ଭାରତରେ ‘‌ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ନୀତି ଆପଣାଯିବା ଉଚିତ। ଲୋକସଭା ସହ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେଲେ ନିର୍ବାଚନରେ ସ୍ବଚ୍ଛତା ଆସିପାରିବ। ନିର୍ବାଚନ ପରିଚାଳନା ଜନିତ ଖର୍ଚ୍ଚ ବି କମ୍‌ ହେବ ଓ ଲୋକ ବି ହଇରାଣ ହେବେ ନାହିଁ। ଚଳିତଥରର ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ଏକସଙ୍ଗେ ଲୋକସଭା ଓ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ ହେବା ଉଚିତ’ ଭାଗ ନେଇଥିବା ଅଧିକାଂଶ ପାଠକ ଏପରି ମତ ଦେଇଛନ୍ତି।

Advertisment

ଏକ ସମୟରେ ରାଜ୍ୟସଭା ଓ ଲୋକସଭା ନିର୍ବାଚନ ହେଲେ ନିର୍ବାଚନୀ ଶୃଙ୍ଖଳା ବଜାୟ ରହିବା ସହ ଦେଶର ଦେଖା‌ଦେଉଥିବା ଅଶାନ୍ତି, ଅରାଜକତା ଭଳି ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ। ନିର୍ବାଚନୀ ଖର୍ଚ୍ଚ ମଧ୍ୟ କମ୍‌ ହେବ। ଫଳରେ ଏଭଳି ବାଟରେ ରାଜସ୍ବ ଖର୍ଚ୍ଚ ନ ହୋଇ ଜନହିତକର କାର୍ଯ୍ୟରେ ଲାଗିପାରିବ। ଏହା ଉପରେ ନିର୍ବାଚନ କମିସନ୍‌ ଏବଂ କେନ୍ଦ୍ର ସରକାର ଆଲୋଚନା କରିବା ଆବଶ୍ୟକ।
-ଦେବାଶିଷ ସାହୁ, ଭୁବନେଶ୍ବର
-ଶ୍ରୀବତ୍ସ ମହାନ୍ତି, ଯାଁଳା
-ବାସୁଦେବ ନାୟକ, ବରମୁଣ୍ଡା

ଦେଶର ଅନୁଷ୍ଠିତ ହେଉଥିବା ପ୍ରତିଟି ନିର୍ବାଚନ ପର୍ଯ୍ୟାୟକ୍ରମେ ହେବା ଭଲ। ଏମିତି ହେଲେ ନେତାମାନେ ଲୋକମାନଙ୍କ ସହ ଜଡ଼ିତ ହୋଇ ରହିବେ। ଯଦି ଥରକେ ଦୁଇଟି ନିର୍ବାଚନ ହୋଇଯାଏ, ତେବେ ଜନତାଙ୍କ ପାଖରୁ ଭୋଟ୍‌ ହାତେଇଲା ପରେ ନେତାମାନେ ସେମାନଙ୍କୁ ଭୁଲି ଯିବେ।
- ଦିଲ୍ଲୀପ ଦାଶଶର୍ମା, ଭିଏସ୍‌ଏସ୍‌ ନଗର

ନିର୍ବାଚନ ଗୋଟେ ପର୍ବ ଭଳି ବର୍ଷତମାମ ଚା‌ଲିଛି। ଫଳରେ ମାନବ ସମ୍ବଳ ଏବଂ ଅର୍ଥର ଦୁରୁପଯୋଗ ହେଉଛି। ତେଣୁ ପାଞ୍ଚ ବର୍ଷକୁ ଥରେ ନିର୍ବାଚନ ପ୍ରକ୍ରିୟା ହେଲେ ଗଣତନ୍ତ୍ର ଏବଂ ଅର୍ଥନୀତି ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।
-ଶ୍ରୀବାସ ମହାନ୍ତି, ଟଙ୍କପାଣି ରୋଡ୍‌

ବାରମ୍ବାର ନିର୍ବାଚନ ହେବା ଦ୍ବାରା ସାଧାରଣ ଲୋକ କ୍ଷତିରେ ପଡ଼ୁଛନ୍ତି। ସ୍କୁଲ୍‌, କ‌ଲେଜ ବନ୍ଦ ହେଉଛି। ଶିକ୍ଷକ, ଶିକ୍ଷୟତ୍ରୀମାନେ ନିର୍ବାଚନ କାର୍ଯ୍ୟ ପରିଚାଳନା କରୁଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ବ୍ୟାହାତ ହେଉଛି। ସେ ଦୃଷ୍ଟିରୁ ସମସ୍ତ ନିର୍ବାଚନ ଗୋଟିଏ ସମୟ‌ରେ ହେଲେ ଏସବୁ ଅସୁବିଧା ଦେଖାଯିବନି।
-ନୀଳମଣି ମିଶ୍ର, ସୁନ୍ଦରପଦା
-ଜଗମୋହନ ପଟ୍ଟନାୟକ, ଭୁବନେଶ୍ବର

ନିର୍ବାଚନ ପ୍ରକ୍ରିୟା ଦୁଇ ତିନି ବର୍ଷ ଅନ୍ତରରେ ହେବା ଯୋଗୁଁ ଗଣତନ୍ତ୍ର ମୂଲ୍ୟବୋଧ ନଷ୍ଟ ହେବା ସହ ଗୁରୁତ୍ବହୀନ ହୋଇଯାଉଛି। ସେ ଦୃଷ୍ଟିରୁ ଏହାକୁ ଏକା ସାଙ୍ଗରେ କରି ପାଞ୍ଚ ବର୍ଷ ଅନ୍ତରର ବ୍ୟବସ୍ଥା କରାଗଲେ, ଆର୍ଥିକ, ସାମାଜିକ ସମସ୍ତ ଦିଗରୁ ଭଲ ହେବ।
-ଆଶୁତୋଷ ପଣ୍ଡା, ପୁରୀ

ପ୍ରତ୍ୟେକ ନିର୍ବାଚନ ସମୟରେ ଏବେ ବ୍ୟାପକ ହିଂସା ଦେଖାଯାଉଛି। ‌ସେ ଦୃଷ୍ଟିରୁ ଏକା ସାଙ୍ଗରେ ରାଜ୍ୟସଭା ଓ ଲୋକସଭା ନିର୍ବାଚନ ହେଲେ ବ୍ୟାପକ ହିଂସା ଏବଂ ଧନଜୀବନ କ୍ଷୟକ୍ଷତିକୁ ରୋକା ଯାଇପାରିବ।
-ପୂଜା ଗୌଡ଼, ଚକେଇସିହାଣୀ

ନିର୍ବାଚନ ଏକାସାଙ୍ଗରେ କେବେ‌ ହେଲେ ହୋଇପାରିବ ନାହିଁ। କାରଣ ଦେଶରେ ସ୍ଥିର ସରକାର ନାହିଁ। ସବୁବେଳେ ରାଜନୈତିକ ଅସ୍ଥିରତା ପରିଲକ୍ଷିତ ହେଉଛି। ସବୁ ଆଞ୍ଚଳିକ ଦଳ ଏବଂ କେନ୍ଦ୍ରୀୟ ଦଳ ନିଜ ନିଜର ସ୍ବାର୍ଥସାଧନ ପାଇଁ ନିର୍ବାଚନ ପ୍ରକ୍ରିୟାକୁ ଗୋଳିଆ କରୁଛନ୍ତି। ଯଦି ସମସ୍ତେ ଏକଜୁଟ୍‌ ହୋଇ ଏହାକୁ ସଂଶୋଧନ କରି ଗୋଟିଏ ସମୟରେ କରିବାକୁ ଚେଷ୍ଟା କରିବେ ତେବେ ରାଷ୍ଟ୍ରର ମଙ୍ଗଳ ହେବ।
-ଅରୁଣ ଦାସ, ସତ୍ୟବିହାର

ଦେଶର ମଙ୍ଗଳ ପାଇଁ ଏକା ସାଙ୍ଗରେ ନିର୍ବାଚନ ହେବା ଜରୁରୀ। ଏପରି ହେଲେ ଦୁର୍ନୀତିଗ୍ରସ୍ତ ନେତାମାନେ ଲୋକଙ୍କୁ ପ୍ରଲୋଭିତ କରିବାର ଆଶଙ୍କା କମିବ ଏବଂ ସରକାରଙ୍କ ସମୟ ଏବଂ ଅର୍ଥ ବ୍ୟୟରେ ମଧ୍ୟ ହ୍ରାସ ଘଟିବ।
-କାବୁ ମିଶ୍ର, ଗୌତମ ନଗର
-ଡା. ଦୀନନାଥ ଦାସ, ଲକ୍ଷ୍ମୀସାଗର

ଏକା ସାଙ୍ଗରେ ନିର୍ବାଚନ କରିବା ପାଇଁ ସରକାରଙ୍କ ପାଖରେ ମାନବ ସମ୍ବଳ ନାହିଁ। ଏହାସହ ‌ଲୋକପ୍ରିୟ ନେତାମାନେ ମଧ୍ୟ ସବୁ ଅଞ୍ଚଳ ବୁଲି ଦଳୀୟ ଭୋଟ୍‌ ହାସଲ କରିବାରେ ଅକ୍ଷମ ହେବେ। ‌ସେ ଦୃଷ୍ଟିରୁ ଏବେ ଯେମିତି ନିର୍ବାଚନ ହେଉଛି, ତାହା ଅପରିବର୍ତ୍ତିତ ରହୁ।
-ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର
-ସୁରେନ୍ଦ୍ର ନାୟକ, ନିଆଳି

