ଫନିକୁ ପୂରିଲା ମାସେ, କ୍ଷତ ଭରିନି

ଭୁବନେଶ୍ବର : ମେ ୩, ୨୦୧୯ରେ ଆସିଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନି’କୁ ମାସେ ପୂରିଛି। ଘଣ୍ଟା ପ୍ରତି ବହିଥିବା ପ୍ରାୟ ୨୦୦କିମି ବେଗର ପବନରେ କ୍ଷତବିକ୍ଷତ ହୋଇଯାଇଥିବା ରାଜଧାନୀର କ୍ଷତ କିନ୍ତୁ ଆଜି ବି ପୂରା ଭରିନି। ଏବେ ବି ବହୁ ଖୁଣ୍ଟା ଗଛ ଆକାଶକୁ ଚାହିଁଛି। ଖୋଲା ଆକାଶ ତଳେ ହଜାର ହଜାର ଲୋକ ଖରା ବର୍ଷା ଖାଇ ରାତି କଟାଉଛନ୍ତି। ଘର ସଜାଡ଼ିବାକୁ ପାଖରେ ସମ୍ବଳ ନାହିଁ କିନ୍ତୁ ଆଶା ଅଛି ଘରଟିଏ କରିବେ। ବହୁ ଅଞ୍ଚଳରେ ଲାଇନ୍ ଘଡ଼ିଏ ରହିଲେ ଘଡ଼ିଏ ରହୁନି। ଭାଙ୍ଗି ଯାଇଥିବା ସ୍କୁଲ, କଲେଜର ପା‌ଚେରି ଏବେ ବି ସେମିତି ପଡ଼ିଛି, ବହୁ ସ୍କୁଲ ଘର ଏବେ ବି ସ୍ବାଭାବିକ ହୋଇନି। ସ୍କୁଲ ପଡ଼ିଆରେ ଆବର୍ଜନାର ପାହାଡ଼ ଛିଡ଼ା ହୋଇଛି। କିନ୍ତୁ ଏହାରି ଭିତରେ ବି ବହୁ ପରିବାର ଘର ନଥିବାରୁ ସ୍କୁଲ ଘରେ ମୁଣ୍ଡ ଗୁଞ୍ଜିଛନ୍ତି।

ହକି ବିଶ୍ବକପ୍‌ ପୂର୍ବରୁ ନବବଧୂ ଭଳି ସଜେଇ ହୋଇଥିବା ରାଜଧାନୀର ସୌନ୍ଦର୍ଯ୍ୟ ବାତ୍ୟାରେ ନଷ୍ଟ ହୋଇଯାଇଛି। କିନ୍ତୁ ପୂର୍ବ ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ ଏବେ ବି ମେକଅପ୍ ଦେବା ବାକି ଅଛି। କ୍ଷତ ଭରିନଥିବା ରାଜଧାନୀର ପୂର୍ବ ‌ସୌନ୍ଦର୍ଯ୍ୟ, ସବୁଜିମା କେବେ ଫେରିବ ତାହାକୁ ଏବେ ସମସ୍ତଙ୍କର ଅପେକ୍ଷା।

ଘାରୁଛି ଜୀବିକା ଚିନ୍ତା

ଫନି ବାତ୍ୟାକୁ ମାସେ ପୂରିବାକୁ ଯାଉଛି। ହେଲେ ଅବସ୍ଥା ସୁଧୁରିନି। ପବନ ବୋହିଲେ ଛାତି ଥରୁଛି। ମେଘ ଘୋଡ଼େଇଲେ ଡର ମାଡ଼ୁଛି। ୩୦ ଦିନ ପରେ ବି କ୍ଷତ ଜଳଜଳ ଦିଶୁଛି। ରସୁଲଗଡ଼, ମଞ୍ଚେଶ୍ବର, ବାଣୀବିହାର ଅଞ୍ଚଳରେ ଥିବା ପାଖାପାଖି ୧୨ଟି ବସ୍ତିରେ ଏଭଳି ଚିତ୍ର ପରିଲକ୍ଷିତ ହୋଇଛି। ପକ୍କା ଘର ତଥା ସରକାରୀ କ୍ବାର୍ଟର୍ସରେ ଜୀବନ ସ୍ବାଭାବିକ ହୋଇଥିବା ବେଳେ ବସ୍ତିରେ ରାଜୁତି କରୁଛି ଦୁର୍ଦ୍ଦଶା। ସର୍ଭେ ପରେ ଘର ଭଙ୍ଗା ସାହାଯ୍ୟ ମିଳିବ ବୋଲି ଘୋଷଣା ହୋଇଛି। ଏଣୁ ସର୍ଭେ ଅଧିକାରୀଙ୍କୁ ଭଙ୍ଗା ଘର ଅନାଇ ରହିଛି। ଆଉ କେଉଁଠି ଏହି ମାସେ ଭିତରେ ରାସ୍ତା ସଫା ହୋଇଛି, ବିଜୁଳି ଫେରିଛି, ପାଣି ବି ଆସିଛି, ଜୀବନ କୌଣସି ପ୍ରକାରରେ ବଞ୍ଚି ଯାଇଛି। ହେଲେ ଜୀବିକା ନାହିଁ। ଦିନମଜୁରିଆଟିଏ ନିଜ ଘର ତୋଳୁ ତୋଳୁ ମୂଲ ଲାଗିବାକୁ ବେଳ ପାଇନି। ଘରେ ବିଜୁଳି ପହଞ୍ଚିଥିଲେ ମଧ୍ୟ ରାସ୍ତାରେ ଆଲୁଅ ନାହିଁ। ରାସ୍ତାରୁ ଗଛ ହଟିଥିଲେ ମଧ୍ୟ ବାଡ଼ିରୁ ହଟିନି। ସରକାର କହିଛନ୍ତି ଯାହାର ଆଧାର କାର୍ଡ ନାହିଁ ତାକୁ ବି ମିଳିବ ରିଲିଫ୍‌। ମାସେ ପରେ ବି ତାହା ସ୍ବପ୍ନ ହୋଇ ରହିଛି। ଭୋଟ୍‌ ବେଳେ କାଉନସିଲର ପ୍ରାର୍ଥୀ କେତେ ନେହୁରା ହେଉଥିଲା ହେଲେ ତାର ଏବେ ଦେଖା ନାଇଁ। ଅନେକ ବସ୍ତି ବାସିନ୍ଦା ଗୋ’ପାଳନରେ ଗୁଜୁରାଣ ମେଣ୍ଟାଉଥିବା ବେଳେ ଆଜି ସୁଦ୍ଧା ଏମାନଙ୍କ ପାଇଁ ଖାଦ୍ୟ ମିଳି ନାହିଁ। ସର୍ଭେ ତ ପରର କଥା, ଏମାନଙ୍କ ସ୍ବାସ୍ଥ୍ୟ କଥା ବା ବାତ୍ୟା ପରର ରୋଗର କଥା ମଧ୍ୟ କେହି ବୁଝିବା ପାଇଁ ପହଞ୍ଚି ନାହାନ୍ତି ପାଖ‌ରେ। କେବେ ସର୍ଭେ ହେବ ତାହା ମଧ୍ୟ କାହା ପାଖରେ ଖବର ନାହିଁ।

ରସୁଲଗଡ଼, ଭିଏସ୍‌ଏସ୍‌ ନଗର, ମଞ୍ଚେଶ୍ବର, ଚକେଇସିଆଣୀ ପ୍ରଭୃତି ଅଞ୍ଚଳରେ ରହିଛି ୧୨ରୁ ଊର୍ଦ୍ଧ୍ବ ବସ୍ତି। ପ୍ରଭାବିତ ହୋଇଥିବା ବସ୍ତିଗୁଡ଼ିକ ମଧ୍ୟରେ ରହିଛି ପଥରବନ୍ଧ, ତ୍ରିନାଥ, ତାରିଣୀ, ଗୋଜବାୟାଣୀ, ଧିରିକୁଟି, ଝରଣା, ପୁରୁଷୋତ୍ତମ, ଜଗନ୍ନାଥ, ଶ୍ରୀରାମ ନଗର ବସ୍ତି। ଅଧିକାଂଶ ଘର ଆଜ୍‌ବେଷ୍ଟସ ହୋଇଥିବାରୁ ସମସ୍ତ ଘର ପ୍ରଭାବିତ ହୋଇଛି। ଛାତ ଉଡ଼ିଯିବାରୁ ଘରେ ପାଣି ପଶି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନଷ୍ଟ ହୋଇଛି। ତା’ସହ ଚାଉଳ ଧାନ, ଗହମ ମଧ୍ୟ ପାଣି ପଶିବା ପରେ ବ୍ୟବହାର ଉପଯୋଗୀ ରହିନାହିଁ। ତେବେ ବାତ୍ୟା ପରେ ପରେ ସରକାରୀ ସହ କେତେକ ଜାଗାରେ ଘରୋଇ ରିଲିଫ୍ ପହଞ୍ଚିଛି। ହେଲେ ଥରେ ଘର ଭାଙ୍ଗି ଯିବା ପରେ ପୁଣି ଥରେ ଅଣ୍ଟା ସଳଖିବାକୁ ଏହି ବସ୍ତିବାସିନ୍ଦାଙ୍କୁ କାଠିକର ପାଠ ହେଉଛି। ସର୍ଭେ ହେଉନଥିବାରୁ କେତେକ ଚାହି ମଧ୍ୟ ଘର ତିଆରି କରି ପାରୁନାହାନ୍ତି। ବସ୍ତିର ଅର୍ଦ୍ଧାଧିକ ବାସିନ୍ଦା ସ୍ବାମୀ ଓ ସ୍ତ୍ରୀ ଉଭୟ ଦିନ ମଜୁରିଆ ହୋଇଥିବାରୁ କେତେବେଳେ ସର୍ଭେ ହେବ ସେଥିପାଇଁ ଜଣେ ମଜୁରି ଲାଗିଲେ ଜଣେ ଜଗି ରହୁଛି।

ପାଲ ଅଣ୍ଟୁନି: ଭଙ୍ଗା ଘର ପାଇଁ ସରକାର ଯୋଗାଉଛନ୍ତି ପାଲ। ଖରା ଓ ବର୍ଷାରୁ ତତ୍କାଳ ମୁକ୍ତି ପାଇଁ ମିଳୁଥିବା ଏହି ପାଲ କେଉଁ ଆଡ଼କୁ ପାଉନି। ସର୍ବନିମ୍ନ ୧୦ଫୁଟରେ ୧୦ଫୁଟ ଘରକୁ ୫ ଫୁଟର ପାଲ ଗରିବଙ୍କ ପାଇଁ ଉପହାସ ସଦୃଶ ହୋଇଛି। ଲୋକଙ୍କୁ ମିଳୁନଥିବା ବେଳେ ଗୁହାଳ କଥା କିଏ ପଚାରୁଛି! ଗୁହାଳରେ ଗାଈଗୋରୁ ଖୋଲା ମେଲାରେ ପଡ଼ିଛନ୍ତି ବୋଲି କହିଛନ୍ତି ପଥରବନ୍ଧ ବସ୍ତିର ସର୍ବେଶ୍ବର ବିଶ୍ବାଳ। ଆଜ୍‌ବେଷ୍ଟସ ଉଡ଼ିଗଲା ପରେ କେହି କେହି ଚାଳ ଛପର କରି ଗାଈ‌‌ଗୋାରୁଙ୍କୁ ରଖିଛନ୍ତି।

‌ବଞ୍ଚାଇଦେଲା ଗଛ!: ହରି କୁମ୍ଭାର। ଘର କୋରାପୁଟ। ୪୦ ବର୍ଷ ହେଲା ଭୁବନେଶ୍ବରରେ ପଲା ମାରି ରହୁଛନ୍ତି। ବୟସ ୮୯। ପତ୍ନୀ ଆଜନ୍ମ ଦୃଷ୍ଟିଶକ୍ତିବାଧିତ। ଭିକ୍ଷା ବୃତ୍ତି କଲେ ଚଳେ ଦୁଇ ପ୍ରାଣୀ କୁଟୁମ୍ବ। ବିଭିନ୍ନ ଜାଗାରେ ପଲା ମାରି ରହିବା ପରେ ବାତ୍ୟା ସମୟରେ ସେମା‌ନେ ପୋଷ୍ଟାଲ୍‌ ‌କଲୋନି ନିକଟରେ ରହୁଥିଲେ। ବାତ୍ୟା କଥା ସେମାନେ ଜାଣି ନଥିଲେ। ପଲା ଉଡ଼ି ଯିବା ପରେ ଜାଣିଲେ ବର୍ଷା ପବନ। ପାଖରେ ଥିବା ଗଛ ବି ଚାହୁ ଚାହୁ ଉପୁଡ଼ି ପଡ଼ିଲା। ପଲାରୁ ଏକ ପାଲ ଭିଡ଼ି ଆଣି ବିରାଟ ଗଛ ତଳେ ଉଭୟ ବସିଗଲେ। ଯେମିତି ହେଉ ଜୀବନ ବଞ୍ଚିଗଲା ଗଛମୂଳେ। ସ୍ଥାନୀୟ ବଜାର କମିଟି ଦଳ ଦୟା କରି ତାଙ୍କ ପଲା ଛିଡ଼ା କଲେ। ଭିକ୍ଷାବୃତ୍ତି କରି ଏକ ମାଠିଆରେ ରଖିଥିବା ରେଜା ଗଣିବା ପରେ ୩୨ ହଜାର ଟଙ୍କା ‌ହୋଇଛି। ଏହି ଟଙ୍କାରେ ୨ ହଜାର ଖର୍ଚ୍ଚ ହୋଇ ପଲା ମରାମତି ହୋଇଛି। ହେଲେ କବାଟ ନାହିଁ କି ଆଲୁଅ ନାହିଁ। ଆଧାର କାର୍ଡ ନଥିବାରୁ ସାହାଯ୍ୟ ମିଳୁନି।

ସମ୍ବନ୍ଧିତ ଖବର