ଧଉଳି: ଧଉଳି ଥାନା ଅଧୀନ ନୂଆଗାଁ ମୌଜା ଗଙ୍ଗୁଆ ନାଳ ସଂଲଗ୍ନ ଅଞ୍ଚଳରେ ଥିବା ଏକ ବିବାଦୀୟ ଜାଗାରେ ରାସ୍ତା ମରାମତି କାମ କରିବାକୁ ନେଇ ଦୀର୍ଘ ୭ ବର୍ଷ ଧରି ଲାଗି ରହିଥିବା ଗଣ୍ଡଗୋଳ ଆଜି ପୂର୍ବାହ୍ନରେ ପୁଣି ଉଗ୍ରରୂପ ନେଇଥିଲା। ଏହାକୁ କେନ୍ଦ୍ର କରି ଦୁଇ ପକ୍ଷଙ୍କ ମଧ୍ୟରେ ଭୀଷଣ ମାରପିଟ୍ ହୋଇଥିଲା। ଏହି ସ୍ଥାନକୁ ରାସ୍ତା ଭାବେ ବ୍ୟବହାର କରୁଥିବା ସଂପୃକ୍ତ କଲୋନି ବାସିନ୍ଦାଙ୍କ ରାଗ ଏତିକିରେ କିନ୍ତୁ ଥମିନଥିଲା। ପ୍ରତିବାଦ ସ୍ୱରୂପ ନିଜ ପରିବାରବର୍ଗଙ୍କ ସହ ଏକଜୁଟ୍ ହୋଇ ସେମାନେ ସିଧାସଳଖ ମୁହାଁଇଥିଲେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଆଡ଼କୁ। ଏହା ପରେ ଦୀର୍ଘ ଏକଘଣ୍ଟା ଧରି ରାଜପଥ ଅବରୋଧ କରି ରଖିଥିଲେ। ଖବର ପାଇ ଧଉଳି ଥାନା ଅଧିକାରୀ ଜୟଦେବ ବିଶ୍ୱଜିତ୍, ଜୋନ୍ ଏସିପି ଫଗୁଆ ସିଂ ପୁଲିସ ଫୋର୍ସ ସହ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ପ୍ରମୁଖ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। ହେଲେ ରାସ୍ତାକାମ ଆରମ୍ଭ ନହେବା ପର୍ଯ୍ୟନ୍ତ ସେମାନେ ଜାତୀୟ ରାଜପଥରୁ ହଟିବେ ନାହିଁ କହି ଜିଦ୍ ଧରିଥିଲେ। ଫଳରେ ଉଭୟ ପାର୍ଶ୍ୱ ରାସ୍ତାରେ ଦୀର୍ଘ ସମୟ ଧରି ଶହ ଶହ ଗାଡ଼ି ମଟର ଅଟକି ରହିଥିଲା। ଏନେଇ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶେଷରେ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ କାମ ଆରମ୍ଭ ହେବା ପରେ ଯାଇ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ପ୍ରାପ୍ତ ସୂଚନାନୁଯାୟୀ, ରାସ୍ତା ଭାବେ ବ୍ୟବହୃତ ଜାଗାର ମାଲିକାନା ସତ୍ୱକୁ ନେଇ କଲୋନି ବାସିନ୍ଦାମାନଙ୍କର ଶ୍ରୀ ଲିଙ୍ଗରାଜ ଥାନା ଅନ୍ତର୍ଗତ ପ୍ରଫୁଲ ମୁଦୁଲିଙ୍କ ମଧ୍ୟରେ ପୂର୍ବରୁ ଥାନା ଓ କୋର୍ଟରେ ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ଏହି ରାସ୍ତା ପ୍ରାଚୀ ଡ୍ରେନେଜ ଡିଭିଜନର ସରକାରୀ ଜମି କିସମ ବୋଲି କଲୋନି ବାସିନ୍ଦା କହିଛନ୍ତି। ଏ ନେଇ ବହୁବାର ସଂପୃକ୍ତ ଅଧିକାରୀ ଓ ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ବାଦବିବାଦ ଭିତରେ ରାସ୍ତା କାମ ହୋଇପାରୁ ନଥିବାବେଳେ ବର୍ଷାଦିନ ଯୋଗୁଁ ରାସ୍ତା ଅବସ୍ଥା କଦର୍ଯ୍ୟ ହୋଇପଡ଼ିଛି। ଏହା ଉପରେ ନିର୍ଭର କରୁଥିବା କଲୋନି ବାସିନ୍ଦାମାନେ ଯାତାୟାତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୧୦ଟାରେ ସ୍ଥାନୀୟ ବାସିନ୍ଦାମାନେ ମେସିନ୍ ଲଗାଇ ଡଷ୍ଟ ବିଛାଉଥିଲେ। ଖବର ପାଇ ପ୍ରଫୁଲ ଓ ତାଙ୍କ ପୁଅ ଘଟଣା ସ୍ଥଳରେ ପହଞ୍ଚି ଗାଳିଗୁଲଜ କରିବା ସହ ମାରପିଟ୍ ଆରମ୍ଭ କରିଥିଲେ।
ସୂଚନାଯୋଗ୍ୟ ଯେ, ରାସ୍ତା ସମସ୍ୟା ସଂପର୍କରେ ପୂର୍ବରୁ କଲୋନି ବାସିନ୍ଦା ବହୁବାର ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରଥିଲେ ମଧ୍ୟ ବିବାଦ ତୁଟି ପାରିନି। ତେବେ ଆସନ୍ତା ୨୦ ତାରିଖରେ ଖୋଦ୍ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା କରାଯାଇ ଘଟଣାର ସ୍ଥାୟୀ ସମାଧାନ ହେବ ବୋଲି କର୍ପୋରେଟର ଶ୍ରୀ ମହାସୁପକାର ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/niranjan.jpeg)