ବାରମ୍ବାର ନିର୍ବାଚନ ହେବା ଦ୍ବାରା ମାଗଣା ଯୋଜନା ବଣ୍ଟନ, ବ୍ୟାପକ ଅର୍ଥବ୍ୟୟ, ନିର୍ବାଚନୀ ହିଂସା ଆଦି ସୃଷ୍ଟି ହେଉଛି। ଏହାସହ ଲୋକ ବି ନାନା ଅସୁବିଧାରେ ପଡୁଛନ୍ତି। ସେ ଦୃଷ୍ଟିରୁ ଏକାସାଙ୍ଗରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯାଉ। ସ୍ବଚ୍ଛତା ଅବଲମ୍ବନ ଉପରେ ବିଶେଷ ଦୃଷ୍ଟି ଦିଆଯାଉ।
-ହରିହର କାନୁନ୍‌ଗୋ, ପ୍ରାକ୍ତନ ଓଡ଼ିଆ ଭାଷା
ପ୍ରତିଷ୍ଠାନ ନିର୍ଦ୍ଦେଶକ, ଭୁବନେଶ୍ବର

ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗ‌ରେ କରାଗଲେ କିଛି ଅସୁବିଧା ନାହିଁ।
-କମଳାକାନ୍ତ ସେନାପତି, ନାଗେଶ୍ବରଟାଙ୍ଗୀ

ଲୋକସଭା ଓ ସବୁ ବିଧାନସଭାର ନିର୍ବାଚନ ଏକାସାଙ୍ଗରେ କରାଗଲେ ଭଲ ହେବ ନାହିଁ। ଯେଉଁ ନେତାଙ୍କ କାର୍ଯ୍ୟକାଳ ସରି ନଥିବ, ସେମାନଙ୍କୁ ଆଗୁଆ ନିଜ ପଦ ଛାଡ଼ିବାକୁ ହେବ।
-ରବୀନ୍ଦ୍ର କୁମାର ନନ୍ଦ, ଶିଶୁପାଳଗଡ଼

ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗ‌ରେ ହେବା ଉଚିତ। ଏହାଦ୍ବାରା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ଆସିବ। ନିର୍ବାଚନ ଖର୍ଚ୍ଚ ହ୍ରାସ ହେବା ସହ ଗାଈ, ବଳଦ ନିଲାମ ହେବା ପରି ନେତା ଆଉ କିଣାବିକା ହେବେ ନାହିଁ। ରାଜନୈତିକ ହିଂସା ବି କମିବ। ତେଣୁ ଏକାସହ ନିର୍ବାଚନା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।
-ରମେଶ ଚନ୍ଦ୍ର ମହାପାତ୍ର, ଡୁମୁଡୁମା

ଏକାସହ ସବୁ ନିର୍ବାଚନ ହେଲେ ସରକାରଙ୍କ ଖର୍ଚ୍ଚ କମ୍‌ ହେବା ସହ ନିର୍ବାଚନ ପ୍ରକ୍ରିୟାରେ ବି ସ୍ବଚ୍ଛତା ଆସିବ।
-ପ୍ରଫୁଲ୍ଲ କୁମାର ଦାସ, ବାଲିପାଟଣା

ମୋ ମତରେ, ଏହା ଏକ ଉପଯୁକ୍ତ ବିଚାର ନୁହେଁ। ଭାରତରେ ସଂଘୀୟ ଶାସନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବାରୁ ଏଠାରେ ଏକାସଙ୍ଗେ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ହେଲେ, ଶାସନ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ଅଛି।
-ସୁଧାକର ଦାସ, ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ

ଲୋକସଭା ଓ ବିଧାନସଭା ନିର୍ବାଚନ ଏକସଙ୍ଗେ କରାଗଲେ ଭଲ ହେବ।
ପ୍ରକାଶ ପରିଡ଼ା, ଭୁବନେଶ୍ବର/ବିଦ୍ୟାଧର ମହାରଣା, ଭୁବନେଶ୍ବର/କିଶୋର ଚନ୍ଦ୍ର ଦାସ, ଭୁବନେଶ୍ବର

ଖର୍ଚ୍ଚ କମ୍‌ ହେବ, ଠିକ୍ କଥା। କିନ୍ତୁ ଲୋକଙ୍କ ପାଇଁ ଶୁଭଙ୍କର ନୁହେଁ।
-ବ୍ରଜରାଜ ରଥ, ଭୁବନେଶ୍ବର
-ଭାଗୀରଥି ଦାସ, ସତ୍ୟବିହାର

ନିର୍ବାଚନ ଭଳି ବ୍ୟୟବହୁଳ ପ୍ରକ୍ରିୟାକୁ ଯେତେ ସଂକୁଚିତ କରାଯାଇ ଖର୍ଚ୍ଚ କାଟ୍‌ କରାଯିବ, ସେତେ ଭଲ। ସେ ଅର୍ଥ ଦେଶର ଉନ୍ନତି କାମରେ ଲାଗିବ। ଏକସଙ୍ଗେ ନିର୍ବାଚନ କରାଗଲେ, ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ରହିପାରିବ।
-ରାକେଶ ବଳ, କେନ୍ଦ୍ରାପଡ଼ା