କାଳବୈଶାଖୀ ବର୍ଷା ଯୋଗୁଁ ଘଣ୍ଟାଏ ଠପ୍‌ ହୋଇଗଲା ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଖଣ୍ଡଗିରି: ଆଜି କାଳବୈଶାଖୀ ବର୍ଷା ଯୋଗୁଁ ବରମୁଣ୍ଡା ବସଷ୍ଟାଣ୍ଡ ପ୍ରାୟ ଘଣ୍ଟାଏ ଅଚଳ ହୋଇପଡ଼ିଥିଲା। ବରମୁଣ୍ଡା ଫ୍ଲାଏଓଭର ବ୍ରିଜ୍‌ ତଳେ ଉଭୟ ବର୍ଷା ଓ ନର୍ଦମା ପାଣି ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ବସ୍‌ଗୁଡ଼ିକ ନା ଷ୍ଟାଣ୍ଡ ଭିତରକୁ ଯାଇପାରିଲେ ନା ବାହାରକୁ ବାହାରି ପାରିଲେ। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏମିତିକି ଏହି ରାସ୍ତା ଦେଇ ନିୟମିତ ଯାତାୟାତ କରୁଥିବା ରାଜଧାନୀବାସୀ ମଧ୍ୟ ହନ୍ତସନ୍ତ ହୋଇଥିଲେ। ବର୍ଷା ଯୋଗୁ ଓଭରବ୍ରିଜ୍‌ ତଳେ ପୂର୍ବରୁ ବହୁଥିବା ନର୍ଦମା ଜଳର ପରିମାଣ ହଠାତ୍‌ ବଢ଼ିଗଲା। ରାସ୍ତା ବୁଡ଼ିଯିବା ଯୋଗୁଁ ଅଟୋ ଷ୍ଟାଣ୍ଡରୁ ସମସ୍ତ ଅଟୋ ପଳାଇଥିଲେ। ଯାତ୍ରୀମାନେ ଭାସିଯିବା ଭୟରେ ବି୍ରଜ୍‌ ତଳେ ଯିବା ଆସିବା ବନ୍ଦ କରିଦେଲେ। ଏମିତିକି ଭୁବନେଶ୍ୱରରୁ ବାହାରକୁ ଯିବାକୁ ଥିବା ବସ୍‌ମାନେ ବାହାରିଲେ ନାହିଁ କି ବାହାରୁ ରାଜଧାନୀକୁ ଆସିଥିବା ବସଗୁଡ଼ିକ ମଧ୍ୟ ଷ୍ଟାଣ୍ଡ ଭିତରକୁ ଗଲେ ନାହିଁ। ବରଂ କଟକ ଦିଗରୁ ଆସିଥିବା କିଛି ବସ୍‌ ଷ୍ଟାଣ୍ଡ ଭିତରକୁ ନ ଯାଇ ଖଣ୍ଡଗିରି ଛକ ଦିଗରେ ଯାଇ ବାଟରେ ଯାତ୍ରୀମାନଙ୍କୁ ଓହ୍ଲାଇଥିଲେ। ଷ୍ଟାଣ୍ଡରେ ଅଟୋ ନ ମିଳିବାରୁ ଯାତ୍ରୀମାନେ ବସଷ୍ଟାଣ୍ଡରେ ହିଁ ଅଟକି ରହିବାକୁ ବାଧ୍ୟ ହୋଇଥିଲେ। ପ୍ରାୟ ଘଣ୍ଟାକ ପରେ ବର୍ଷା କମି ନଥିଲେ ବି ବ୍ରିଜ୍‌ ତଳୁ ପାଣି ଛାଡ଼ି ଯାଇଥିଲା। ଫଳରେ ଯାତାୟାତ ଧୀରେ ଧୀରେ ସ୍ୱାଭାବିକ ହୋଇଥିଲା।

ଜାମ୍‌ ହୋଇଗଲା ଜାଗମରା ଡ୍ରେନ୍‌
ପ୍ରବଳ ବର୍ଷା ଜଳ ପ୍ରବାହ ଯୋଗୁଁ ଆଜି ଜାଗମରା ଗାଁ ଭିତର ଡ୍ରେନ୍‌ ହଠାତ୍‌ ଜାମ୍‌ ହୋଇଯାଇଥିଲା। ଫଳରେ ସବୁ ନର୍ଦମା ଜଳ ଗାଁ ଦାଣ୍ଡରେ ବହିଲା। ନର୍ଦମା ଜଳ ସହ ସ୍ୱେରେଜ୍‌ ପଚାପାଣି ବହିବା ଯୋଗୁଁ ଗନ୍ଧରେ ନାକ ଫାଟି ପଡ଼ିଲା ଓ ଲୋକେ ପାଦ ପକାଇବା ଅସମ୍ଭବ ହୋଇପଡ଼ିଲା। ଫଳରେ ଗ୍ରାମବାସୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। କିଛି ଗ୍ରାମବାସୀ ସଫେଇ ଗାଡ଼ିକୁ ଅଟକାଇ ଦେଇଥିଲେ। ଡ୍ରେନ୍‌ ସଫା ନକଲା ପର୍ଯ୍ୟନ୍ତ ସଫେଇ ଗାଡ଼ି ଓ କର୍ମଚାରୀମାନଙ୍କୁ ଅଟକ ରଖିବାକୁ ଗ୍ରାମବାସୀମାନେ ଜିଦ୍‌ ଧରିଥିଲେ। ଖବର ପାଇ ବିଏମ୍‌ସିର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଡ୍ରେନ୍‌ ସଫା କରେଇବାରୁ ପରିସ୍ଥିତିରେ ସୁଧାର ଆସିଥିଲା।

ଓଏଚ୍‌ଇରେ ପଡ଼ିଲା ୩୩ କେଭି ତାର
ଚନ୍ଦ୍ରଶେଖରପୁର: ବର୍ଷା ଓ ପବନ ଯୋଗୁ ଲିଙ୍ଗରାଜ ପାସେଞ୍ଜର୍‌ ହଲ୍‌ଟ ଓ ରେତଙ୍ଗ ଷ୍ଟେସନ୍‌ ମଝିରେ ଥିବା ସରକନ୍ତରାରେ ସେସୁର ୩୩କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ଛିଡ଼ି ରେଲେଓ୍ଵର ଓଏଚ୍‌ଇ (ଓଭର ହେଡ୍‌ ଇଲେକ୍ଟି୍ର) ଉପରେ ପଡ଼ିଥିଲା। ଫଳରେ ଭୁବନେଶ୍ୱରରୁ ପୁରୀ-ବ୍ରହ୍ମପୁର-ଭଦ୍ରକ ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଗୋଟିଏ ଏକ୍ସପ୍ରେସ୍‌ ସମେତ ୪ଟି ପାସେଞ୍ଜର୍‌ ଟ୍ରେନ୍‌ ଅଧା ରାସ୍ତାରେ ଅଟକି ରହିଥିଲା।

ସେହିପରି ବଜ୍ରପାତ ଓ ଘଡ଼ଘଡ଼ି କାରଣରୁ ମଧ୍ୟ ରେଲ୍‌େଓ୍ଵର ସିଗ୍‌ନାଲ ବ୍ୟବସ୍ଥା ଫେଲ୍‌ ମାରିଥିଲା । ଏହି କାରଣରୁ ଅନେକ ଟ୍ରେନ୍‌ ମୁଖ୍ୟ ଷ୍ଟେସନ୍‌କୁ ନଆସି ଅଧା ବାଟରେ ଅଟକି ରହିଥିଲା। ଆଜି ଅନଗୁଳ-ପୁରୀ ପାସେଞ୍ଜର୍‌ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ଅଟକି ରହିଥିବା ବେଳେ ଟାଟା-କଚେଗୁଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ଓ ତାଳଚେର-ପୁରୀ ପାସେଞ୍ଜର୍‌ ମଞ୍ଚେଶ୍ୱରରେ, ରେତଙ୍ଗରେ ପୁରୀ-କଟକ ପାସେଞ୍ଜର୍‌, ଖୋର୍ଧାରୋଡ଼ରେ ପଲାସା-କଟକ ପାସେଞ୍ଜର୍‌, ତାପଙ୍ଗରେ ସିକନ୍ଦରାବାଦ୍‌-ହାଓ୍ଵଡ଼ା ଫାଲକ୍‌ନାମା ଏକ୍ସପ୍ରେସ୍‌, ବାଙ୍ଗାଲୋର କ୍ୟାଣ୍ଟ୍‌-ଭୁବନେଶ୍ୱର ଏକ୍ସପ୍ରେସ୍‌ ନିରାକାରପୁରରେ, ପୁରୀ-ସାନ୍ତ୍ରାଗାଚ୍ଛି ପାସେଞ୍ଜର୍‌ ଡେଲାଙ୍ଗରେ ଏବଂ ପୁରୀ-ନନ୍ଦନକାନନ ଏକ୍ସପ୍ରେସ୍‌ ପୁରୀରେ ଅଟକି ରହିଥିଲା। ବର୍ଷା କାରଣରୁ କଟକ-ପାରାଦୀପ, କଟକ-ଭଦ୍ରକ ପାସେଞ୍ଜର୍‌ ଉଭୟ ଦିଗରୁ ଆଜି ବାତିଲ କରାଯାଇଥିଲା। ପଲାସା-କଟକ ପାସେଞ୍ଜର୍‌ କଟକ ପରିବର୍ତ୍ତେ ମଞ୍ଚେଶ୍ୱରରେ ଅଟକିଥିଲା ଓ କଟକ-ପୁରୀ ପାସେଞ୍ଜର୍‌ କଟକ ପରିବର୍ତ୍ତେ ମଞ୍ଚେଶ୍ୱରରୁ ଛାଡ଼ିଥିଲା। ପଲାସା-କଟକ ଓ କଟକ-ପୁରୀ ପାସେଞ୍ଜର୍‌କୁ ମଞ୍ଚେଶ୍ୱର ଓ କଟକ ମଧ୍ୟରେ ବାତିଲ୍‌ କରାଯାଇଥିଲା। ରେଳ ବିଭାଗ ପକ୍ଷରୁ ଅପ୍‌ ଲାଇନ୍‌କୁ ସଜଡ଼ା ଯିବାପରେ ଟ୍ରେନ୍‌ ଚଳାଚଳ ଧୀରେ ଧୀରେ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର