ବିଶ୍ୱରେ ପ୍ରତି ୧୦ଜଣରେ ଜଣେ କିଡ୍‌ନି ରୋଗୀ

ଡା. ବିବେକାନନ୍ଦ ପଣ୍ଡା

ଚଳିତବର୍ଷ ମଧ୍ୟ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାରରେ ବିଶ୍ୱ କିଡ୍‌ନି ଦିବସ ପାଳନ କରାଯାଉଛି। ଏଥର ପ୍ରସଙ୍ଗ ରହିଛି କିଡ୍‌ନି ରୋଗ ସହିତ କିପରି ସୁସ୍ଥ ରହିବେ। ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କିଡ୍‌ନିର ସ୍ୱାସ୍ଥ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସାରା ବିଶ୍ୱରେ ପ୍ରତି ୧୦ଜଣରେ ଜଣଙ୍କୁ କିଡ୍‌ନି ରୋଗ ଗ୍ରାସ କରୁଛି।

କିଡ୍‌ନି ୯୦% ଖରାପ ନହେବା ପର୍ଯ୍ୟନ୍ତ ଅନେକ ସମୟରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। ତେବେ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଗୋଡ଼ ଫୁଲିବା, ଭୋକ କମିଯିବା, ରକ୍ତହୀନତା ଦେଖାଯିବା, ଧଇଁସଇଁ ଓ ଦୁର୍ବଳ ଲାଗିବା, ରକ୍ତ ଚାପ ବଢ଼ିଯିବା, ଦେହହାତ କୁଣ୍ଡେଇହେବା, ମୂତ୍ର କମିବା, ମୂତ୍ରରେ ଫେଣ ହେବା, ରକ୍ତ ପଡ଼ିବା ଆଦି ଲକ୍ଷଣ ଦେଖାଯାଏ। ଏସବୁ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ। ମୂତ୍ରରେ ପ୍ରୋଟିନ୍ ଓ ରକ୍ତ ଯିବା, ୟୁରିଆ କ୍ରିଏଟିନିନ ବଢ଼ିବା, ହେମଗ୍ଲୋବିନ କମିବା, ଅଲଟ୍ରାସାଉଣ୍ଡରେ କିଡ୍‌ନି ଛୋଟ ହୋଇଯିବା ଆଦିରୁ କିଡ୍‌ନି ସମସ୍ୟା ଜାଣିହୁଏ। ପ୍ରଥମରୁ ଚତୁର୍ଥ ପର୍ଯ୍ୟାୟ ମଧ୍ୟରେ ଔଷଧ ଦ୍ୱାରା କିଡ୍‌ନି ରୋଗର ଚିକିତ୍ସା କରାଯାଇଥିବା ବେଳେ ପଞ୍ଚମ ପର୍ଯ୍ୟାୟରେ ଡାଏଲିସିସ୍ ଏବଂ କିଡ୍‌ନି ପ୍ରତିରୋପଣ ଦ୍ୱାରା ଚିକିତ୍ସା କରାଯାଏ। ପ୍ରଥମରୁ ଚତୁର୍ଥ ପର୍ଯ୍ୟାୟ ମଧ୍ୟରେ ପ୍ରୋଟିନ୍ ଏବଂ ପୋଟାସିୟମମୁକ୍ତ ଖାଦ୍ୟ ନିୟନ୍ତ୍ରଣ, ଗୋଡ଼ ଫୁଲିଥିଲେ ପାଣି ଏବଂ ତରଳ ଖାଦ୍ୟ କମାଇବା, ରକ୍ତଚାପ ଏବଂ ଡାଇବେଟିସ୍‌ ନିୟନ୍ତ୍ରଣ, କ୍ୟାଲସିୟମ ଫସ୍‌ଫରସ ନିୟନ୍ତ୍ରଣରେ ରଖିବା, ରକ୍ତ କମିଥିଲେ ଆଇରନ ଟାବ୍‌ଲେଟ ସେବନ ଆବଶ୍ୟକ।

କିଡ୍‌ନି ରୋଗର ମୁଖ୍ୟ କାରଣ ହେଉଛି ମଧୁମେହ, ଉଚ୍ଚ ରକ୍ତଚାପ, କିଡ୍‌ନି ଷ୍ଟୋନ, କ୍ରନିକ ଇଣ୍ଟରଷ୍ଟିଆଲ ନେଫ୍ରାଇଟିସ୍ ଇତ୍ୟାଦି। ବଂଶଗତ କିଡ୍‌ନି ସମସ୍ୟା ମଧ୍ୟ ଅନ୍ୟତମ କାରଣ। ପଞ୍ଚମ ପର୍ଯ୍ୟାୟରେ ପହଞ୍ଚିଯାଇଥିବା ଅନେକ କିଡ୍‌ନି ରୋଗୀ ଡାଏଲିସିସ୍ କରିବାକୁ ରାଜି ହୁଅନ୍ତି ନାହିଁ। ତେବେ ଏହା ଏକ ଅତ୍ୟାବଶ୍ୟକ ଏବଂ କଷ୍ଟବିହୀନ ଚିକିତ୍ସା। ଏହାଦ୍ୱାରା ରୋଗୀ କିଛି ଅଧିକ ବର୍ଷ ସୁସ୍ଥ ଜୀବନଯାପନ କରିପାରିବେ। ଡାଏଲିସିସ୍ ରୋଗୀ କିଡ୍‌ନି ପ୍ରତିରୋପଣ କରିବାକୁ ଇଚ୍ଛା କଲେ ସମ୍ପର୍କୀୟମାନେ ଯଦି ସ୍ୱଇଚ୍ଛାରେ କିଡ୍‌ନି ଦାନ କରିବାକୁ ଆଗେଇ ଆସନ୍ତି ରୋଗୀଜଣଙ୍କ ସୁସ୍ଥ ରହିବା ସହ ଦାନ କରିଥିବା ବ୍ୟକ୍ତି ମଧ୍ୟ ଗୋଟିଏ କିଡ୍‌ନିରେ ସୁସ୍ଥ ଜୀବନ ବିତାଇ ପାରିବେ। ତେଣୁ କିଡ୍‌ନି ସମସ୍ୟାରେ ଭୟଭୀତ ନହୋଇ ଠିକ୍ ସମୟରେ ଚିକିତ୍ସା କରାନ୍ତୁ ଏବଂ ଦୀର୍ଘ ଜୀବନର ଅଧିକାରୀ ହୁଅନ୍ତୁ। ଏରିଥୋପ୍ରୋଏଟିନ୍ ଇଞ୍ଜେକ୍‌ସନ୍ ନେବା, ପେନ୍ କିଲର ଔଷଧରୁ ଦୂରରେ ରହିବା, ୟୁରିକ୍ ଏସିଡ୍‌ ବଢ଼ିଥିଲେ ଔଷଧ ଦ୍ୱାରା କମାଇବା ଆଦି ଆବଶ୍ୟକ। ଏହା ସହିତ ନିୟମିତ କିଡ୍‌ନି ପରୀକ୍ଷା ଏବଂ ଡାକ୍ତରଙ୍କ ପରାମର୍ଶ ଦ୍ୱାରା କିଡ୍‌ନି ସମସ୍ୟା ଥିଲେ ବି ଜଣେ ସୁସ୍ଥ ରହିପାରିବେ। ପ୍ରାଥମିକ ସ୍ତରରୁ ଚିକିତ୍ସା କଲେ କିଡ୍‌ନି ରୋଗ ଆରୋଗ୍ୟସାଧ୍ୟ। ଏ ଦିଗରେ ରୋଗୀଙ୍କୁ ଉତ୍ସାହ ଯୋଗାଇବା ଲାଗି ପରିଜନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।

ଡା. ବିବେକାନନ୍ଦ ପଣ୍ଡା
ବରିଷ୍ଠ କିଡ୍‌ନି ଏବଂ ଟ୍ରାନ୍ସପ୍ରାଣ୍ଟ ବିଶେଷଜ୍ଞ
ଆପୋଲୋ ହସ୍‌ପିଟାଲ, ଭୁବନେଶ୍ୱର

ସମ୍ବନ୍ଧିତ ଖବର