ପୁରୀ କେନାଲ ସାଇଫନ୍‌ରେ ବୁଡ଼ି ଯୁବକ ମୃତ

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ପୁରୀ ମୁଖ୍ୟ କେନାଲ ବସନ୍ତପେଡ଼ି ବ୍ରିଜ୍‌ ନିକଟରୁ ଆଜି ପୂର୍ବାହ୍ନରେ ଜଣେ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ମୃତ ଯୁବକଜଣଙ୍କ ହେଲେ, ସହିଦନଗର ଥାନା ଅନ୍ତର୍ଗତ ୟୁନିଟ୍‌-୯ ପ୍ଲଟ ନଂ ୪୦୪ରେ ରହୁଥିବା ଦାମୋଦର ଦାଶଙ୍କ ପୁଅ ରବିନ(୩୫)। ଦୁଇ ସାଙ୍ଗ ଦେବୀପ୍ରସାଦ ମିଶ୍ର(୨୮) ଓ ହିତେଶ ସାମଲ(୩୧)ଙ୍କ ସହ ରବିନ ଗତକାଲି ସଂଧ୍ୟାରେ ଏହି କେନାଲର ସାଇଫନ୍ ନିକଟରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା। ପାଣି ସୁଅରେ ୩ଜଣ ଯାକ ଭାସି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ କେନାଲରେ ଖୋଜାଖୋଜି କରି ହିତେଶ ଓ ଦେବୀପ୍ରସାଦଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ରବିନଙ୍କ ପତ୍ତା ମିଳିନଥିଲା। ଅଗ୍ନିଶମ ବିଭାଗ ଓ ଓଡ୍ରାଫ କର୍ମଚାରୀମାନେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ହେଁ ରବିନଙ୍କୁ ପାଇନଥିଲେ।

ଆଜି ସକାଳେ ରବିନଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଫୋନ୍‌ କରି ଜଣାଇଥିଲେ। ପରେ ରବିନଙ୍କ ପରିବାର ଲୋକ ଓ ବାଲିଅନ୍ତା‌ ଥାନା ପୁଲିସ ସେଠାରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଅପରାହ୍‌ଣରେ ପୁଲିସ ତାଙ୍କ ପରିବାରଲୋକଙ୍କୁ ଶବ ହସ୍ତାନ୍ତର କରିଛି। ଅପରପକ୍ଷେ ବାପା ଦାମୋଦରଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ନଂ ୭/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସୂଚନାନୁଯାୟୀ,ଦେବୀପ୍ରସାଦ ବାଲିଅନ୍ତା ଥାନା ଅଟଳାସ୍ଥିତ ମହିମା ଟାୱାରରେ ଏକ ଫ୍ଲାଟ୍‌ରେ ରୁହନ୍ତି। ଗତକାଲି ପୂର୍ବାହ୍ନରେ ୩ ସାଙ୍ଗ ସେଠାରେ ଭୋଜିଭାତ କରିଥିଲେ। ସଂଧ୍ୟାରେ ସେମାନେ ପୁରୀ କେନାଲ ସାଇଫନ ନିକଟରେ ଗାଧୋଉଥିବା ବେଳେ ପାଣି ସ୍ରୋତରେ ଭାସି ଯାଇଥିଲେ।

ସମ୍ବନ୍ଧିତ ଖବର