ବରମୁଣ୍ଡା ଓଭରବ୍ରିଜ୍‌ରେ ଟ୍ରେଲରକୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ୍‌, ଜଣେ ମୃତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଫାୟାର ଷ୍ଟେସନ ଛକ ନିକଟସ୍ଥ ଓଭରବ୍ରିଜରେ ଆଜି ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚାପି ହୋଇଯାଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥର ଫାୟାର ଷ୍ଟେସନ ଛକ ନିକଟସ୍ଥ ଓଭରବ୍ରିଜରେ ଏକ ଟ୍ରେଲର ଖରାପ ହୋଇ ଛିଡ଼ା ହୋଇଥିଲା। ଅପରାହ୍‌ଣ ସମୟରେ ବରମୁଣ୍ଡା ପାର୍ଶ୍ୱରୁ ବାଣୀବିହାର ଅଭିମୁଖେ ଲୁହା ଇଲେକ୍ଟ୍ରିକ୍ ପୋଲ୍ ନେଇ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ ଭାରସାମ୍ୟ ହରାଇ ଟ୍ରେଲରକୁ ଧକ୍କା ଦେଇଥିଲା। ଏଥିରେ ଟ୍ରକ ଚାଳକଙ୍କର ମୃତ୍ୟୁ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଟ୍ରକଚାଳକ ଜଣକ ଚାପି ହୋଇ ରହିଯାଇଥିଲେ ଏବଂ ଦୁର୍ଘଟଣାର କିଛି ସମୟ ପର୍ଯ୍ୟନ୍ତ ଜୀବିତ ଥିଲେ। ଏହାପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।  ସେହିପରି  ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ସୂଚନା ପାଇ ପୁଲିସ ଗୁରୁତର ଚାଳକଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରିଛି। ରିପୋର୍ଟ ଲେଖାଯିବା ବେଳକୁ ଓଡ୍ରାଫ ଟିମ ଘଟଣାସ୍ଥଳକୁ ପହଂଚିଛନ୍ତି। ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରୁ ଲୁହା ପୋଲଗୁଡ଼ିକ ବାହାର କରାଯାଉଛି।

ସମ୍ବନ୍ଧିତ ଖବର