ବିବାଦୀୟ ଜମିରେ ବୁଲିଲା ଖଣ୍ଡା, ଜଣେ ଆହତ, ୩ ଅଟକ

ଖଣ୍ଡା ଓ ଠେଙ୍ଗା ଜବତ

ଧଉଳି : ଧଉଳି ଥାନା ଅଧୀନ ଲିଙ୍ଗିପୁର ମୌଜାରେ ଏକ ବିବାଦୀୟ ଜମିରେ ବାଲି ପୋତିବାକୁ କେନ୍ଦ୍ରକରି ରବିବାର ପୂର୍ବାହ୍ନରେ ଗଣ୍ଡଗୋଳ ହୋଇଛି। ଗୋଟିଏ ପକ୍ଷର ଦୁଇ ଭାଇ ଏବଂ ତାଙ୍କର ସହଯୋଗୀଙ୍କ ଆକ୍ରମଣରେ ଅନ୍ୟପକ୍ଷର ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ଧଉଳି ଥାନା ଅଧୀନ ଲିଙ୍ଗିପୁର ଗ୍ରାମର ଲିଙ୍ଗରାଜ ବେହେରା (୧୯)। ଗଣ୍ଡଗୋଳ ସଂପର୍କରେ ଲିଙ୍ଗରାଜ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲିଙ୍ଗରାଜଙ୍କ ହାତ ଓ କହୁଣିରେ ସାମାନ୍ୟ ଆହତ ଲଗିଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଧଉଳି ଥାନା ପିସିଆର ପୁଲିସ ପହଞ୍ଚିଯିବାରୁ ଲିଙ୍ଗରାଜ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଏହି ଗଣ୍ଡଗୋଳ ଘଟଣାରେ ପୁଲିସ ଅଭିଯୁକ୍ତ ଦୁଇଭାଇଙ୍କୁ ଥାନାକୁ ନେଇ ଅଟକ ରଖିଥିଲା‌। ସ୍ଥାନୀୟ ଭଦ୍ରଲୋକଙ୍କ ଉପସ୍ଥିତିରେ ଘଟଣାର ଆପୋସ ସମାଧନ ହେବା ପରେ ପୁଲିସ ଅଭିଯୁକ୍ତ ପକ୍ଷଙ୍କୁ ଥାନାରୁ ଛାଡ଼ି ଦେଇଥିବା ଜଣେ ପୁଲିସ ଅଧିକାରୀ ଜଣାଇଛନ୍ତି।

ସୂଚନା ମୁତାବକ ଲିଙ୍ଗିପୁର ମୌଜା ଜାତୀୟ ରାଜପଥ ପାର୍ଶ୍ବରେ ଉଭୟ ପକ୍ଷଙ୍କ ଦୁଇଟି ପ୍ଲଟ ରହିଛି। ରବିବାର ଗୋଟିଏ ପକ୍ଷର ଜମି ମାଲିକ ସ୍ଥାନୀୟ ଲିଙ୍ଗିପୁର ଗ୍ରାମର ଲିଙ୍ଗରାଜଙ୍କ ସହାୟତାରେ ଉକ୍ତ ପ୍ଲଟରେ ବାଲି ଫିଲିଂ କରାଉଥିଲେ। ଏହା ଜାଣିବା‌ ପରେ ପାଖ ପ୍ଲଟର ଦୁଇ ଭାଇ ତାଙ୍କ ସହଯୋଗୀଙ୍କ ସହ ସେଠାରେ ପହଞ୍ଚି ବାଲି ପୋତିବା ବନ୍ଦ କରିବା ପାଇଁ ଲିଙ୍ଗରାଜଙ୍କୁ କହିଥିଲେ। ମାତ୍ର ଲିଙ୍ଗରାଜ ତାଙ୍କ କଥା ନଶୁଣିବାରୁ ଏହାକୁ କେନ୍ଦ୍ର କରି ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଅଭିଯୁକ୍ତ ଗୋଷ୍ଠୀ ଲିଙ୍ଗରାଜଙ୍କୁ ମାଡ଼ ମାରିବା ସହ ଖଣ୍ଡା ବୁଲାଇ ଆକ୍ରମଣ କରିଥିବା ଏତଲାରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର