କମି ଚାଲିଛି କୋଭିଡ ନମୁନା ସଂଗ୍ରହ: ୧୪ କ୍ୟାମ୍ପ୍ ବଦଳରେ ଏବେ ଚାଲିଛି ୩, ଆପୋଲୋ ହସ୍ପିଟାଲର ଆଉ ଜଣେ କର୍ମଚାରୀ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଏବେ କମ୍ ସଂଖ୍ୟାରେ କୋଭିଡ ନମୁନା ପରୀକ୍ଷା ହେଉଛି। ତାହାର ଉଦାହରଣ ରାଜଧାନୀରେ ଦେଖିବାକୁ ମିଳିଛି। ପୂର୍ବରୁ ରାଜଧାନୀରେ ୧୪ଟି କ୍ୟାମ୍ପ୍‌ରେ ସ୍ବାବ୍ ସଂଗ୍ରହ ହେଉଥିବା ବେଳେ ଏବେ ମାତ୍ର ୩ଟି କ୍ୟାମ୍ପ୍‌ରେ ନମୁନା ସଂଗ୍ରହ ହେଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଆଇସିଏମ୍‌ଆର ନିର୍ଦେଶାବଳୀକୁ ଅନୁକରଣ କରାଯାଉଥିବା ସଫେଇ ଦିଆଯାଉଛି।

ରାଜଧାନୀରେ ଜୋରଦାର ନମୁନା ପରୀକ୍ଷା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ କ୍ୟାମ୍ପ୍‌ ଜରିଆରେ ନମୁନା ସଂଗ୍ରହ ଆରମ୍ଭ ହୋଇଥିଲା। ଗୋଟିଏ ଗୋଟିଏ କ୍ୟାମ୍ପ୍‌ରେ ୬ଜଣ ଲେଖାଏ ଲାବୋରେଟାରି ଟେକ୍‌ନିସିଆନ୍‌ (ଏଲ୍‌ଟି) ରହି ଲୋକଙ୍କ ସ୍ବାବ୍ ସଂଗ୍ରହ କରୁଥିଲେ। ଏହାବାଦ୍ କ୍ୟାପିଟାଲ ହସ୍ପିଟାଲରେ ଏକ ଅସ୍ଥାୟୀ କ୍ୟାମ୍ପ୍‌ରେ ମଧ୍ୟ ନମୁନା ସଂଗ୍ରହ ହେଉଛି। ଯାହାଫଳରେ ରାଜଧାନୀରେ ଦିନକୁ ପ୍ରାୟ ୧ହଜାର ନମୁନା ସଂଗ୍ରହ କରାଯାଉଥିଲା। ମାତ୍ର ଗତ କିଛିଦିନ ଏହା ଯଥେଷ୍ଟ କମି ଆସିଛି। ଏବେ ଗୋଟିଏ କ୍ୟାମ୍ପ୍‌ରେ ୩ଜଣ ଲେଖାଏ ଏଲ୍‌ଟି ରହୁଛନ୍ତି। ତେଣୁ କ୍ୟାପିଟାଲ ହସ୍ପିଟାଲ ସମେତ ଏହି ୪ଟି ସ୍ଥାନରୁ ସଂଗୃହୀତ ନମୁନାକୁ ମିଶାଇଲେ ପୂର୍ବରୁ ସଂଗ୍ରହ ହେଉଥିବା ନମୁନାଠାରୁ ଯଥେଷ୍ଟ କମ୍। ଗତ କିଛିଦିନ ହେବ ରାଜଧାନୀରେ ପଜିଟିଭ୍‌ଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଅନେକ ସ୍ଥାନୀୟ ସଂକ୍ରମିତ ମଧ୍ୟ ଚିହ୍ନଟ ହେଉଛନ୍ତି। ରାଜଧାନୀରେ ଏବେ ୧୦୧ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ଆଜି ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତହିଁରୁ ଜଣେ ଆପୋଲୋ ହସ୍ପିଟାଲର ୨୫ବର୍ଷର ଜଣେ ଯୁବକ ଅଛନ୍ତି। ତାଙ୍କର ଜଣେ ନିକଟତମ ସଂପର୍କୀୟ କିଛିଦିନ ପୂର୍ବରୁ ସୁରତରୁ ଫେରିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଅନ୍ୟଜଣେ ନୂଆପଲ୍ଲୀ ଅଞ୍ଚଳର ୬୭ବର୍ଷର ଜଣେ ବୃଦ୍ଧ ଚିହ୍ନଟ ହୋଇଛନ୍ତି। ସେ ସଙ୍ଗରୋଧରେ ରହିଥିଲେ। ଆଜି ରାଜଧାନୀର ଜଣେ କରୋନା ରୋଗୀ ସୁସ୍ଥ ହେବା ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି। ଏବେ ୪୨ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର