ହୁ ହୁ ବଢ଼ୁଛି ପିଆଜ ଦର, ଖୁବ୍‌ଶୀଘ୍ର ୫୦ ଛୁଇଁବ!

ଖଣ୍ଡଗିରି: ମହାରାଷ୍ଟ୍ରର ନାସିକ୍ ଓ ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ୍‌ରେ ପିଆଜ ଦର ବୃଦ୍ଧି ହେତୁ ସମଗ୍ର ଦେଶରେ ପିଆଜ ଖାଉଟିଙ୍କୁ କନ୍ଦେଇବା ଆରମ୍ଭ କରିଛି। ଓଡ଼ିଶା ବଜା‌ରରେ ବି ହୁ ହୁ ବଢ଼ୁଛି ପିଆଜ ଦର। ଦିନ କେତେଟା ଭିତରେ ଏହା ୨୦ରୁ ବଢ଼ି ବଢ଼ି ୪୦ ଟଙ୍କା ଡେଇଁ ସାରିଲାଣି। ଖୁବ୍ ଶୀଘ୍ର ଏହା ୫୦ ଛୁଇଁଯିବ ବୋଲି କୁହାଯାଉଛି। ଚଳିତ ସପ୍ତାହ ପରେ ପରେ ଏହି ଦର ୫୦ଟଙ୍କାକୁ ଛୁଇଁବା ଏକପ୍ରକାର ନିଶ୍ଚିତ ବୋଲି ବ୍ୟବସାୟୀ ମହଲରୁ ସ୍ପଷ୍ଟ ସୂଚନା ମିଳି ସାରିଲାଣି। ଆନ୍ଧ୍ରପ୍ରଦେଶରେ ନୂଆ ପିଆଜ ଅମଳ ସତ୍ତ୍ବେ ଦର ହ୍ରାସର କୌଣସି ଲକ୍ଷଣ ଜଣା ପଡ଼ୁନାହିଁ। ଆଜି ଆଇଗିଣିଆ କୁବେରପୁରୀରୁ ମିଳିଥିବା ସୂଚନାନୁସାରେ, ପିଆଜର ପାଇକାରୀ ଦର କିଲୋ ପିଛା ୩୫/୩୬ ଟଙ୍କା ରହିଛି। ନିମ୍ନମାନର ପିଆଜ ଦର କିଲୋ ପିଛା ୩୨/୩୩ ଟଙ୍କା ରହିଛି। ଦୁଇ ଦିନ ପୂର୍ବେ ଏହି ଦର ଥିଲା ୨୮ରୁ ୩୦ ଟଙ୍କା। ତେଣୁ ଦୁଇ ଦିନ ଭିତରେ ଏହି ଦର ପ୍ରାୟ ୫ଟଙ୍କା ବୃଦ୍ଧି ପାଇଛି। ଏହି ହିସାବରେ ଯଦି ଦର ବୃଦ୍ଧି ଘଟିଚାଲେ, ତେବେ ଚଳିତ ସପ୍ତାହ ଶେଷ ସୁଦ୍ଧା ପାଇକାରୀ ଦର ୪୦ ଟଙ୍କାକୁ ଟପିଯିବ। ଫଳରେ ଖୁଚୁରା ବଜାର ଦର ସ୍ବତଃ ୫୦ ଟଙ୍କା ହୋଇଯିବ।

କ୍ୟାପିଟାଲ ହାଟରୁ ମିଳିଥିବା ସୂଚନାନୁସାରେ, ଆଜି ସନ୍ଧ୍ୟାରେ ପିଆଜ କିଲୋ ୪୨/୪୩ ଟଙ୍କା ରହିଛି। ପାଇକାରୀ ଦର ୩୫ଟଙ୍କାକୁ ବଢ଼ି ଯାଇଥିବାରୁ ଖୁଚୁରା ଦର ୪୨/୪୩ ଟଙ୍କା ରହିଛି। ନାସିକ୍ ଓ କର୍ଣ୍ଣୁଲ୍‌ରେ ମଧ୍ୟ ପାଇକାରୀ ଦର ୩୫ଟଙ୍କା ରହିଛି। ତେଣୁ ଭୁବନେଶ୍ବରରେ ଅଧିକ ହେବା କଥା। ମାତ୍ର ଗତକାଲି ମାସଅନ୍ତ ପାଇଁ କୁବେରପୁରୀ ବନ୍ଦ ଥିବାରୁ ଆମଦାନି ହୋଇଥିବା ପିଆଜ ଷ୍ଟକ୍ ବଢ଼ି ଯାଇଥିଲା। ତେଣୁ ପାଇକାରୀ ଦର ବୃଦ୍ଧି ନ କରି ବ୍ୟବସାୟୀମାନେ ପୁରୁଣା ଦର ଲାଗୁ କରିଛନ୍ତି। ଆସନ୍ତାକାଲିକୁ ଏହି ପରିସ୍ଥିତି ବଦଳି ଯାଇଥିବ ଓ ଦର ବୃଦ୍ଧି କରାଯିବ ବୋଲି ସେମାନେ କହିଛନ୍ତି। ବ୍ୟବସାୟୀ ସଂଘର ସମ୍ପାଦକ ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ ସୂଚନାନୁସାରେ, ପ୍ରାୟ ମାସକ ଭିତରେ ଦର ହ୍ରାସ ପାଇବାର ସମ୍ଭାବନ‌ା ନାହିଁ। ମହାରାଷ୍ଟ୍ରରେ ବର୍ଷାଜନିତ କ୍ଷୟକ୍ଷତି ପାଇଁ ଅମଳ ହ୍ରାସ ପାଇଥିବା ବେଳେ ଚାଷୀମାନେ ଅଧିକ ଦର ଧାର୍ଯ୍ୟ କରୁଛନ୍ତି। ଏହି ମଉକାରେ ଆନ୍ଧ୍ରପ୍ରଦେଶର ଚାଷୀମାନେ ମଧ୍ୟ ରପ୍ତାନି ପରିମାଣକୁ ନିୟନ୍ତ୍ରଣ କରିଥିବା ଜଣାପଡ଼ିଛି। ନୂଆ ଅମଳ ସତ୍ତ୍ବେ ଅଧିକ ଦରରେ ବିକିବା ପାଇଁ ଆନ୍ଧ୍ର ଚାଷୀମାନେ କିଛି ଦିନ ପାଇଁ ରପ୍ତାନିରୁ ମୁହଁ ଫେରାଇ ନେଇଛନ୍ତି। ଆଉ ଏକ ଅମଳ ସିଜିନ୍ ପାଖାପାଖି ନ ହେବା ପର୍ଯ୍ୟନ୍ତ ପିଆଜ ବର୍ଦ୍ଧିତ ଦର ଜାରି ରହିବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର