ନ୍ୟାୟ ଦାବିରେ ଥାନା ସମ୍ମୁଖରେ ରାସ୍ତାରୋକ

ଠକାମିର ଶିକାର ଯୁବକଙ୍କ ଆତ୍ମହତ୍ୟା

ଖଣ୍ଡଗିରି: ଡ୍ରାଏ କ୍ଲିନିଂ କାରଖାନାର ମାଲିକାଣୀଙ୍କ ଦ୍ୱାରା ଠକାମିର ଶିକାର ହେବା ପରେ ନ୍ୟାୟ ପାଇଁ ସବୁଆଡ଼ୁ ନିରାଶ ହୋଇଥିବା ଫୁଲେଶ୍ୱରୀ ବସ୍ତିର ଦେବରାଜ ସେଠୀ ଗତକାଲି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଆଜି ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲା। ତେବେ ମୃତ ଦେବରାଜଙ୍କ ପରିବାରଲୋକ ଓ ବସ୍ତିବାସିନ୍ଦାମାନେ ତାଙ୍କ ମୃତଦେହକୁ ଖଣ୍ଡଗିରି ଥାନା ସମ୍ମୁଖ ରାସ୍ତାରେ ରଖି ଧାରଣା ଦେଇଥିଲେ। ଉକ୍ତ କାରଖାନାର ମାଲିକାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସେମାନେ ଧାରଣା ଦେଇଥିଲେ। କିନ୍ତୁ ଠକିଥିବା ଡ୍ରାଏ କ୍ଲିନର ମାଲିକାଣୀଙ୍କ ଘର ଓ ବ୍ୟବସାୟ ଜନିତ ସମସ୍ତ କାରବାର ଜଟଣୀ ଥାନା ଅନ୍ତର୍ଗତ ଯାଁଳାରେ ହୋଇଥିବାରୁ ଖଣ୍ଡଗିରି ଥାନା ପୁଲିସ ଏହି ମାମଲାକୁ ଜଟଣୀ ଥାନାକୁ ନେବାକୁ ବୁଝାଇଥିଲା। ପରେ ଆନ୍ଦୋଳନକାରୀମାନେ ଧାରଣାରୁ ହଟିଥିଲେ ଓ ପରେ ଏ ନେଇ ସେମାନେ ଭୁବନେଶ୍ୱର ଡିସିପିଙ୍କୁ ଭେଟି ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି।

ଅଭିଯୋଗ ଅନୁସାରେ, ଖୋର୍ଧା ଆରିକମାର ଦେବରାଜ କୋଳଥିଆରେ ଏକ ଡ୍ରାଏ୍‌ କ୍ଲିନିଂ ଦୋକାନ କରିଛନ୍ତି। ସେ ବିଭିନ୍ନ ପୋଷାକପତ୍ର ଓ କମ୍ବଳ ଆଦି ସଂଗ୍ରହ କରି ଯାଁଳାସ୍ଥିତ ଏକ ଡ୍ରାଏ କ୍ଲିନିଂ କାରଖାନାରେ ସଫା କରିବା ପାଇଁ ଦିଅନ୍ତି। ଗତ କିଛି ମାସ ତଳେ ଦେବରାଜ ସେଠାରେ ୯୦ଟି କମ୍ବଳ ଦେଇଥିଲେ ଓ ସଫା ହେବା ପରେ ୬୩ଟି ଫେରି ପାଇଥିଲେ। କିନ୍ତୁ ଅବଶିଷ୍ଟ ୨୩ଟି କମ୍ବଳ ପରେ ପାଇବେ ବୋଲି ଆଉ ପାଇନଥିଲେ। ବାରମ୍ବାର ସେ ଉକ୍ତ କାରଖାନାର ମାଲିକାଣୀଙ୍କୁ ଅନୁରୋଧ କରିଥିଲେ ବି କିଛି ଫଳ ମିଳିନଥିଲା। ବରଂ ଉକ୍ତ ମାଲିକାଣୀ, ତାଙ୍କ ଝିଅ ଓ ଭଣଜା ଦେବରାଜଙ୍କୁ ମାଡ଼ ମାରି କାରଖାନା ଗେଟ୍‌ ବାହାରକୁ ତଡ଼ି ଦେଇଥିଲେ। ଏଣେ କ୍ଲିନିଂ ପାଇଁ ଦେଇଥିବା କମ୍ବଳର ଗ୍ରାହକମାନେ ଦେବରାଜଙ୍କୁ ଗାଳିମନ୍ଦ କରିଥିଲେ। ତେଣୁ ଗତକାଲି ସେ ଡୁମୁଡୁମା ଫେଜ୍‌-୪ସ୍ଥିତ ଏକ ବିଦ୍ୟାଳୟ ନିକଟରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍‌ସକୁ ନିଆଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର