ଘର ଭଡ଼ା ବାହାନାରେ ଚୋରି, ଜଣେ ଗିରଫ

ପୁରୁଣା ଭୁବନେଶ୍ୱର: ଭଡ଼ା ଘର ଖୋଜିବା ବାହାନା କରି ଚୋରି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଆଜି ଏୟାରଫିଲଡ଼୍‌ ଥାନା ପୁଲିସ ଜଣକୁ ଗିରଫ କରିଛି। ଅଭିଯୁକ୍ତ ହେଲା ବାଲିଅନ୍ତା ଥାନା ଅଧୀନ ବେଣୁପୁର ଗ୍ରାମର ଅକ୍ଷୟ କୁମାର ଛୋଟରାୟ(୪୨)। ସୂଚନାନୁସାରେ ଭୀମଟାଙ୍ଗୀ ଫେଜ୍‌- ୨ରେ ସଂଜୟ ସିଂହ ଭଡ଼ା ରହୁଛନ୍ତି। ଆଜି ଅଭିଯୁକ୍ତ ଅକ୍ଷୟ ତାଙ୍କ ଘରେ ପହଞ୍ଚି ଭଡ଼ା ବାବଦରେ କଥା ହୋଇଥିଲା। ମାତ୍ର ସଂଜୟ ନିଜେ ଭଡ଼ାରେ ରହୁଥିବାରୁ ଘର ମାଲିକଙ୍କ ସହ ସିଧା କଥା ହେବାକୁ ଅକ୍ଷୟକୁ କହିଥିଲେ।

ଏତିକି କଥା ହେବା ପରେ ସଂଜୟ କୌଣସି କାମରେ ଘର ଭିତରକୁ ଯାଇଥିଲେ। ଏହି ମଉକାରେ ଅଭିଯୁକ୍ତ ଅକ୍ଷୟ ତାଙ୍କ ଗ୍ୟାସ୍‌ ସିଲିଣ୍ଡରକୁ ଉଠାଇ ବାଇକ୍‌ରେ ବାନ୍ଧିଥିଲା ଓ ସେଠାରୁ ଚମ୍ପଟ ମାରିବାକୁ ବସିଥିଲା। କିନ୍ତୁ ହଠାତ୍ ସଂଜୟଙ୍କ ନଜର ପଡ଼ିଯିବାରୁ ସେ ଚୋର ଚୋର ବୋଲି ପାଟି କରିଥିଲେ। ତେଣୁ ସ୍ଥାନୀୟ ଲୋକେ ଅକ୍ଷୟକୁ ଘେରି ଯାଇ କାବୁ କରି ନେଇଥିଲେ। ବହେ ଛେଚିବା ପରେ ତାକୁ ପୁଲିସ ଜିମା ଦିଆଯାଇଥିଲା।

ସମ୍ବନ୍ଧିତ ଖବର