କାଳ ସାଜିଛି ମୁକୁଳା ଟ୍ରାନ୍ସଫର୍ମର, ବର୍ଷକରେ ମଲେଣି ୫ ଗାଈ

ଭୁବନେଶ୍ବର: ଘରେ ଘରେ ବିଜୁଳି ପହଞ୍ଚିବ। ୨୪ ଘଣ୍ଟା ଅନବରତ ବିଦ୍ୟୁତ୍ ଯୋଗାଣ ହେବ। ଅନ୍ଧାରରେ ଲୋକେ ରହିବେ ନାହିଁ। ଖାସ୍ ଏଇଥିପାଇଁ ସରକାର ରାଜଧାନୀର ପ୍ରାୟ ସବୁ ଇଲାକାରେ ଟ୍ରାନ୍ସଫର୍ମର ବସାଇ ଲୋକଙ୍କ ପାଇଁ ବିଜୁଳି ଯୋଗାଇଦେଲେ। କିନ୍ତୁ ଏହି ବିପଜ୍ଜନକ ଟ୍ରାନ୍ସଫର୍ମର୍‌ଗୁଡ଼ିକର ଚାରିପାର୍ଶ୍ବରେ ପାଚେରି ଘେରାଇ ଗେଟ୍ ଲଗାଇବାକୁ ଭୁଲିଗଲେ। ଫଳରେ ଏହି ମୁକୁଳା ଟ୍ରାନ୍ସଫର୍ମର୍ ପାଇଁ ୩୯ନଂ ଵାର୍ଡରେ ବର୍ଷକ ମଧ୍ୟରେ ପ୍ରାୟ ପାଞ୍ଚଟି ଗାଈଙ୍କ ଜୀବନ ଗଲାଣି। ଗାଈକୁ ଜୀବିକା ଭାବେ ପାଥେୟ କରି ଚଳୁଥିବା ଲୋକେ ମଧ୍ୟ ସେମାନଙ୍କ ଗାଈକୁ ହରାଇ ବହୁ କ୍ଷତି ସହିଲେଣି। ନିକଟରେ ଦୁଇ ଦିନ ତଳେ ଉକ୍ତ ଵାର୍ଡର ସୀତାପୁର ବାସିନ୍ଦା ବୈରାଗୀ ରଣାଙ୍କ ଏକ ଗାଈ ମୁକୁଳା ପଡ଼ିଥିବା ଟ୍ରାନ୍ସଫର୍ମର ନିକଟକୁ ଚରିବା ପାଇଁ ପଶିଥିଲା। ମାତ୍ର ସେଠାରେ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା।

ପ୍ରକାଶ‌ଯୋଗ୍ୟ, ୩୯ନଂ ଵାର୍ଡରେ ମୋଟ ୧୨ଟି ଟ୍ରାନ୍ସଫର୍ମର ଅଛି। ସେଥିମଧ୍ୟରୁ ୬ଟି ଟ୍ରାନ୍ସଫର୍ମର୍‌ର ଚାରିପଟେ ପାଚେରି ଥିଲେ ସୁଦ୍ଧା କୌଣସି ଗେଟ୍ ନାହିଁ। ଅନ୍ୟ ୬ଟିର ପାଚେରି ମଧ୍ୟ ନାହିଁ। ଟ୍ରାନ୍ସଫର୍ମର ଚାରିକଡ଼େ ଏପରି ଅନାବନା ଘାସ ଓ ଗଛଲତା ଉଠିଛି ଯେ ଏହା ଟ୍ରାନ୍ସଫର୍ମର୍‌କୁ ଗୁଡ଼େଇ ହୋଇଗଲାଣି। ଏନେଇ ସ୍ଥାନୀୟ ବାସିନ୍ଦା ଅନେକବାର ବିଦ୍ୟୁତ୍ ବିଭାଗକୁ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଗତ ମାସ ୧୧ ତାରିଖ‌ରେ ଲୋକେ ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଉପେନ୍ଦ୍ର କୁମାର ଖାଡ଼ଙ୍ଗାଙ୍କୁ ଲିଖିତ ଆକାରରେ ଏଗୁଡ଼ିକର ପାଚେରି କରିବା ସହିତ ଗଛଲତା କାଟିବାକୁ ଅନୁରୋଧ କରିଥିଲେ। କିନ୍ତୁ କୌଣସି କାର୍ଯ୍ୟ ନ କରାଯିବା କାରଣରୁ ଗତ ଗୁରୁବାର ଦିନ ଆଉ ଏକ ଗାଈର ମୃତ୍ୟୁ ଘଟିଲା। ସ୍ଥାନୀୟ ବାସିନ୍ଦା କ୍ଷତିପୂରଣ ପାଇଁ ମଧ୍ୟ ଦାବି କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଆଗାମୀ ଦିନରେ ଆହୁରି ବଡ଼ ଅଘଟଣ ଘଟିବାର ସମ୍ଭାବନା ଥିବା ସ୍ଥାନୀୟ ଲୋକେ ଆଶଙ୍କା ପ୍ରକଟ କରିଛନ୍ତି।

ଏନେଇ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଖାଡ଼ଙ୍ଗାଙ୍କୁ ପଚରାଯିବାରୁ ଦୁଇଟି ଟ୍ରାନ୍ସଫର୍ମର୍‌ର ପାଚେରି କାମ କରାଯାଇ ଗେଟ୍ ସଜଡ଼ା ଯାଇଥିଲା। ଆଗାମୀ ଦିନରେ ମୁକୁଳା ଥିବା ସମସ୍ତ ଟ୍ରାନ୍ସଫର୍ମର୍ ବା ସବ୍‌ଷ୍ଟେସନ୍‌ର ଚାରିପାଖେ ଶୀଘ୍ର କାମ ଆରମ୍ଭ କରାଯିବ ବୋଲି କହିଛନ୍ତି। ଅପରପକ୍ଷେ ମୃତ ଗାଈର ମାଲିକ ବୈରାଗୀ ରଣା ଏନେଇ ବିଦ୍ୟୁତ୍‌ ବିଭାଗକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ବିଦ୍ୟୁତ୍‌ ବିଭାଗର ଖାମଖିଆଲି ପାଇଁ ତାଙ୍କ ଗାଈ ମରିଗଲା। ଯଦି ଟ୍ରାନ୍ସଫର୍ମର୍ ଚାରିକଡ଼େ ପାଚେରି ଥାଆନ୍ତା, ହୁଏତ ଗାଈଟି ବଞ୍ଚି ଯାଇଥାଆନ୍ତା। ସେ ଆହୁରି କହିଛନ୍ତି ଯେ କ୍ଷୀର ବିକି ସେ ଚଳନ୍ତି। ଏହି ଗାଈ ପ୍ରତିଦିନ ୮ ଲିଟର କ୍ଷୀର ଦେଉଥିଲା। କିନ୍ତୁ ଏବେ ତାଙ୍କ ଜୀବିକା ଏକପ୍ରକାରର ବନ୍ଦ ହୋଇଯାଇଛି।

ସମ୍ବନ୍ଧିତ ଖବର