ଜାରିଆ ଜଙ୍ଗଲରେ ଏକା ଏକା ଦନ୍ତା

ଖଣ୍ଡଗିରି: ରାଜଧାନୀରେ ୩ ଦିନ କାଳ ଆତଙ୍କ ଖେଳାଇ ଦେଇଥିବା ଯୁବଦନ୍ତା ହାତୀଏବେ ଚନ୍ଦକା ଅଭୟାରଣ୍ୟର ଡମପଡ଼ା ରେଂଜ୍‌ ଜାରିଆ ଜଙ୍ଗଲରେ ବୁଲୁଛି। ଦଳଛଡ଼ା ଦନ୍ତାଟି ଏକାଏକା ବୁଲୁଛି। ଏବେ ସେ ରାଜଧାନୀଠାରୁ ବେଶ୍‌ କିଛି ଦୂରକୁ ଚାଲି ଯାଇଥିବାରୁ ବନ ବିଭାଗକୁ ଆଶ୍ୱସ୍ତି ମିଳିଛି। ନିକଟ ଭବିଷ୍ୟତରେ ସେ ଆଉ ସହରମୁହାଁ ହେବା ଆଶଙ୍କା ନାହିଁ ବୋଲି ବନ କର୍ମଚାରୀମାନେ ଆଶାବାଦୀ ଥିବା କହିଛନ୍ତି। ତଥାପି ବନ ବିଭାଗ ତା ଉପରେ ନଜର ରଖିଛି ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ବାଟବଣା ହୋଇ ଏହି ଯୁବ ଦନ୍ତା ହାତୀଟି ପ୍ରଥମେ ଚନ୍ଦକା ଅଭୟାରଣ୍ୟରେ ପ୍ରବେଶ କରିଥିଲା। ଖାଦ୍ୟ ଅନେ୍ଵଷଣରେ ବୁଲୁ ବୁଲୁ ସେ ରାଜଧାନୀ ମୁହାଁ ହୋଇଥିଲା। ଜାଗର ଦିନ ରାତିରେ ସେ ଶ୍ୟାମପୁର ଦେଇ ଘାଟିକିଆ ନାକାଗେଟ୍‌ ନିକଟସ୍ଥ ବନ ବିଭାଗର ବନତତ୍ୱବିତ୍‌ କ୍ୟାମ୍ପସରେ ପଶି ରହି ଯାଇଥିଲା। ହର୍ଟିକଲ୍‌ଚର ଫାର୍ମ ଓ ପରେ କଳିଙ୍ଗଷ୍ଟୁଡିଓ ଭିତରେ ଦୁଇ ଦିନ ରହିବା ପରେ ରାଜଧାନୀରେ ଆତଙ୍କ ଖେଳି ଯାଇଥିଲା। ତାକୁ ପୁଣି ଜଙ୍ଗଲକୁ ଫେରାଇବା ପାଇଁ ବନ ବିଭାଗର ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। ନୂଆ କରି ଚନ୍ଦକା ଜଙ୍ଗଲକୁ ଆସି ରାଜଧାନୀରେ ପଶି ଯାଇଥିବାରୁ ବାଟବଣା ହୋଇ ସେ ଜଙ୍ଗଲ ରାସ୍ତା ଧରିପାରିନଥିଲା। ତେଣୁ ଜଙ୍ଗଲକୁ ଫେରିବ କ’ଣ ସେ ବେଶୀ ବେଶୀ ସହର ଭିତରକୁ ପଶିଥିଲା। ଶେଷରେ ଜୟଦେବ ବାଟିକାରେ ପଶିଯିବାରୁ ରାଜଧାନୀବାସୀ ଅଧିକ ଆତଙ୍କିତ ହୋଇ ପଡ଼ିଥିଲେ। ଜୟଦେବ ବାଟିକାରୁ ତାକୁ ବାହାର କରିବା ପାଇଁ ବନ ବିଭାଗ ଓ କମିସନରେଟ୍‌ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଶେଷରେ ୧୭ ତାରିଖ ବିଳମ୍ବିତ ରାତିରେ ଦନ୍ତାଟି ସହର ଛାଡ଼ି ଚନ୍ଦକା ଜଙ୍ଗଲକୁ ପଳାଇଥିଲା। କିନ୍ତୁ ବନ ବିଭାଗର ଚିନ୍ତା ଯାଇନଥିଲା। କାଳେ ପୁଣି ସହରମୁହାଁ ହୋଇପାରେ ବୋଲି ଆଶଙ୍କା କରି ବନ ବିଭାଗ ତା ଉପରେ କଡ଼ା ନଜର ରଖିଥିଲା। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଏବେ ଦନ୍ତା ହାତୀଟି ଏକାଏକା ଡମପଡ଼ା ରେଂଜ୍‌ରେ ବୁଲୁଛି। ଆଜି ତାକୁ ବନ କର୍ମଚାରୀମାନେ ଜାରିଆ ଜଙ୍ଗଲରେ ବୁଲୁଥିବା ଦେଖିଥିଲେ। ଡମପଡ଼ା ରେଂଜ୍‌କୁ ଯାଇ ସାରିଥିବାରୁ ଏଣିକି ସେ ଆଉ ସହରମୁହାଁ ନ ହୋଇ ପାରେ ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ତଳେ ଭରତପୁର ସଂରକ୍ଷିତ ଜଙ୍ଗଲରେ ବୁଲୁଥିବା ମାକ୍‌ନାଟି ଏବେ କିଛି ଦିନ ହେଲା ଦେଖିବାକୁ ମିଳୁନାହିଁ। ଏମିତିକି ଚନ୍ଦକା ଅଭୟାରଣ୍ୟରେ ବି ସେ ଦେଖାଯାଉନଥିବା କୁହାଯାଉଛି। ତେଣୁ ଚନ୍ଦକା ଜଙ୍ଗଲରେ ଏବେ ଏହି ଦଳଛଡ଼ା ଯୁବ ଦନ୍ତାକୁ ବାଦ୍‌ ଦେଲେ ଅନ୍ୟ କୌଣସି ହାତୀ ନଥିବା ସୂଚନା ମିଳିଛି। ସେହିଭଳି ଚାଲିଥିବା ବାଘ ଗଣନାରୁ ମଧ୍ୟ ଏଠାରେ ବାଘ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର