ବିମୁଦ୍ରାକରଣକୁ ବର୍ଷେ ପୂରିଲା: ଟ୍ରାଫିକ୍‌ରେ ଲାଗୁ ହୋଇ ପାରିଲାନି ଇ-ଚାଲାଣ ବ୍ୟବସ୍ଥା

ଭୁବନେଶ୍ୱର: ବିମୁଦ୍ରାକରଣକୁ ବର୍ଷେ ପୂରିଗଲା। କିନ୍ତୁ କମିସନରେଟ୍‌ ପୁଲିସ ଯୋଜନା କରିଥିବା ଇ- ଚାଲାଣ ବ୍ୟବସ୍ଥା ଲାଗୁ କରି ପାରିଲା ନାହିଁ। ଆଜି ବି ନଗଦ ଆକାରରେ ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କଠାରୁ  ଜରିମାନା ଆଦାୟ କରାଯାଉଛି। ବିମୁଦ୍ରାକରଣ ସମୟରେ ଟଙ୍କାର ସଙ୍କଟ ଓ ଡିଜିଟାଲ କାରବାରକୁ ଅଗ୍ରାଧିକାର ଦେବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ଯୋଜନା ହୋଇଥିଲା। କିନ୍ତୁ ଏକାଧିକ କାରଣରୁ ସେହି ଯୋଜନା ଏବେ ବି ଯୋଜନାରେ ରହି ଯାଇଛି। ଆସନ୍ତା କେତେ ମାସ କିମ୍ବା ବର୍ଷ ମଧ୍ୟରେ ଏହି ଇ-ଚାଲାଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ତାହା ଏବେ ବି ଅସ୍ପଷ୍ଟ।

କମିସନରେଟ୍‌ ପୁଲିସ ପକ୍ଷରୁ ଇ-ଚାଲାଣ ବ୍ୟବସ୍ଥା ଲାଗୁ କରିବାକୁ ଦୀର୍ଘ ଦିନରୁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ଗତବର୍ଷ ବିମୁଦ୍ରାକରଣ ପରେ ଏହି ଯୋଜନାକୁ ତ୍ୱରିତ ବେଗରେ କାମରେ ଲଗାଇବାକୁ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଥିଲେ। ମାତ୍ର କମିସନରଙ୍କ ଏଭଳି ଯୋଜନା ଏଯାଏ ସାକାର ହୋଇ ପାରିନାହିଁ। ବିଭିନ୍ନ ସମୟରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ବାଇକ୍‌ ଓ କାର୍‌ ଚାଳକମାନେ ପାଖରେ ଟଙ୍କା ନାହିଁ କହି ଖସି ଯାଉଥିଲେ।  ଏପରିକି କେତେକ ଅସାଧୁ କର୍ମଚାରୀ ନିର୍ଦିଷ୍ଟ ଜରିମାନାଠାରୁ କମ୍‌ ଟଙ୍କା ନେଇ ବିନା ରସିଦରେ ଉଲ୍ଲଂଘନକାରୀଙ୍କୁ ବିଦା କରି ଦେଉଥିଲେ। ଏହା ଛଡ଼ା ଟ୍ରାଫିକ୍‌ ଅଧିକାରୀମାନେ ଆଦାୟ ଜରିମାନା ଟଙ୍କାକୁ ମାସ ମାସ ଧରି ନିଜ ପାଖରେ ରଖୁଥିଲେ। ସମୟ ସୁବିଧା ହେଲେ ସେହି ସବୁ ଟଙ୍କାକୁ ନେଇ ଆର୍‌ଟିଓରେ ଜମା କରୁଥିଲେ।

ତେବେ ଇ-ଚାଲଣ ବ୍ୟବସ୍ଥା ଲାଗୁ ହେବା ପରେ ଯେଉଁମାନେ ଟ୍ରାଫିକ ନିୟମର ଉଲ୍ଲଂଘନ କରିବେ ସେମାନଙ୍କଠାରୁ ନଗଦ ଆକାରରେ ଜରିମାନା କାଟିବା ବଦଳରେ ଏକ ଇ-ଚାଲାଣ ମେସିନ ମାଧ୍ୟରେ କଟାଯିବ। ଏହି ମେସିନ୍‌ରେ ଏଟିଏମ୍‌ କାର୍ଡ, ଡେବିଟ୍‌ କାର୍ଡ ଓ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ସ୍ୱାଇପ କରି ଜରିମାନା କଟାଯିବ।

ଟ୍ରାଫିକ୍‌ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଇ-ଚାଲଣ ବ୍ୟବସ୍ଥା ଲାଗୁ କରିବାରେ ବିଭିନ୍ନ ସମସ୍ୟା ରହିଛି। ପ୍ରଥମେ ଟ୍ରାଫିକ ଅଧିକାରୀ ଧରିବାକୁ ଥିବା ଇ-ଚାଲାଣ ମେସିନ୍‌ର କଣ୍ଟ୍ରୋଲ ପାଇଁ ଗୋଟିଏ ସ୍ଥାନରେ ଏକ ବଡ଼ ସର୍ଭରର ଆବଶ୍ୟକ ରହିଛି। ଏହାଛଡ଼ା ଆର୍‌ଟିଓ ସହିତ ଏହାକୁ ସଂଯୋଗ କରିବାକୁ ପଡ଼ିବ ଓ ଟ୍ରାଫିକ କର୍ମଚାରୀମାନଙ୍କୁ ଏ ନେଇ ସ୍ୱତନ୍ତ୍ର ଭାବେ ତାଲିମ ଦେବାକୁ ପଡ଼ିବ। ଏନେଇ କମିସନରେଟ୍‌ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।

ଟ୍ରାଫିକ ଏସିପି ଯତୀନ ପଣ୍ଡା କହିଛନ୍ତି, ଯେହେତୁ ଏହି ମେସନ୍‌ଗୁଡିକ ଟ୍ରାଫିକ୍‌ ପୁଲିସ ଅଧିକାରୀମାନେ ଧରିବେ, ତାହା ହାଲୁକା ହେବା ଆବଶ୍ୟକ। କମିସନରେଟ ପୁଲିସ ପକ୍ଷରୁ ଏନେଇ ବିଭିନ୍ନ କମ୍ପାନିର ପିଓଏସ୍‌ ମେସିନ୍‌ ଦେଖା ସରିଲାଣି। ଖୁବ୍‌ ଶୀଘ୍ର ଏକ ନିର୍ଦିଷ୍ଟ କମ୍ପାନିର ମେସିନ ଆସିଯିବ। ମେସିନ୍‌ ଆସିବା ପରେ ଟ୍ରାଫିକ କର୍ମଚାରୀମାନଙ୍କୁ ତାଲମ ଦିଆଯିବ। ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଇ-ଚାଲାଣ ବ୍ୟବସ୍ଥା ଖୁବ୍‌ ଶୀଘ୍ର ଲାଗୁ ହେବ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି।

ସମ୍ବନ୍ଧିତ ଖବର