ଲଭ୍‌-ସେକ୍ସ-ଧୋକା : ପୁଣି ଜଣେ ସିପାହୀ ଗିରଫ

ଭୁବନେଶ୍ବର : ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ସିପାହୀ। ନିକଟ ଅତୀତରେ ଜଣେ ସିଆରପିଏଫ୍‌ ଅଧିକାରୀ ସୁରଟ୍‌ରୁ ଗିରଫ ‌‌ହୋଇଥିବା ବେଳେ ଅନୁରୂପ ଅଭିଯୋଗରେ ସଶସ୍ତ୍ର ସୀମା ବଳର ଜଣେ କନେଷ୍ଟବଳ ଗିରଫ ହୋଇ ଜେଲରେ ଅଛନ୍ତି। ଆଜି ପୁଣି ଏଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି। ଭୁବନେଶ୍ବର ଓଏସ୍‌ଏପି ବାଟାଲିୟନ-୩ରେ କାମ କରୁଥିବା ସିପାହୀ ବଲାଙ୍ଗୀରର ରାଜକିଶୋର ଭୋଇକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଧୋକା ଖାଇବା ପରେ ସିପାହୀଙ୍କ ଠାରୁ ପୀଡ଼ିତା ଦୂରେଇ ଯାଇଥିଲେ ମଧ୍ୟ ଅଭିଯୁକ୍ତ ପୁଲିସ କର୍ମଚାରୀ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତ ସିପାହୀକୁ ଗିରଫ କରିଛି।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ ପୂର୍ବରୁ ଅଭିଯୁକ୍ତ ରାଜକିଶୋର ସମ୍ପୃକ୍ତ ମହିଳାଙ୍କୁ ଅସଦାଚରଣ କରିଥିବା ସହିଦ ନଗର ଥାନାରେ ଅଭିଯୋଗ ହୋଇଥିଲା। ମହିଳାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସିପାହୀକୁ ଗିରଫ କରିଥିଲା। ସେ ଜେଲ୍‌ ଯାଇଥିଲା। ମାତ୍ର ସେ ଜେଲ୍‌ରୁ ଫେରିବା ପରେ ସମ୍ପୃକ୍ତ ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ୨୦୧୯ ମସିହା ମାର୍ଚ୍ଚ ମାସରେ ସହିଦନଗର ଥାନା ପୁଲିସ ତାକୁ ଗିରଫ କରିଥିବା ବେଳେ ଏଥର ନୂଆପଲ୍ଲୀ ଥାନା ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଗତ ବର୍ଷ ଠାରୁ ବିଭାଗ ପାଖରେ ଏ ଖବର ରହିଥିଲେ ମଧ୍ୟ ଅଭିଯୁକ୍ତ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ।

ସୂଚନାଯୋଗ୍ୟ, ରାଜକିଶୋର ଭୋଇ ଓଏସ୍‌ଏପି-୩ ବାଟାଲିୟନରେ ଜଣେ ସିପାହୀ ଭାବରେ କାମ କରେ। ଅବିବାହିତ ଥିବା ବେଳେ ସେ ପୀଡ଼ିତା(ବିବାହିତା)ଙ୍କୁ ପ୍ରେମ ଜାଲରେ ପକାଇଥିଲା। କିଛି ଦିନ ଏହି ପ୍ରେମ ସମ୍ପର୍କ ଚାଲିବା ପରେ ସେ ବିବାହର ପ୍ରଲୋଭନ ଦେଖାଇ ମହିଳାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲା। ପରେ ଅଭିଯୁକ୍ତ ଅନ୍ୟଜଣଙ୍କୁ ବିବାହ କରିଥିଲା। ଏଣୁ ପୀଡ଼ିତା ଅଭିଯୁକ୍ତ ଠାରୁ ଦୂରେଇ ଯାଇଥିଲେ। ଗତ ୨୦୧୯ ମସିହା ମାର୍ଚ୍ଚ ମାସରେ ଅଭିଯୁକ୍ତ ଶାରୀରିକ ସମ୍ପର୍କ ରଖିବା ଉଦ୍ଦେଶ୍ୟରେ ପୀଡ଼ିତାଙ୍କୁ ଟଣାଓଟରା କରିଥିଲେ। ଏହି ଘଟଣା ସହିଦନଗର ଥାନା ଅଞ୍ଚଳରେ ଘଟିଥିଲା। ଏ ନେଇ ମହିଳା ସହିଦନଗର ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା। ସେ ଦୁଇମାସ ବିଚାର ବିଭାଗୀୟ ହାଜତରେ ରହିବା ପରେ ଜାମିନ୍‌ରେ ମୁକୁଳିଥିଲା। ଜାମିନରେ ମୁକୁଳିବା ପରେ ସେ ପୁଣି ଥରେ ପୀଡ଼ିତାଙ୍କ ଉପରେ ନଜର ପକାଇଥିଲା। ହେଲେ ପୀଡ଼ିତା କୌଣସି ପ୍ରକାରରେ ତାକୁ ଦେଖା କରିବାକୁ ନ ଚାହିବାରୁ ରାଜକିଶୋର ଗତ ରାତିରେ ନୂଆପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା ପୀଡ଼ିତାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲା। ଏ ନେଇ ପୀଡ଼ିତା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତ ପୁଲିସ କର୍ମଚାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର