରହ୍ମାନନ୍ଦ ଓ ଦୁଇ ଯୁବକ ରକ୍ତ ଜୁଡ଼ୁବୁଡ଼ୁ ହୋଇ ସେଠାରେ ପଡ଼ିରହିଥିଲେ। କ୍ୟାପିଟାଲ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲା। ହେଲେ ସେଠାରେ ଡାକ୍ତର ବ୍ରହ୍ମାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣ ଏବେ ଚିକିତ୍ସାଧୀନ ଅଛନ୍ତି।