ଭୁବନେଶ୍ବର: ଭୁବନେଶ୍ବର ଓ କଟକ ରେଳଷ୍ଟେସନ୍ରେ ‘ଗୋଟିଏ ଷ୍ଟେସନ୍ ଗୋଟିଏ ଉତ୍ପାଦ’ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ କାରିଗର, କୁମ୍ଭକାର, ବୁଣାକାର, ଆଦିବାସୀମାନଙ୍କ ଜୀବିକା ବୃଦ୍ଧି ତଥା କଲ୍ୟାଣ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଯୋଜନାରେ ଦୁଇଟି ଷ୍ଟେସନ୍ରେ ମୋଟ୍ ଦୁଇଟି ଷ୍ଟଲ୍ ଖୋଲାଯାଇଛି। ବର୍ତ୍ତମାନ ଯାତ୍ରୀମାନେ ଭୁବନେଶ୍ବର ରେଳଷ୍ଟେସନ୍ରେ ଖୋଲିଥିବା ଏହି ଷ୍ଟଲ୍ରେ ଖୋର୍ଧା ଜିଲ୍ଲାର ପ୍ରସିଦ୍ଧ ‘ବେଲ୍ ମେଟାଲ ଉତ୍ପାଦ’ ଓ କଟକ ରେଳଷ୍ଟେସନ୍ରେ କଟକର ପ୍ରସିଦ୍ଧ ‘ସିଲଭର୍ ଫିଲିଗ୍ରି ହସ୍ତତନ୍ତ ଉତ୍ପାଦ ପାଇପାରିବେ। ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓର୍ମାସ୍), ପୁରୀ ସହ ମିଳିତ ଭାବେ ଏହି ଷ୍ଟଲ୍ ଖୋଲାଯାଇଛି। ଯାତ୍ରୀମାନେ କୌଣସି ମଧ୍ୟସ୍ଥିଙ୍କୁ ଜଡ଼ିତ ନକରି ସିଧାସଳଖ କାରିଗରମାନଙ୍କଠାରୁ ଏହି ଉତ୍ପାଦ କ୍ରୟ କରିପାରିବେ।
ଏହା ପୂର୍ବରୁ ଖୋର୍ଦ୍ଧାରୋଡ୍ ମଣ୍ଡଳ ଦ୍ବାରା ପୁରୀ ରେଳ ଷ୍ଟେସନ୍ରେ ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ ‘ପଟ୍ଟଚିତ୍ର’ ଏବଂ ‘ପିପିଲି ଚାନ୍ଦୁଆ’କୁ ‘ଗୋଟିଏ ଷ୍ଟେସନ୍, ଗୋଟିଏ ଉତ୍ପାଦ’ ଯୋଜନା ଅଧୀନରେ ପ୍ରୋତ୍ସାହିତ କରିବା ପାଇଁ ପୁରୀ ରେଳ ଷ୍ଟେସନ୍ରେ ଗୋଟିଏ ଷ୍ଟଲ୍ ଖୋଲା ଯାଇଥିଲା। ଖୋର୍ଦ୍ଧା ରୋଡ୍ର ମଣ୍ଡଳ ରେଳ ପ୍ରବନ୍ଧକ ରିଙ୍କେଶ ରାୟ ଯାତ୍ରୀମାନଙ୍କୁ ଷ୍ଟଲଗୁଡ଼ିକର ସୁବିଧା ନେବାକୁ ଏବଂ ରେଳ ଷ୍ଟେସନ୍ରେ ସ୍ଥାନୀୟ ଉତ୍ପାଦର ସାମଗ୍ରୀଗୁଡ଼ିକ ଦେଖିବାକୁ ଅନୁରୋଧ କରିଛନ୍ତି।