ତାରକା ପରିବାରର କଳି: ପ୍ରକୃତିଙ୍କୁ ଘଣ୍ଟାଏ ଜେରା

ଭୁବନେଶ୍ବର: ଦୁଇ ତାରକା ପରିବାର ମଧ୍ୟ‌‌ରେ କଳି ଉପରେ ପୁଲିସ୍‌ ତଦନ୍ତ ଜୋର୍‌ଦାର କରିଛି। ବାବୁସାନ୍‌ଙ୍କ ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ଆଜି ପୁଲିସ୍‌ ପ୍ରକୃତି ମିଶ୍ରଙ୍କୁ ଜେରା କରିଛି। ସତ୍ୟବିହାରସ୍ଥିତ ବାସଭବନରେ ପାଖାପାଖି ଘଣ୍ଟାଏ କାଳ ପୁଲିସ୍‌ ତାଙ୍କୁ ପଚରାଉଚରା କରିଥିଲା। ଏହାକୁ ନେଇ ପୁଲିସ୍‌ କିମ୍ବା ପ୍ରକୃତି କେହି ମୁହଁ ଖୋଲିନାହାନ୍ତି। ତେବେ ପ୍ରକୃତିଙ୍କ ବାପା ତଥା ସଙ୍ଗୀତଜ୍ଞ ମନ୍ମଥ ମିଶ୍ର ଗଣମାଧ୍ୟମକୁ ସାମ୍ନା କରିଛନ୍ତି। ବାବୁସାନ୍ ନିଜ ପରିବାରକୁ ‌ଫେରି ସୁଖର ସଂସାର କରୁ ବୋଲି ସେ କହିଛନ୍ତି। ଅପରପକ୍ଷେ ତିନି ଦିନ ହେଲା ଏହି ପ୍ରସଙ୍ଗକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିଲା ବେଳେ ଆଜି ଚେନ୍ନାଇର ଏକ ହୋଟେଲ୍‌ର ସିସିଟିଭି ଫୁଟେଜ୍ ଏହି ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି।

ବାବୁସାନ୍ ନିଜ ପରିବାରକୁ ଫେରି ସୁଖର ସଂସାର କରୁ: ମନ୍ମଥ

ଚର୍ଚ୍ଚାକୁ ଖୋରାକ ଯୋଗାଇଲା ଚେନ୍ନାଇ ହୋଟେଲ୍‌ର ସିସିଟିଭି

ବାବୁସାନ୍ ଓ ପ୍ରକୃତି ଚେନ୍ନାଇରେ ଥିଲା ବେଳେ ଗତକାଲି ପ୍ରକୃତିକଙ୍କ ବାପା-ମା’ ଚେନ୍ନାଇ ଯାଇଥିଲେ। ପ୍ରକୃତିଙ୍କ ମା’ କୃଷ୍ଣପ୍ରିୟା ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟ କରି ଏହା ଜଣାଇଥିଲେ। ଆଜି ସକାଳୁ ପ୍ରକୃତିଙ୍କ ସହ ତାଙ୍କ ପରିବାର ସଦସ୍ୟମାନେ ଭୁବନେଶ୍ବରରେ ପହଞ୍ଚିଥିଲେ। କିନ୍ତୁ ପ୍ରକୃତି ଥାନାରେ ହାଜର ହୋଇନଥିଲେ। ତେଣୁ ପୁଲିସ୍‌ର ଏକ ଟିମ୍‌ ଦିନ ପ୍ରାୟ ୧୨ଟା ବେଳେ ସତ୍ୟବିହାରସ୍ଥିତ ତାଙ୍କ ଘରକୁ ଯାଇଥିଲା। ଆଇଆଇସି ଅରୁଣ ସ୍ବାଇଁ ଓ ମହିଳା ଅଫିସର୍‌ ମିନତି ନାୟକଙ୍କ ନେତୃତ୍ବରେ ଗଠିତ ଟିମ୍‌ ତାଙ୍କୁ ଜେରା କରିଥିଲା। ଜେରା ବେଳେ ପ୍ରକୃତି କ’ଣ କହିଛନ୍ତି, ପୁଲିସ ତାହା ଗୋପନ ରଖିଛି। କିନ୍ତୁ ଜେରାରେ ପ୍ରକୃତି ପୂରା ସହଯୋଗ କରିଛନ୍ତି ବୋଲି ପୁଲିସ ଗଣମାଧ୍ୟମକୁ କହିଛି।

ପୁଲିସ୍‌ ଜେରାର ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରକୃତିଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ପ୍ରକୃତି ଘରୁ ବାହାରି ନଥିଲେ। ତାଙ୍କ ବାପା ମନ୍ମଥ ମିଶ୍ର ବାହାରକୁ ଆସି ପ୍ରତିକ୍ରିୟା ରଖିଥିଲେ। ଗତକାଲି ତାଙ୍କ ପରିବାର ଚେନ୍ନାଇ ଯାଇଥିଲା ବେଳେ ବାବୁସାନ୍‌ଙ୍କୁ ଭେଟିଥିବା ସ୍ବୀକାର କରିଥିଲେ। ଏହି ସାକ୍ଷାତ ସମୟରେ ବାବୁସାନ୍‌ ନିଜ ପରିବାର ପାଖକୁ ଫେରି ସୁଖର ସଂସାର କରିବା ପାଇଁ ବୁଝାଇଥିଲେ ବୋଲି ସେ କହିଛନ୍ତି।

ପ୍ରକୃତି ଓ ବାବୁସାନ୍‌ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କକୁ ନେଇ ମନ୍ମଥ କହିଛନ୍ତି ଯେ ପ୍ରକୃତିର ବଲିଉଡ୍‌ରେ ଭଲ ସମ୍ପର୍କ ରହିଛି। ପ୍ରକୃତି ମାଧ୍ୟମରେ ବାବୁସାନ୍‌ ବଲିଉଡ୍‌ ଯିବାକୁ ଚାହୁଥିଲେ। ସେଥିପାଇଁ ସେମାନଙ୍କ ବନ୍ଧୁତା ଅଧିକ ସୁଦୃଢ଼। ଅନ୍ୟ କିଛି ନୁହେଁ। ଆଜି ପୁଲିସ ପ୍ରକୃତିକୁ ପଚରାଉଚରା କରିଛି। ଯାହା ଉତ୍ତର ଦେବା କଥା, ସେ ଦେଇ ସାରିଛି। ଆଇନ ଉପରେ ସେ ସବୁ କିଛି ଛାଡ଼ି ଦେଇଛନ୍ତି। ନ୍ୟାୟ ପାଇଁ ପ୍ରକୃତି ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ନିଶ୍ଚିତ ନ୍ୟାୟ ମିଳିବ ବୋଲି ଆଶା ଅଛି।

ଅପରପକ୍ଷରେ ଚେନ୍ନାଇର ଏକ ହୋଟେଲ୍‌ର ସିସିଟିଭି ଫୁଟେଜ୍ ଆଜି ଭାଇରାଲ୍‌ ହୋଇଛି। ଏହି ଭିଡିଓରେ ବାବୁସାନ୍ ଓ ପ୍ରକୃତି ଗୋଟିଏ ହୋଟେଲ୍‌ରୁ ବାହାରୁଥିବା ଦେଖିବାକୁ ମିଳୁଛି। ଏଥିରେ ପ୍ରକୃତିଙ୍କ ମା’ ମଧ୍ୟ ଅଛନ୍ତି। ସେହି ହୋଟେଲ୍‌ରେ ଉଭୟ ରହୁଥିଲେ ନା ବାବୁସାନ୍‌ଙ୍କୁ ଭେଟିବା ପାଇଁ ‌ପ୍ରକୃତି ଓ ତାଙ୍କ ମା’ ସେଠାକୁ ଯାଇଥିଲେ, ତାହା ସ୍ପଷ୍ଟ ହୋଇନାହିଁ। ପ୍ରକୃତି ଭୁବନେଶ୍ବର ଫେରିଥିଲେ ମଧ୍ୟ ବାବୁସାନ୍ ଫେରି ନାହାନ୍ତି। କିନ୍ତୁ ବାବୁସାନ୍‌ଙ୍କୁ ସାଙ୍ଗରେ ନେଇଥିବା ‘ଦମନ’ ଚଳଚ୍ଚିତ୍ରର ପ୍ରଯୋଜକ ଓ ଟିମ୍‌ ମଧ୍ୟ ଭୁବନେଶ୍ବର ଆସିଛନ୍ତି। ପ୍ରଯୋଜକ ଦିବେନ୍ଦ୍ର ସାମଲ କହିଛନ୍ତି, ବାବୁସାନ୍‌ ଅଭିନୀତ ‘ଦମନ’ ଚଳଚ୍ଚିତ୍ରରେ ପ୍ରକୃତିଙ୍କର କୌଣସି ଭୂମିକା ନାହିଁ। ଏପରିକି ଚେନ୍ନାଇରେ ଫିଲ୍ମର ପ୍ରୋମୋସନ୍‌ ପାଇଁ ଯେଉଁ କାର୍ଯ୍ୟକ୍ରମ ହୋଇଥିଲା, ସେଠାକୁ ମଧ୍ୟ ପ୍ରକୃତିଙ୍କୁ ନିମନ୍ତ୍ରଣ ନଥିଲା। ପ୍ରକୃତି ନିଜ ପକ୍ଷରୁ ଚେନ୍ନାଇ ଯାଇଥିଲେ। ବାବୁସାନ୍‌ କିନ୍ତୁ ତାଙ୍କ ଟିମ୍‌ରେ ସାମିଲ୍‌ ଥିଲେ। ପ୍ରକୃତିଙ୍କ ଚେନ୍ନାଇ ଗସ୍ତ ତାଙ୍କ ବ୍ୟକ୍ତିଗତ ବ୍ୟାପାର ହୋଇପା‌ରେ ଓ ସେଥିରେ ତାଙ୍କର କିଛି କହିବାର ନାହିଁ ବୋ‌ଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଏକ ନୂଆ ଫିଲ୍ମର ନାମ ଘୋଷଣା କରିବାକୁ ପ୍ରକୃତି ତାଙ୍କ ସହ ଚେନ୍ନାଇ ଯାଇଛନ୍ତି ବୋଲି ଆରମ୍ଭରୁ ବାବୁସାନ୍ ଗଣମାଧ୍ୟମକୁ କହିଆସୁଛନ୍ତି। ଏହି ଚଳଚ୍ଚିତ୍ରରେ ପ୍ରକୃତି ସହ ପ୍ରଯୋଜିକା ଥିବା କୁହାଯାଉଛି। କିନ୍ତୁ ପାରିବାରିକ ବିବାଦ ପରେ ଏହି ସିନେମା ସ୍ଥଗିତ ରହିଥିବା ବାବୁସାନ୍ କହିଥିଲେ। କିନ୍ତୁ ‘ଦମନ’ ଚଳଚ୍ଚିତ୍ରର ଟିମ୍‌ର ପ୍ରଯୋଜକ ଓ ଅନ୍ୟମାନେ ଏହି ନୂଆ ଚଳଚ୍ଚିତ୍ର ସମ୍ପର୍କରେ ସୁରାକ୍ ନ ପାଇବା ବେଶ୍‌ ଦ୍ବନ୍ଦ୍ବ ସୃଷ୍ଟି କରିଛି। ବାସ୍ତବରେ ବାବୁସାନ୍ ନୂଆ ଚଳଚ୍ଚିତ୍ର ଘୋଷଣା କରିବାର ଥିଲା ନା ତାଙ୍କ ସହ ପ୍ରକୃତିଙ୍କ ଚେନ୍ନାଇ ଗସ୍ତକୁ ଯଥାର୍ଥ ଦର୍ଶାଇବା ପାଇଁ ଏମିତି ଏକ ଚାଲ୍‌ ଖେଳିଥିଲେ, ତାହା ସନ୍ଦେହରେ।

ବିମାନବନ୍ଦରରେ ହତାଶ ହେଲେ ପ୍ରଶଂସକ

ଚେନ୍ନାଇରୁ ‘ଦମନ’ ଫିଲ୍ମର ଟିମ୍‌ ଆଜି ସକାଳେ ଭୁବନେଶ୍ୱର ଫେରିଥିଲା। ମାତ୍ର ବାବୁସାନ୍‌ ଉକ୍ତ ଟିମ୍‌ରେ ନଥିଲେ। ଗତ ୨୪ ତାରିଖରୁ ସେ ହୋଟେଲ୍‌ ଛାଡ଼ି ସାରିଥିବା ବେଳେ ଆଜି ଟିମ୍‌ ସହ ଭୁବନେଶ୍ବର ଫେରି ନଥିଲେ। ଅନ୍ୟପକ୍ଷରେ ଆଜି ସକାଳୁ ପ୍ରକୃତି ମିଶ୍ର ଭୁବନେଶ୍ବର ଫେରି ଆସିଥିଲେ। ତେଣୁ ବାବୁସାନ୍‌ଙ୍କ ପ୍ରଶଂସକମାନେ ତାଙ୍କ ଫେରିବା ବାଟକୁ ଅପେକ୍ଷା କରି ରହିଥିଲେ। ଏହି ସମୟ ଭିତରେ ବାବୁସାନ୍‌ଙ୍କ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା।

ଦୁଇ ବନ୍ଧୁଙ୍କ ସହ ସେ ଚେନ୍ନାଇ ଏୟାରପୋର୍ଟରେ ବୁଲୁଥିବା ଭିଡିଓରେ ଦେଖାଯାଇଥିଲା। ପରେପରେ ପ୍ରଚାର ହେଲା ଯେ ମଙ୍ଗଳବାର ରାତି ୧୦ଟା ୨୦ରେ ସେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚି‌ବେ। ତେଣୁ ତାଙ୍କୁ ଦେଖିବା ପାଇଁ ବିମାନବନ୍ଦରରେ ତାଙ୍କ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଏମିତିକି ବହ‌ୁ ଗଣମାଧ୍ୟମର ଫଟୋ ସାମ୍ବାଦିକମାନେ ବି ସେଠାରେ ଅପେକ୍ଷା କରିଥିଲେ। କିନ୍ତୁ ଉକ୍ତ ବିମାନରେ ବାବୁସାନ୍‌ ନଥିଲେ। ବିମାନରେ ଆସିଥିବା କିଛି ଯାତ୍ରୀଙ୍କ କହିବାନୁଯାୟୀ, ବାବୁସାନ୍‌ଙ୍କୁ ସେମାନେ ଚେନ୍ନାଇ ବିମାନବନ୍ଦରରେ ଦେଖିଥିଲେ। କିନ୍ତୁ ସେ ବିମାନରେ ଆସିବା ଦେଖିନାହାନ୍ତି। ଫଳରେ ତାଙ୍କର ଭୁବନେଶ୍ବର ଫେରିବା ଅଧିକ ରହସ୍ୟମୟ ହୋଇଯାଇଛି।

ସମ୍ବନ୍ଧିତ ଖବର