ଭୁବନେଶ୍ୱର : ଟ୍ରାଫିକ୍ ସମସ୍ୟାକୁ ଆଖି ଆଗରେ ରଖି ବାପୁଜୀନଗରରେ ନୂଆ ବ୍ୟବସ୍ଥା ହେବାକୁ ଯାଉଛି। କଳ୍ପନାରୁ ରାଜମହଲ ଆଡ଼କୁ ଆସୁଥିବା ରାସ୍ତାରୁ ଗୋଟିଏ ପ୍ରବେଶ ପଥ ରହିବ। ରାଜମହଲରୁ ଶିଶୁଭବନ ରାସ୍ତା ପଟକୁ ଗୋଟିଏ ପ୍ରସ୍ଥାନ ମାର୍ଗ ରହିବ। ଅନ୍ୟ ସମସ୍ତ ରାସ୍ତାକୁ ବନ୍ଦ କରାଯିବ। ତେବେ କେଉଁ ରାସ୍ତା ପ୍ରବେଶ ପାଇଁ ରହିବ ଓ କେଉଁ ରାସ୍ତା ପ୍ରସ୍ଥାନ ପାଇଁ, ସେନେଇ ସୋମବାର ବିଏମ୍ସି ଓ ପୁଲିସ ଅଧିକାରୀମାନେ ମିଳିତ ଭାବେ ଘଟଣାସ୍ଥଳ ବୁଲି ସର୍ବେକ୍ଷଣ କରିବେ। ଆଜି ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ସନ୍ଧ୍ୟାରେ କଳ୍ପନା ରେଳ ଓଭରବ୍ରିଜ୍ କଡ଼ରୁ ପାଣିଟାଙ୍କି ଦେଇ ବାପୁଜୀନଗର ଭିତରକୁ ପ୍ରବେଶ କଲା ବେଳେ ଅନେକ ଉଠାଦୋକାନୀ ବସିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଦମକଳ ବା ଆମ୍ବୁଲାନ୍ସ ସୁରୁଖୁରୁରେ ଯା’ଆସ କରିବାରେ ସମସ୍ୟା ହେଉଛି। କେହି ଦ୍ରୁତ ଗତିରେ ଏହି ଗଳିରୁ ବାହାରି ଆସିଲେ କଳ୍ପନାରୁ ରାଜମହଲ ଯାଉଥିବା ଗାଡ଼ି ସହ ଧକ୍କା ହେବା ଆଶଙ୍କା ରହିଛି। ବାପୁଜୀନଗର ଭିତରେ ଅନେକ ବ୍ୟାବସାୟିକ ପ୍ରତିଷ୍ଠାନ ରହିଥିବାରୁ ଦିନକୁ ଦିନ ଭିଡ଼ ବଢ଼ିବାରେ ଲାଗିଛି। ଉଠା ଦୋକାନୀଙ୍କୁ ରାସ୍ତାକଡ଼ରୁ ଉଠାଯିବା ସହ ଏଭଳି ଏକ ୱାନ-ୱେ ବ୍ୟବସ୍ଥା ହେବାକୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି କଳ୍ପନାରୁ ଶିଶୁପାଳଗଡ଼ ପର୍ଯ୍ୟନ୍ତ ସକାଳ ଓ ସନ୍ଧ୍ୟାରେ ଭୟଙ୍କର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। କୋର୍ଟ ସାମ୍ନାରେ ପ୍ରବଳ ଭିଡ଼ ହେଉଛି। ଅନେକ ଗାଡ଼ି ରାସ୍ତା ଉପରେ ପାର୍କିଂ ହେଉଛି। ଲିଙ୍ଗିପୁର ନିକଟରେ ପରିବା, ମାଂସ, ମାଛ ଦୋକାନ ବସୁଥିବାରୁ ଦୁର୍ଘଟଣା ଘଟୁଛି। ଏଥିପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ହେବାକୁ ଯାଉଛି। ବୈଠକରେ ବିଏମ୍ସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ, ଟ୍ରାଫିକ ଡିସିପି ସାଗରିକା ନାଥ, ଟ୍ରାଫିକ ଏସିପି ଶାଶ୍ୱତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/bapuji-nagar.jpg)