କରୋନା ସଂକ୍ରମଣ ଭୟ ଘାରିଲା, କ୍ୟାପିଟାଲ ହସ୍ପିଟାଲରେ ଗୋଟିଏ ବେଳା ଓପିଡି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲର ଓପିଡି ବା ବହିର୍ବିଭାଗକୁ ଗୋଟିଏ ବେଳା କରି ଦିଆଯାଇଛି। ଗତ ଗୁରୁବାରଠାରୁ କେବଳ ସକାଳ ବେଳା ଓପିଡି ଖୋଲୁଛି। କରୋନା ସଂକ୍ରମଣ ଓ ହସ୍ପିଟାଲକୁ ରୋଗୀଙ୍କ ସଂଖ୍ୟା କମ୍ ଦୃଷ୍ଟିରୁ ହସ୍ପିଟାଲ କର୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ସଂକ୍ରମଣ ଓ କମ୍ ସଂଖ୍ୟାରେ ରୋଗୀ ଆସୁଥିବାରୁ କେବଳ ସକାଳ ବେଳା ଓପିଡି ଖୋଲାଯାଉଛି। ଦୁଇବେଳା ଓପିଡି ଖୋଲିଲେ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହେବାର ଆଶଙ୍କା ରହିଛି। ଆଗକୁ ଯଦି ସ୍ଥିତିରେ ସୁଧାର ଆସେ ତା’ହେଲେ ସକାଳ ବେଳା ଖୋଲା ଯାଉଥିବା ଓପିଡିର ସମୟକୁ କିଛି ଘଣ୍ଟା ବୃଦ୍ଧି କରାଯିବ ବୋଲି ଡା. ସାହୁ କହିଛନ୍ତି। କିଛିଦିନ ପୂର୍ବରୁ ହସ୍ପିଟାଲର ଜଣେ ଡାକ୍ତର, ଏସି ଟେକ୍‌ନିସିଆନ୍ ଓ କିଛି ରୋଗୀ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ହେଲେ ଏହାପରେ ହସ୍ପିଟାଲର ଅନ୍ୟ କୌଣସି କର୍ମଚାରୀ କରୋନାରେ ସଂକ୍ରମିତ ହୋଇ ନ ଥିବା ଡା. ସାହୁ ସୂଚନା ଦେଇଛନ୍ତି।

ଗତବର୍ଷ ସଂକ୍ରମଣ ସମୟରେ ହସ୍ପିଟାଲର ବହୁ ସଂଖ୍ୟାରେ ଡାକ୍ତର, ନର୍ସିଂ ଷ୍ଟାପ୍ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ସଂକ୍ରମିତ ହୋଇଥିଲେ। ରାଜ୍ୟରେ କରୋନା ସଂକ୍ରମଣକୁ ନଜର‌ରେ ରଖି ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସରକାରୀ ହସ୍ପିଟାଲ ଗୁଡ଼ିକରେ ଜରୁରୀ ଅସ୍ତ୍ରୋପଚାର ବାଦ୍ ଅନ୍ୟ ଅସ୍ତ୍ରୋପଚାର ଗୁଡ଼ିକୁ ବନ୍ଦ ରଖିବା ଲାଗି ନିର୍ଦେଶ ଦେଇଛନ୍ତି। ତେଣୁ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଅନ୍ୟ ଅସ୍ତ୍ରୋପଚାର ବନ୍ଦ ରହିଛି।

ସମ୍ବନ୍ଧିତ ଖବର