ଭୁବନେଶ୍ବର : ଗତ କିଛି ଦିନ ପୂର୍ବେ ଷଣ୍ଢ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ସହ କ୍ରମାଗତ ଭାବରେ ୧୦ରୁ ୧୫ଜଣ ଆହତ ହେବା ଖବର ବିଭିନ୍ନମହଲ ପାଇଁ ଚିନ୍ତାର କାରଣ ହୋଇଥିଲା। ଏହା ପରେ ଭୁବନେଶ୍ବର ଷଣ୍ଢଙ୍କୁ ବାହାରେ ଛାଡ଼ିବା ପାଇଁ ବିଏମ୍ସି ଯୋଜନା କରିଛି। ତେବେ ଯୋଜନା ପୂରା ଭାବେ କାର୍ଯ୍ୟକାରୀ ହେବା ପୂର୍ବରୁ ଆଜି ପୁଣି ଥରେ ଷଣ୍ଢ ଉତ୍ପାତ କରିଛି। ଆଜି ସକାଳେ ଖଣ୍ଡଗିରି ଛକରେ ଏପରି ଏକ ଅଘଟଣ ଘଟିଛି। ଷଣ୍ଢ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବାରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ସେ ହେଉଛନ୍ତି ଜାଗମରାର ସହଦେବ ବାଘ। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆମ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ମେରୁଦଣ୍ଡ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଷଣ୍ଢ ଆକ୍ରମଣ ଦେଖି ସେଠାରେ ଥିବା ଅନ୍ୟମାନେ ଜୀବନ ବିକଳରେ ଦଉଡ଼ିବାରୁ ଏଣେ ତେଣେ ପଡ଼ି ୩ ଜଣ ବି ଆହତ ହୋଇଛନ୍ତି।
ସୂଚନା ମୁତାବକ, ସହଦେବଙ୍କ ବୟସ ପ୍ରାୟ ୬୮ ବର୍ଷ ହେବ। ସେ ଆଜି ସକାଳେ ପ୍ରାତଃଭ୍ରମଣ ସାରି ଜାଗମରାସ୍ଥିତ ଘରକୁ ଫେରୁଥିଲେ। ଖଣ୍ଡଗିରି ଛକରେ ରାସ୍ତା ଅତିକ୍ରମ କରିବା ପାଇଁ ସେ ଅପେକ୍ଷା କରିଥିଲେ। ଏତିକି ବେଳେ ଖଣ୍ଡଗିରି-ଚନ୍ଦକା ରାସ୍ତା ପଟୁ ଦୁଇଟି ଷଣ୍ଢ ଧସେଇ ପଶିଥିଲେ। ଗୋଟିଏ ଷଣ୍ଢ ଟ୍ରାଫିକ୍ ଅତିକ୍ରମ କରି ପଳାଇଥିବା ବେଳେ ଅନ୍ୟଟି ଅଟକି ଯାଇଥିଲା। ପ୍ରଥମେ ସହଦେବଙ୍କୁ ଶିଙ୍ଘରେ ଟେକି ଫିଙ୍ଗି ଦେଇଥିଲା। ସହଦେବ ପ୍ରାୟ ୬ ଫୁଟ ଦୂରରେ ପଡ଼ିଥିବା ବେଳେ ଷଣ୍ଢ ଅନ୍ୟମାନଙ୍କୁ ଆକ୍ରମଣ କରିବ ବୋଲି ମାଡ଼ି ଯାଇଥିଲା। ଅନ୍ୟମାନେ ଗାଡ଼ି ଛାଡ଼ି ଦଉଡ଼ିଥିଲେ। ଦଉଡ଼ିବା ବେଳେ ପଡ଼ି ଆହତ ହୋଇଥିଲେ। କିଛି ଲୋକ ଷଣ୍ଢକୁ ପିଟିବାରୁ ଷଣ୍ଢ ଚାଲି ଯାଇଥିଲା। ବୁଲା ଷଣ୍ଢଙ୍କ ଦ୍ବାରା କ୍ରମାଗତ ଭାବରେ ଏଭଳି ଧନଜୀବନ ବିପନ୍ନ ହେଉଥିବାରୁ ଚିନ୍ତା ବଢ଼ିଛି।