ଭୁବନେଶ୍ୱର: ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ‘ସୁଭଦ୍ରା ଶକ୍ତି ମେଳା’ ଆଜି ସପ୍ତମ ଦିନରେ ପହଞ୍ଚିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୩୦୦ରୁ ଅଧିକ ଷ୍ଟଲ୍ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଦ୍ବାରା ଅନନ୍ୟ ଉତ୍ପାଦଗୁଡ଼ିକ ପ୍ରଦର୍ଶିତ ହେଉଛି। ଷଷ୍ଠ ଦିନର ସବୁଠାରୁ ବଡ଼ ଆକର୍ଷଣ ଥିଲା ଜିଆଇ ଉତ୍ପାଦ ଓ ଏକ ଜିଲ୍ଲା ଏକ ଉତ୍ପାଦ ପ୍ରଦର୍ଶନୀ। ଯେଉଁଠାରେ ଦର୍ଶକମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ଓ ନିର୍ମିତ ଉତ୍ପାଦର ଏକ ଅନନ୍ୟ ଆକର୍ଷଣ ଦେଖିବାକୁ ପାଇଥିଲେ। ଆଜିର ମୁଖ୍ୟ ଆକର୍ଷଣ ମଧ୍ୟରେ ଥିଲା ପିପିଲି ଚାନ୍ଦୁଆ, କୋରାପୁଟ କଫି, କନ୍ଧମାଳ ହଳଦୀ, ପୁରୀ ରଘୁରାଜପୁରର ପଟ୍ଟଚିତ୍ର, କଟକର ତାରକସି ଓ ଡୋକ୍ରା ଶିଳ୍ପ, ସୁବର୍ଣ୍ଣପୁରର ପାଟଶାଢ଼ି, ଭଦ୍ରକର ଶୁଖୁଆ, ସମ୍ବଲପୁରୀ ହସ୍ତତନ୍ତ, କେନ୍ଦ୍ରାପଡ଼ାର ଗୋଲଡେନ୍ ଗ୍ରାସ୍ (ସୁବର୍ଣ୍ଣ ଘାସ) ଆଦି ଉତ୍ପାଦ। ଏହି ଉତ୍ପାଦଗୁଡ଼ିକ ଓଡ଼ିଶାର କାରିଗରୀ କୌଶଳକୁ ପ୍ରତିଫଳିତ କରିବା ସହିତ ଶହ ଶହ ମହିଳା ଉଦ୍ୟୋଗୀଙ୍କୁ ନିଜ ଉତ୍ପାଦ ପ୍ରଦର୍ଶନ କରିବା ପାଇଁ ଏକ ବିଶାଳ ମଞ୍ଚ ପ୍ରଦାନ କରୁଛି। ଏହି ଉତ୍ପାଦମାନଙ୍କ ପ୍ରତି ବଢୁଥିବା ଚାହିଦା ଲୋକମାନଙ୍କ ମଧ୍ୟରେ ସ୍ୱଦେଶୀ ଉତ୍ପାଦ ପ୍ରତି ବୃଦ୍ଧିଶୀଳ ଚାହିଦାକୁ ପ୍ରକାଶ କରୁଛି।
ଏହି ଅବସରରେ ସିଙ୍ଗାପୁରର ଆଇଟିଇଏସ୍ (ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ସର୍ଭିସେସ୍)ର ଅଧ୍ୟକ୍ଷ ହେଙ୍ଗ୍ ଚିଆଙ୍ଗ୍ ଗ୍ନି ଓ ତାଙ୍କର ୧୪ ଜଣିଆ ଦଳ ମେଳା ଦର୍ଶନ କରିଥିଲେ। ସେ ଉଦ୍ୟୋଗୀ ମହିଳାମାନଙ୍କ ସହ ଆଲୋଚନା କରିବା ସହ ମେଳାରେ ଉପଲବ୍ଧ ହସ୍ତନିର୍ମିତ ଉତ୍ପାଦଗୁଡ଼ିକର ବିବିଧତା ପାଇଁ ପ୍ରଶଂସା ବ୍ୟକ୍ତ କରିଥିଲେ।
ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ‘ବିଷ୍ଣୁପ୍ରିୟା ପାଲା ସଂସଦ’ ପକ୍ଷରୁ ପ୍ରଦର୍ଶିତ ପାଲା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହାପରେ କଣ୍ଠଶିଳ୍ପୀ ନବ୍ୟା ଓ ସୁରଜ ଦାସଙ୍କ ସଙ୍ଗୀତ ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଏବେ ସୁଦ୍ଧା ମେଳାରେ ୩ କୋଟିରୁ ଅଧିକ ଟଙ୍କାର ବିକ୍ରୟ ରେକର୍ଡ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/08/untitled-4-2025-11-08-06-42-34.jpg)