ଖାଉଟିଙ୍କୁ ଶୋଷଣ : ମନଇଚ୍ଛା ବଢ଼ାଉଛନ୍ତି ପିିଆଜ ଦର

ଖଣ୍ଡଗିରିି: ମାତ୍ର ଗୋଟିଏ ଦିନରେ ବଢ଼ିଲା ୪ ଟଙ୍କା। ଗତକାଲି ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଆଜି ଖୁଚୁରା ବଜାରରେ ୨୪ ଟଙ୍କାରେ ବିକ୍ରି ହୋଇଛି। କୌଣସି କାରଣ ନଥାଇ ଖୁଚୁରା ବଜାରରେ ଏମିତି ହୁ ହୁ ହୋଇ ବଢ଼ି ଚାଲିଥିବା ପିଆଜ ଦର ଖାଉଟିଙ୍କୁ କନ୍ଦାଇଲାଣି। ଅଥଚ ଯୋଗାଣ ବିଭାଗ ନିଦାବିଷ୍ଣୁ ସାଜି ଚୁପ୍‌ ବସିଛିି। ବିଭାଗୀୟ ଇଣ୍ଟେଲିନେ୍‌ସି ଅଧିକାରୀମାନେ ହାତବାନ୍ଧି ବସିଥିବା ଅଭିଯୋଗ ହେଉଛି। ତେଣୁ ମନଇଚ୍ଛା ବର୍ଦ୍ଧିତ ଦରରେ ପିଆଜ ବିକି ଖୁଚୁରା ବେପାରୀମାନେ ଖାଉଟିଙ୍କୁ ଶୋଷଣ କରି ଚାଲିଛନ୍ତି।

କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ମାନ ଅନୁସାରେ ସେଠାରେ ପିଆଜର ପାଇକାରୀ ଦର ୧୧ଟଙ୍କାରୁ ୧୫ ଟଙ୍କା ପର୍ଯ୍ୟନ୍ତ ରହିଛି। ସବୁଠାରୁ ଭଲ ମାନର ପିଆଜର ପାଇକାରୀ ଦର ୧୫ ଟଙ୍କା ରହିଛି। ପୁଣି ଏବେ ଆମଦାନୀ ଅଧିକ ହେଉଥିବାରୁ କିଛି ବ୍ୟବସାୟୀ ଗଚ୍ଛିତ ରଖିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହି କାରଣରୁ ସେମାନେ ନିଜର କମିସନ୍‌ କାଟି କମ୍‌ ଲାଭରେ ବିକିବାକୁ ବାଧ୍ୟ ହେଉଥିବା କହୁଛନ୍ତି। ତେଣୁ ଖୁଚୁରା ବଜାରରେ ପିଆଜ ଦର ୨୪ ଟଙ୍କାକୁ ଯିବା କୌଣସି କାରଣ ନାହିଁ ବୋଲି ପାଇକାରୀ ବ୍ୟବସାୟୀମାନେ କହିଛନ୍ତି। ପାଇକାରୀ ବେପାରୀମାନଙ୍କ କହିବା କଥା, ଖୁଚୁରା ବେପାରୀମାନେ କିଲୋ ପିଛା ୪ଟଙ୍କାରୁ ୫ ଟଙ୍କା ଲାଭ ରଖି ବେପାର କଲେ, ପିଆଜର ଖୁଚୁରା ଦର ୧୫ ଟଙ୍କାରୁ ୨୦ ଟଙ୍କା ହେବା କଥା। ସବୁଠାରୁ ଭଲ ମାନର ପିଆଜ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହେବା କଥା। ମାତ୍ର ସେମାନଙ୍କ ଉପରେ କାହାର ନିୟନ୍ତ୍ରଣ ନଥିବାରୁ ସେମାନେ ମନ ଇଛା କିଲୋ ପିଛା ୯/୧୦ ଟଙ୍କା ଲାଭ ରଖି ବେପାର କରୁଛନ୍ତି। ଏପରିକି ଖୁଚୁରା ବେପାରୀମାନେ ନିମ୍ନମାନର ପିଆଜକୁ ବି ଭଲ ପିଆଜ ଦରରେ ବିକି ଭଲ ଲାଭ କମାଉଛନ୍ତି। ବିଶେଷକରି ବଜାରର ଏଭଳି ସ୍ଥିତିକୁ ବୁଝିପାରି ବହୁ ଖୁଚୁରା ବେପାରୀ ମଧ୍ୟମ ମାନର ପିଆଜକୁ ପାଇକାରୀ ଦର ୧୩ ଟଙ୍କାରେ କିଣି ଉତ୍କଷ୍ଟମାନର ପିଆଜ ହିସାବରେ (କିଲୋ ୨୪ ଟଙ୍କାରେ) ବିକି ଦେଉଛନ୍ତି। କିଲେ ଅଧ କିଲେ କିଣୁଥିବା ଖାଉଟିମାନେ ଏ ବାବଦରେ ଜାଣିବାର ଅବକାଶ ନାହିଁ କି କିଛି ଖାଉଟି ଜାଣୁଥିଲେ ବି କାହାକୁ କହିବେ କ’ଣ ଲାଭ ହେବ ବୋଲି ଧରି ନେଇ ଚୁପ୍‌ ରହୁଛନ୍ତି। ଆଜି ଖଣ୍ଡଗିରି ସାପ୍ତାହିକ ହାଟରେ ପରିବା କିଣୁଥିବା ବିଜୟା ନାଇଡ଼ୁ ନାମକ ଜଣେ ମହିଳାଙ୍କ କହିବା କଥା ତାଙ୍କ ଘର ଆଇଗିଣିଆ କୁବେରପୁରୀ ନିକଟରେ ଓ ସେ ପାଇକାରୀ ଦର ବାବଦରେ ଭଲଭାବେ ଜାଣନ୍ତି। କିନ୍ତୁ ଏହି ସାପ୍ତାହିକ ବଜାରରେ ସେ ୨୦ ଟଙ୍କା ଦେଇ ନିମ୍ନମାନର ପିଆଜ କିଣିବାକୁ ବାଧ୍ୟ ହେଉଛନ୍ତି। ଖୁଚୁରା ବେପାରୀମାନେ ଖାଉଟିଙ୍କୁ ଶୋଷଣ କରୁଛନ୍ତି ବୋଲି ଶ୍ରୀମତୀ ନାଇଡ଼ୁ କହିଥିଲେ। ଏଥିପ୍ରତି ଜିଲ୍ଲା ଯୋଗାଣ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌ ବୋଲି ସେ କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ଖୋର୍ଧା ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଖୁଚୁରା ବଜାରରେ ପିଆଜ ଦର ବୃଦ୍ଧି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ। ମାତ୍ର ଆଜି ଏହାର କୌଣସି ପ୍ରଭାବ ପଡ଼ିନାହିଁ। ବରଂ ଯୋଗାଣ ବିଭାଗକୁ ଚ୍ୟାଲେଞ୍ଜ୍‌ କଲା ଭଳି ଆଜି ପିଆଜ ଦର ଏକାଥରକେ ୪ ଟଙ୍କା ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର