ସହରର ସବୁଜ ଆବର୍ଜନା, କେଉଁଠି ବିରୋଧ, କେଉଁଠି ଆଦର, ଟ୍ରିପ୍କୁ ୧୦୦
ଖଣ୍ଡଗିରି: ବାତ୍ୟା ଫନି ପରେ ରାଜଧାନୀରେ ପାହାଡ଼ ଭଳି ଗଦା ହୋଇରହିଥିବା ସବୁଜ ଆବର୍ଜନାକୁ ଖାଲି କରିବା ପାଇଁ ଆଉ ଭୁବନେଶ୍ବର ମହାନଗର ନିଗମର ଚିନ୍ତା ନାହିଁ। କେଉଁଠି ସିନା ଏହି ଆବର୍ଜନାକୁ ଲୋକେ ବିରୋଧ କରୁଥିଲେ, ଏବେ କିନ୍ତୁ ଏହାର ଚାହିଦା ବଢ଼ି ଯାଇଛି। ଜାଳେଣି ପାଇଁ ଲୋକେ ଏହାକୁ କିଣି ନେଉଛନ୍ତି। ଗୋଟିଏ ଟ୍ରିପ୍ ସବୁଜ ଆବର୍ଜନାର ଦାମ୍ ୧୦୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଦେଇ ଲୋକେ କିଣି ନେଉଥିବା ଦେଖିବାକୁ ମିଳିଛି। ପୁଣି ଏହାକୁ ନେବା ପାଇଁ ଲୋକେ ଧାଡ଼ି ବାନ୍ଧିବା ଭଳି ପରିସ୍ଥିତି ମଧ୍ୟ ଉପୁଜିଲାଣି। ରାଜଧାନୀ ଉପକଣ୍ଠ ଯାଁଳା ଅଞ୍ଚଳରେ ଏହି ସବୁଜ ଆବର୍ଜନାର ଚାହିଦାକୁ ନେଇ ବେଶ୍ ଚର୍ଚ୍ଚା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ଇନ୍ଫୋଭ୍ୟାଲି-୨ରେ ଇଡ୍କୋ ଅଧିକୃତ ଜମିରେ ଥିବା ପରିତ୍ୟକ୍ତ ମୋରମ୍ ଖଣିରେ ଏହି ଆବର୍ଜନାକୁ ପକାଯାଉଛି। ପ୍ରତିଦିନ ଶହ ଶହ ହାଇୱା ବୋଝେଇ ଭଙ୍ଗା ଗଛ ଡାଳପତ୍ର ସବୁ ଏହି ଖଣିରେ ପଡ଼ୁଛି। କିନ୍ତୁ ସ୍ଥାନୀୟ ଲୋକେ ଏବେ ଏହାକୁ କିଣିବା ଆରମ୍ଭ କଲେଣି। ଗଛର ଗଣ୍ଡି, ଭଲ ଡାଳ ସବୁକୁ ଲୋକେ ଜାଳେଣି କରିବା ପାଇଁ ସାଇତି ରଖୁଛନ୍ତି। ଲୋକେ ସିଧାସଳଖ ଖଣି ମୁଣ୍ଡରୁ ଡାଳପତ୍ର ବୋଝେଇ ହାଇୱାକୁ ନେଇ ନିଜର ସୁବିଧା ସ୍ଥାନରେ ଅନ୍ଲୋଡ୍ କରୁଛନ୍ତି। ଫଳରେ ମାତ୍ର ୧୦୦ ଟଙ୍କା ବିନିମୟରେ ଗୋଟିଏ ଟ୍ରିପ୍ରୁ ପ୍ରାୟ ୪୦୦/୫୦୦ ଟଙ୍କାର ଜାଳେଣି ମିଳିଯାଉଛି। ମଜା କଥା ଏହି ଯେ ହାଇୱା ଚାଳକଙ୍କୁ ହାତ କଲେ, ସେମାନେ ଭଲ ଭଲ କାଠ ବାଛି ଗାଡ଼ିରେ ଲୋଡ୍ କରି ଆଣୁଛନ୍ତି ଓ ସେହି ସବୁ ଟ୍ରିପ୍ ବଡ଼ ସହଜରେ ୨୦୦ ଟଙ୍କା ଦାମ୍ରେ ବିକ୍ରି ହୋଇଯାଉଛି। ତେଣୁ ଏବେ ଆଖପାଖ ଗାଁରେ ଲୋକେ ପ୍ରଚୁର ଜାଳେଣି କାଠ ସଂଗ୍ରହ କରିବା ଦେଖିବାକୁ ମିଳୁଛି। ଇନ୍ଫୋଭ୍ୟାଲି ଛକରେ ପାହାଡ଼ ଭଳି ଗଦା ହୋଇଛି ଏହି ଆବର୍ଜନାରୁ ସଂଗୃହୀତ ଜାଳେଣି କାଠ। ରାଧାଚରଣପୁର, ଅଳକର, ଓଗାଳପଡ଼ା ଆଦି ଗାଁର ବହୁ ଗରିବ ଲୋକେ ଏହି କାଠ ସଂଗ୍ରହ କରୁଛନ୍ତି। ଦେଖାଯାଉଛି ଗୋଟିଏ ଗୋଟିଏ ପରିବାର ପ୍ରାୟ ବର୍ଷକ ପାଇଁ ଜାଳେଣି କାଠ ସଂଗ୍ରହ କରି ସାରିଲେଣି।
ଉଲ୍ଲେଖଯୋଗ୍ୟ ଯେ ବାତ୍ୟା ଫନି ପରେ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଗଦା ହୋଇଥିବା ଏହି ସବୁଜ ଆବର୍ଜନା ପାହାଡ଼ରେ ନିଆଁ ଲାଗି ଯାଇଥିଲା। ତେଣୁ ପରେ ସେଠାକୁ ଆଉ ଏହି ଆବର୍ଜନା ନିଆଯାଇ ନଥିଲା। ଅସ୍ଥାୟୀ ଭାବେ ଏହାକୁ ସହରର ବିଭିନ୍ନ ସ୍ଥାନରେ ଜମା କରି ରଖାଯାଇଥିଲା ଓ ୟୁନିଟ୍-୮ ହାଇସ୍କୁଲ ପଡ଼ିଆରେ ଥିବା ଏଭଳି ଏକ ଗଦାରେ ନିଆଁ ଲାଗି ଯାଇଥିଲା। ତେଣୁ ସହରକୁ ଏହି ସବୁଜ ଆବର୍ଜନା ଜନିତ ନିଆଁ ଭୟ ଗ୍ରାସ କରି ରହିଥିଲା। ପରେ ପରେ ଏହି ଆବର୍ଜନାକୁ ନେଇ ଜଟଣୀ କୁସୁମାଟି ଖଣ୍ଡୁଆଳ ଖଣିରେ ପକାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ବିଧାୟକ ସୁର ରାଉତରାୟଙ୍କ ବିରୋଧ ଯୋଗୁଁ ଏହା ସମ୍ଭବ ହୋଇନଥିଲା। ଶେଷରେ ଇନ୍ଫୋଭ୍ୟାଲି-୨ରେ ଇଡ୍କୋ ଜମିରେ ପଡ଼ିବାକୁ ନେଇ ମଧ୍ୟ ପ୍ରଥମେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। କିନ୍ତୁ ପ୍ରାଶାସନିକ ଚାପରେ ଲୋକଙ୍କ ବିରୋଧକୁ ଚାପି ଦିଆଯାଇଥିଲା।