ଭୁବନେଶ୍ବର: ଆଜି ଅପରାହ୍ନରେ ଝଡ଼ତୋଫାନ ପରେ ରାଜଧାନୀରେ ଏକ ପୁରୁଣା ଘରର ଛାତ ବିମ୍ ପଡ଼ି ଜଣେ ଶ୍ରମିକଙ୍କରଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏୟାରପୋର୍ଟ ଥାନା ପୁଲିସ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ମୃତକ ଜଣକ ହେଉଛନ୍ତି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ କଲ୍ୟାଣୀ ଗ୍ରାମର ଧରଣୀଧର ଦତ୍ତ(୪୫)। ଆହତଦ୍ବୟ ହେଲେ ବାହାନଗା କଲ୍ୟାଣୀ ଗ୍ରାମର ଶିଶିର କୁମାର ଦତ୍ତ(୪୨) ଓ ପଶ୍ଚିମବଙ୍ଗ ନଦୀଆ ଅଞ୍ଚଳର ଅବଦ୍ଦୁଲ ନାଉଦା(୨୫)। ସମସ୍ତେ ୟୁନିଟ୍ ୩ ମସଜିଦ୍ କଲୋନିରେ ରହୁଥିବା ଜଣାପଡ଼ିଛି।
ସୂଚନାନୁସାରେ ପୋଖରୀପୁଟ ଲିଙ୍ଗରାଜବିହାର ଅଞ୍ଚଳରେ ଥିବା ଏକ ପୁରୁଣା ଘରର ଛାତକୁ ୭ରୁ ଅଧିକ ଶ୍ରମିକ ଭାଙ୍ଗୁଥିଲେ। ବର୍ଷା ପୂର୍ବରୁ ଉପର ସମ୍ମୁଖ ଭାଗ ଛାତ ଭାଙ୍ଗିଦେଇଥିଲେ। କିନ୍ତୁ ଅପରାହ୍ନରେ ବର୍ଷା ହେବାରୁ ଶ୍ରମିକମାନେ କାମ ଛାଡ଼ି ତଳକୁ ଆସି ବିଶ୍ରାମ ନେଇଥିଲେ। ପ୍ରାୟ ସାଢ଼େ ୩ଟା ବେଳକୁ ଛାତର ଏକ ବିମ୍ ଭାଙ୍ଗି ଖସିପଡ଼ିବାରୁ ଛାତଟି ଖସି ୩ ଜଣ ଶ୍ରମିକଙ୍କ ଉପରେ ପଡ଼ିଥିଲା। ଫଳରେ ତଳେ ବସିଥିବା ୩ ଜଣ ଶ୍ରମିକ ଛାତ ତଳେ ଚାପି ହୋଇଯାଇଥିଲେ। ଖବର ପାଇ ପୁଲିସ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଧରଣୀଧରଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ କମିସନର ଏସ୍ ଦେବଦତ୍ତ ସିଂହ କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଯୁଗ୍ମ ଶ୍ରମ ଆୟୁକ୍ତ କହିଛନ୍ତି, ଶ୍ରମିକମାନେ ଆବଶ୍ୟକ ସୁରକ୍ଷା ଉପକରଣ ବିନା କାର୍ଯ୍ୟ କରୁଥିଲେ। ତେଣୁ ଏନେଇ ସମ୍ପୃକ୍ତ ଠିକାଦାର ଓ ଘରମାଲିକଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ।