ସପ୍ତାହେ ହେଲା ଅଳିଆ ଉଠୁନି

ଭୁବନେଶ୍ୱର: ରାଜଧାନୀରେ ପରିମଳ ବ୍ୟବସ୍ଥା ପୂରା ବିପର୍ଯ୍ୟସ୍ତ ହୋଇଯାଇଛି। ପୂରା ଲଗାମଛଡ଼ା ହୋଇଯାଇଛନ୍ତି ଘରୋଇ ସଫେଇ ସଂସ୍ଥା। ଦିନେ ଅଧେ ଆବର୍ଜନା ନ ଉଠାଉଥିଲେ ଚଳୁଥାନ୍ତା। ସପ୍ତାହ ସପ୍ତାହ ଧରି ଆବର୍ଜନା ଉଠାଉ ନାହାନ୍ତି। ଗଳିକନ୍ଦି ଛାଡ଼, ପ୍ରମୁଖ ରାସ୍ତା ଉପରୁ ବି ଆବର୍ଜନା ଉଠାଉ ନାହାନ୍ତି। ଚାରିଆଡ଼େ ପୁତିଗନ୍ଧମୟ ପରିବେଶ ସୃଷ୍ଟି କରିଦେଲେଣି। ବିଏମ୍‌ସି ଅଧିକାରୀଙ୍କର ବି ଏଥିପ୍ରତି ନିଘା ନାହିଁ। ପୂରା ବେପରୁଆ ଭାବେ ପରିମଳ ବ୍ୟବସ୍ଥାକୁ ଛାଡ଼ି ଦେଇଛନ୍ତି। ସ୍ୱଚ୍ଛ ସର୍ଭେକ୍ଷଣରେ ଭୁବନେଶ୍ୱରରେ ପଛରେ ପଡ଼ିଥିବାରୁ ବିଏମ୍‌ସି ଅଧିକାରୀଙ୍କୁ ଚାରିଆଡ଼ୁ ଅପମାନିତ ହେବାକୁ ପଡ଼ୁଥିବାବେଳେ ଘରୋଇ ସଫେଇ ସଂସ୍ଥା ଅଳିଆ ନଉଠାଇ ବସିପଡ଼ିଛନ୍ତି। ଏପରିକି ଡଷ୍ଟବିନ୍‌ଟିଏ ବି ରଖୁନାହାନ୍ତି। ଯେଉଁଥିପାଇଁ ଅଧା ରାସ୍ତା ଏବେ ଅଳିଆରେ ପୋତି ହୋଇଗଲାଣି।

ଅତିରିକ୍ତ ଦାୟିତ୍ୱରେ ତଦାରଖ ଅଧିକାରୀ

ଭୁବନେଶ୍ୱର: ସ୍ୱଚ୍ଛ ସର୍ଭେକ୍ଷଣରେ ଭୁବନେଶ୍ୱର ୨୪୫ତମ ର‍୍ୟାଙ୍କ ପାଇବା ପରେ ଏବେ ସବୁ ଦିଗରୁ ସମାଲୋଚନା କରାଯାଉଛି। ଏପରିକି ବିଏମ୍‌ସିର ମୁଖ୍ୟ ଏଜେଣ୍ଡାରେ ପରିମଳ ବ୍ୟବସ୍ଥା ନାହିଁ ବୋଲି ଅଭିଯୋଗ ହେଲାଣି। ବର୍ଷକୁ ପ୍ରାୟ ୬୫କୋଟି ଟଙ୍କା ପରିମଳ ଯୋଜନାରେ ଖର୍ଚ୍ଚ ହେଉଥିଲେ ହେଁ ଭୁବନେଶ୍ୱର ସେହି ଅନୁଯାୟୀ ସ୍ୱଚ୍ଛ ହୋଇପାରୁନି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ନଗର ସ୍ୱାସ୍ଥ୍ୟ ଅଧିକାରୀ ପରିମଳ ବ୍ୟବସ୍ଥା ଯାଞ୍ଚ କରିବା ସହ ଗୁଣାତ୍ମକ ସେବା ପ୍ରଦାନ କରୁନଥିବା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କିନ୍ତୁ ନଗର ସ୍ୱାସ୍ଥ୍ୟ ଅଧିକାରୀ ଏହି ପଦବିରେ ଅତିରିକ୍ତ ଦାୟିତ୍ୱରେ ଥିବାରୁ ପରିମଳ ବ୍ୟବସ୍ଥା ଯାଞ୍ଚ କରିବା ଦୂରର କଥା ଫାଇଲ୍‌ ଦସ୍ତଖତ କରିବାକୁ ବି ସମୟ ପାଉନାହାନ୍ତି। ବିଏମ୍‌ସିର ନଗର ସ୍ୱାସ୍ଥ୍ୟ ଅଧିକାରୀ ଭାବେ ଡାକ୍ତର ରାମଚନ୍ଦ୍ର ରାଉତଙ୍କୁ ଗତ ଦୁଇ ମାସ ହେଲା ଦାୟିତ୍ୱ ଦିଆଯାଇଛି। ଡା. ରାଉତ ଓସାକ୍‌ସର ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ ହେଁ ତାଙ୍କୁ ବ୍ଲଡ୍‌ ବ୍ୟାଙ୍କର ଅତିିରିକ୍ତ ନିର୍ଦ୍ଦେଶକ, ଆୟୁଷର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏକସଙ୍ଗେ ଚାରିଟି ବିଭାଗର ଦାୟିତ୍ୱ କିପରି ଜଣେ ବ୍ୟକ୍ତି କରିବେ ତାହା ସ୍ୱାସ୍ଥ୍ୟ ବିଭାଗ କି ବିଏମ୍‌ସି ଅଧିକାରୀଙ୍କ ମୁଣ୍ଡକୁ ଜୁଟିଲାନି। ଡା. ରାଉତ ଯଦିଓ ନଗର ସ୍ୱାସ୍ଥ୍ୟ ଅଧିକାରୀ ଦାୟିତ୍ୱ ନେବା ପରେ ସଫେଇ ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି ତ୍ୱରାନ୍ଵିତ ହୋଇଛି କିନ୍ତୁ ଘରୋଇ ସଂସ୍ଥାଙ୍କ ମନମାନି ଉପରେ ରୋକ୍‌ ଲାଗିପାରିନି। ଚାରିଟି ଯାକ ଅଫିସ ଯିବା ଆସିବା ପରେ ଦିନକୁ କୌଣସି ଅଫିସରେ ଘଣ୍ଟାଏ ବସିବା କି କର୍ମଚାରୀଙ୍କ ସହ ଆଲୋଚନା କରିବା ବି ସମ୍ଭବ ହେଉନି। ଏହିଭଳି ବ୍ୟସ୍ତ ଅଧିକାରୀଙ୍କ ଉପରେ ଭୁବନେଶ୍ୱରର ପରିମଳ ବ୍ୟବସ୍ଥା ଛାଡ଼ି ଦିଆଯାଇଛି। ଅପରପକ୍ଷେ ଡେପୁଟି କମିସନର ଲଲାଟେନ୍ଦୁ ସାହୁଙ୍କୁ ବିଏମ୍‌ସିର ପରିମଳ ବିଭାଗ ଦାୟିତ୍ୱ ମିଳିଥିଲେ ହେଁ ତାଙ୍କ ନିକଟରେ ଆଉ ତିନିରୁ ଚାରିଟି ବିଭାଗ ରହିଛି। ତେଣୁ ଶ୍ରୀ ସାହୁଙ୍କ ନଜର ପରିମଳ ବ୍ୟବସ୍ଥା ଉପରେ ପଡ଼ୁନି। କେବଳ କାଗଜ କଲମରେ ଶ୍ରୀ ସାହୁ ଦାୟିତ୍ୱରେ ଥିଲେ ହେଁ ପରିମଳ ବ୍ୟବସ୍ଥା କିପରି ହେଉଛି, କ’ଣ ପଦକ୍ଷେପ ନିଆଯାଉଛି, କିଏ ଖିଲାପ କରୁଛନ୍ତି, କିପରି ନୂଆ ବ୍ୟବସ୍ଥା ଆପଣାଯିବ ସେନେଇ ଆଜି ପର୍ଯ୍ୟନ୍ତ ଗୋଟିଏ ବି ପଦକ୍ଷେପ ନେଇପାରିନାହାନ୍ତି।

ସମ୍ବନ୍ଧିତ ଖବର