ଭୁବନେଶ୍ୱର : ରାଜଧାନୀରେ ପିଆଜ ଦର ଏକାଥରକେ ୨୦ ଟଙ୍କା ବୃଦ୍ଧି ପାଇଛି। ଦୁଇ ଦିନ ପୂର୍ବେ କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଆଜି ରାଜଧାନୀର ବହୁ ବଜାର ତଥା ହାଟରେ ୫୦ ଟଙ୍କାରେ ବିକ୍ରି ହୋଇଛି। ଅଚାନକ ଭାବେ ଏଭଳି ଦର ବୃଦ୍ଧି ଆଜି ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଛି। ପରିବା ଦର ଆକାଶଛୁଆଁ ହୋଇଥିବା ବେଳେ ହଠାତ୍ ପିଆଜ ବଜାରରେ ଲାଗିଥିବା ନିଆଁ ଗରିବ ଖାଉଟିଙ୍କ ଉପରେ ନିର୍ଘାତ ପ୍ରହାର କରିଛି। ମହାରାଷ୍ଟ୍ର, ବେଙ୍ଗାଲୁରୁ ଓ ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା କାରଣରୁ ପିଆଜ ଦର ବଢ଼ିଛି ବୋଲି ବ୍ୟବସାୟୀ ମହଲରୁ ସଫେଇ ଦିଆଯାଉଥିଲେ ହେଁ ଏହା ପଛରେ ବଡ଼ବଡ଼ ପାଇକାରୀ ବେପାରୀଙ୍କ ଲାଭଖୋର୍‌ ମନବୃତ୍ତି ହିଁ ଦାୟୀ ବୋଲି ଜଣାପଡ଼ିଛି। ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍‌ କଟକଣା କୋହଳ ହେବା ମଉକାର ଉପୋଯୋଗ କରି ବଡ଼ବଡ଼ ପାଇକାରୀ ବେପାରୀମାନେ ଖାଉଟିଙ୍କୁ ଶୋଷଣ କରିବା ଆରମ୍ଭ କରିଛନ୍ତି ବୋଲି ବଜାର ବିଶେଷଜ୍ଞମାନେ ଅଭିଯୋଗ କରିଛନ୍ତି।

Advertisment

ଆଇଗିଣିଆ କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ଏବେ ପିଆଜର ପାଇକାରୀ ଦର ୩୫ ଟଙ୍କାରୁ ୩୭ ଟଙ୍କା ରହିଛି। ତେଣୁ ଖୁଚୁରା ବଜାର ମୂଲ୍ୟ କିଲୋ ପିଛା ଅତିବେଶିରେ ୪୨ ଟଙ୍କା ହେବା କଥା। ରାଜଧାନୀର କିଛି ହାଟରେ ମଧ୍ୟ ଏହି ଦର ରହିଛି। ୧ ନମ୍ବର ହାଟରେ ପିଆଜ ୪୨ରୁ ୪୫ ଟଙ୍କାରେ ବିକ୍ରି ହେଉଛି। ତେବେ ରାଜଧାନୀ ଉପକଣ୍ଠ ଓ ଗଳିକନ୍ଦି ବଜାରରେ ଆଜି ପିଆଜ କିଲୋ ୫୦ ଟଙ୍କା ହୋଇଯାଇଛି। ଡମଣା ହାଟ, ଭିଏସ୍‌ଏସ୍‌ନଗର ହାଟ ଭଳି ବହୁ ସ୍ଥାନରେ ମଧ୍ୟ ପିଆଜ ଦର ୫୦ ଟଙ୍କା ହୋଇଥିବା ଜଣାପଡ଼ିଛି। କୁବେରପୁରୀର କିଛି ବ୍ୟବସାୟୀଙ୍କ ସୂଚନାନୁସାରେ ଗତ ପ୍ରାୟ ସପ୍ତାହେ ହେଲା କ୍ରମାଗତ ଭାବେ ପିଆଜ ଦର ବଢ଼ୁଛି। ସପ୍ତାହକ ପୂର୍ବରୁ ପାଇକାରୀ ବଜାରରେ ପିଆଜ ଦର କ୍ବିଣ୍ଟାଲ ପିଛା ୨ ହଜାରରୁ ଅଢ଼େଇ ହଜାର ଟଙ୍କା ଥିଲା। ତେଣୁ ଖୁଚୁରା ବଜାରରେ କିଲୋ ପିଛା ୨୫ ଟଙ୍କାରୁ ୩୦ ଟଙ୍କା‌ରେ ପିଆଜ ମିଳୁଥିଲା। ମାତ୍ର ଗତ ସପ୍ତାହରେ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା କାରଣରୁ ପିଆଜ ବଜାର ପ୍ରଭାବିତ ହେଲା। ଫଳରେ ଧୀରେଧୀରେ ଦର ବଢ଼ି ଚାଲିଲା। ଦୁଇ ଦିନ ପୂର୍ବେ ବି ପାଇକାରୀ ଦର ୨୭ ଟଙ୍କା ଥିଲା। ତେଣୁ ଖୁଚୁରା ବଜାରରେ ପିଆଜ ୩୦/୩୨ ଟଙ୍କାରେ ମିଳୁଥିଲା। କିନ୍ତୁ ଗତକାଲି ପାଇକାରୀ ବଜାରରେ ତାତି ସୃଷ୍ଟି ହୋଇଛି। ହଠାତ୍ କ୍ବିଣ୍ଟାଲ ପିଛା ପାଖାପାଖି ୮/୧୦ ଟଙ୍କା ବଢ଼ିଯାଇଛି। ତେଣୁ ପାଇକାରୀ ଦର ୩୭ ଟଙ୍କାରେ ପହଞ୍ଚି ଥିବାରୁ ଖୁଚୁରା ବଜାରରେ ପିଆଜ ଦର ୫୦କୁ ଛୁଇଁଛି।

କୁବୋପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ କହିବା କଥା ଖରିଫ୍ ପିଆଜ ବା ଜୁଲାଇ ମାସରେ ଲଗାଯାଇଥିବା ପିଆଜ ସାଧାରଣତଃ ସେପ୍ଟେମ୍ବର ଶେଷ ଓ ଅକ୍ଟୋବର ପ୍ରଥମ ସପ୍ତାହରେ ଅମଳ ହୁଏ। ମାତ୍ର ଲଗାଣ ବର୍ଷା କାରଣରୁ ଚାଷୀମାନେ ଅମଳ କରିବା ବିଳମ୍ବ କରିଛନ୍ତି। ଜମି ଓଦା ଥିବାରୁ ପିଆଜ ଅମଳ ହୋଇପାରିନାହିଁ। ବେଙ୍ଗାଲୁରୁ, ମହାରାଷ୍ଟ୍ର ନାସିକ୍, ଲାସଲ୍‌ଗାଓଁ ଓ ଆନ୍ଧ୍ରପ୍ର‌େ‌ଦେଶର କର୍ନୁଲ୍‌ ଭଳି ଅଞ୍ଚଳରେ ଖରିଫ୍ ପିଆଜ ଅମଳ ବିଳମ୍ବିତ ହୋଇଛି। ଗୋଟିଏ ପଟେ ମହଜୁଦ୍‌ ଥିବା ପୁରୁଣା ପିଆଜ ସରି ଆସିଥିବା ବେଳେ ନୂଆ ପିଆଜ ଅମଳ ହୋଇପାରିନଥିବାରୁ ଆମଦାନି କମିଛି। ତେଣୁ ଚାହିଦା ତୁଳନାରେ ବଜାରକୁ ଯୋଗାଣ କମ୍ ହେବାରୁ ସ୍ବାଭାବିକ ଭାବେ ଦର ବୃଦ୍ଧି ହୋଇଛି। ଏହା ସାମୟିକ ପ୍ରଭାବ, ଆଉ ଦୁଇ ସପ୍ତାହ ଭିତରେ ନୂଆ ପିଆଜ ଅମଳ ହେଲେ ପୁଣି ସ୍ବାଭାବିକ ସ୍ଥିତି ହୋଇଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ତେବେ ଅନ୍ୟ କିଛି ବ୍ୟବସାୟୀମାନଙ୍କ ସୂଚନାନୁସାରେ ମହଜୁଦ୍‌ କଟକଣା କୋହଳ ହୋଇଯିବା କାରଣରୁ ଆଜି ପିଆଜ ବଜାରରେ ଅଚାନକ ଦରବୃଦ୍ଧି ହୋଇଛି। ନୂଆ ପିଆଜ ଅମଳ ବିଳମ୍ବିତ ହୋଇଥିବା ସୁଯୋଗରେ ମରାଠି ଓ ଆନ୍ଧ୍ର ପାଇକାରୀ ବେପାରୀମାନେ ସେମାନଙ୍କ ବଡ଼ବଡ଼ ଗୋଦାମରେ ମାଲ୍ ଚାପି ରଖିଛନ୍ତି। ସେମାନେ ବଜାର ଆବଶ୍ୟକତାରୁ କମ୍ ପରିମାଣର ମାଲ୍ ଛାଡ଼ି କୃତ୍ରିମ ଅଭାବ ସୃଷ୍ଟି କରିଛନ୍ତି। ଦେଶରେ ନୂଆ କୃଷି ଆଇନ ଲାଗୁ ହେଲେ ଏହିଭଳି କୁପ୍ରଭାବ ପଡ଼ିବ ବୋଲି ସେମାନେ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

publive-image The Economic Times

ପରିବା ଦର ବି ଆକାଶଛୁଆଁ
ଗତ ପ୍ରାୟ ସପ୍ତାହେ ହେଲା ରାଜଧାନୀର ପରିବା ବଜାରରେ ମଧ୍ୟ ଦର ବୃଦ୍ଧି ଘଟିଛି। ଲଗାଣ ବର୍ଷା କାରଣରୁ ପରିବା ଫସଲ ବ୍ୟାପକ ନଷ୍ଟ ହୋଇଥିବାରୁ ପରିବା ଦର ଆକାଶଛୁଆଁ ହୋଇଛି। ଏବେ ବାଇଗଣ କିଲୋ ୫୦ରୁ ୬୦ ଟଙ୍କା, ବିନ୍‌ସ କିଲୋ ୧୨୦ ଟଙ୍କା, ପୋଟଳ ୮୦ ଟଙ୍କା, କଲରା ୬୦ ଟଙ୍କା, ଝୁଡ଼ଙ୍ଗ ୫୦ ଟଙ୍କା, ଜହ୍ନି ୫୦ ଟଙ୍କା, କାକୁଡ଼ି ୫୦ ଟଙ୍କା ଦରରେ ବିକ୍ରି ହେଉଛି। କୌଣସି ସବୁଜ ପରିବା ୪୦ ଟଙ୍କା ତଳକୁ ନାହିଁ। ଟମାଟୋ କିଲୋ ୫୦ରୁ ୬୦ ଟଙ୍କା ମଧ୍ୟରେ ରହିଛି। ସେହିଭଳି ସାଧାରଣ ଆକାରର ଫୁଲକୋବି ମଧ୍ୟ ୫୦ରୁ ୬୦ଟଙ୍କା ମଧ୍ୟରେ ରହିଛି। ଗତ ମାସରେ ପ୍ରାୟ ସବୁ ପରିବା ଦର ୨୦ ଟଙ୍କାରୁ ୪୦ ଟଙ୍କା ମଧ୍ୟରେ ଥିଲା। ପୋଟଳ ୪୦ ଓ ଟମାଟୋ ମଧ୍ୟ ୩୦ ଟଙ୍କାରେ ବିକ୍ରି ହେଉଥିଲା। କିନ୍ତୁ ଗତ ଲଗାଣ ବର୍ଷା ପରଠାରୁ ସବୁ ପରିବା ଦର ବଢ଼ିଛି। ତେବେ ବଡ଼ କଥା ହେଲା ଆଳୁ ଦର ସ୍ବାଭାବିକ ୧୫/୧୬ ଟଙ୍କା ରହିଛି। ତେଣୁ ଏବେ ଗରିବ ଖାଉଟିଙ୍କୁ ଆଳୁ ବଞ୍ଚାଇଛି ବୋଲି ଚର୍ଚ୍ଚା ହେଉଛି।