କମିଲା ଆମଦାନି : ୧୦୦ଟଙ୍କାରେ ବିକ୍ରି ହେଉଛି ପୁରୁଣା ପିଆଜ

ଭୁବନେଶ୍ବର : ଦୁଇ ଦିନ ହେଲା ରାଜଧାନୀକୁ ପିଆଜ ଆମଦାନି ହ୍ରାସ ପାଇଛି। ଶୁକ୍ରବାର ପାଖାପାଖି ୧୦୦ ଟନ୍‌ ଓ ଶନିବାର ମାତ୍ର ୪୦ ଟନ୍‌ ପିଆଜ ଭୁବନେଶ୍ବର କୁବରେପୁରୀକୁ ଆସିଛି। ବଡ଼ କଥା ହେଉଛି, ଆମଦାନି କମିବା ସହିତ ତାଳ ଦେଇ ଚାହିଦା ମଧ୍ୟ ବେଶ୍ ହ୍ରାସ ପାଇଛି। ଫଳରେ ଖାଉଟି ବଜାରର ମାନ୍ଦାବସ୍ଥା ପାଇଁ ପିଆଜ ଦର ବୃଦ୍ଧି ହୋଇପାରିନାହିଁ। ପୂର୍ବବତ୍ ଆନ୍ଧ୍ରପ୍ରଦେଶ ନୂଆ ପିଆଜର ପାଇକାରୀ ଦର କିଲୋ ପିଛା ୭୨ ଟଙ୍କା ଥିବାବେଳେ ମହାରାଷ୍ଟ୍ରରୁ ଆସୁଥିବା ପୁରୁଣା ପିଆଜ କିଲୋ ପିଛା ୮୨/୮୫ ଟଙ୍କା ରହିଛି। ତେଣୁ ଖୁଚୁରା ବଜାରରେ ନୂଆ ପିଆଜ କିଲୋ ୮୦/୮୫ ଟଙ୍କା ରହିଥିବାବେଳେ ବଜାରରେ କ୍ବଚିତ୍ ମିଳୁଥିବା ପୁରୁଣା ପିଆଜ ଦର ୧୦୦ ଟଙ୍କାକୁ ଛୁଇଁଛି।

କୁବେରପୁରୀରୁ ମିଳିଥିବା ସୂଚନାନୁସାରେ, ଏବେ ଖାଉଟି ବଜାରରେ ଘୋର ମାନ୍ଦାବସ୍ଥା ଦେଖାଯାଇଛି। ପିଆଜ ଦର ୮୦ଟଙ୍କା ଟପିବା ପରେ ଲୋକେ ପିଆଜ ଖାଇବା କମାଇ ଦେଇଛନ୍ତି। ରାଜଧାନୀ ଓ ପଡ଼ୋଶୀ ବଜାରରେ ଦୈନିକ ୨୫୦ ଟନ୍‌ ପିଆଜ ଆବଶ୍ୟକତା ଥିବା ବେଳେ ଏବେ ମାତ୍ର ୫୦/୬୦ ଟନ୍‌ ମାଲ୍ ବିକ୍ରି ହେଉଛି। ତେଣୁ ଏଭଳି ଅବସ୍ଥାରେ ବ୍ୟବସାୟୀମାନେ ମାଲ୍ ମଗାଇବାକୁ ଭୟ କରୁଛନ୍ତି। କିଛି ବ୍ୟବସାୟୀଙ୍କ କହିବା କଥା, ଦୁଇ ସପ୍ତାହ ମଧ୍ୟରେ ସେମାନେ ଲକ୍ଷାଧିକ ଟଙ୍କା କ୍ଷତି ସହିଲେଣି। ଆନ୍ଧ୍ରପ୍ରଦେଶରୁ ଆସୁଥିବା ନୂଆ ପିଆଜ ଖୁବ୍‌ ଶୀଘ୍ର ପଚି ଯାଉଛି। ଦରବୃଦ୍ଧି ପାଇଁ ଅଧିକ ଲାଭ ଆଶାରେ ସେଠିକାର ଚାଷୀମାନେ ନିର୍ଧାରିତ ସମୟ ପୂର୍ବରୁ ପିଆଜ ଖୋଳି ପକାଇଥିବାରୁ ସେଗୁଡ଼ିକ ଅଧିକ ଦିନ ରହି ପାରୁନାହିଁ। ଏଣେ ଦରବୃଦ୍ଧି ପାଇଁ ବଜାରରେ ପିଆଜ ଚାହିଦା କମିଛି। ତେଣୁ ବିକ୍ରି କମିଥିବାରୁ ଗୋଦାମରେ ପିଆଜ ପଚିସଢ଼ି ନଷ୍ଟ ହେଉଛି।

ନାସିକ୍ ପିଆଜ(ପୁରୁଣା)ର ପାଇକାରୀ ଦର ୮୦ ଟଙ୍କାରୁ ଅଧିକ ରହୁଛି। ତେଣୁ ଖାଉଟି ବଜାରରେ ଏହାର ଚାହିଦା ଖୁବ୍‌ ବେଶି ପରିମାଣରେ କମିଛି। କେବଳ ବଡ଼ ବଡ଼ ହୋଟେଲ ଓ ବିବାହ, ବ୍ରତ ଭଳି କାମରେ ନାସିକ୍ ପିଆଜର ଚାହିଦା ଥିବାରୁ କିଛି ବ୍ୟବସାୟୀ ଅଳ୍ପ ପରିମାଣରେ ଏହି ମାଲ୍ ଆଣୁଛନ୍ତି। ତେଣୁ ଏବେ ବହୁ ବ୍ୟବସାୟୀ ପିଆଜ କାରବାରରୁ ମୁହଁ ଫେରାଇ ହାତ ବାନ୍ଧି ବସିଛନ୍ତି। ଏବେ ପରିସ୍ଥିତି ଯାହା, ଆମଦାନି କମୁଥିବାରୁ ଆଗକୁ ପିଆଜ ଦର ଆହୁରି ବଢ଼ିବ। ଆଉ କିଛି ବ୍ୟବସାୟୀମାନଙ୍କ ସୂଚନାନୁସାରେ, ଇଜିପ୍ଟ ପିଆଜ ଭାରତ ବଜାରକୁ ଆସିବା ପରେ ସ୍ଥିତିରେ ପରିବର୍ତ୍ତନ ଆସିପାରେ। ସରକାରଙ୍କ ଏହି ପଦକ୍ଷେପ ଯେ ଆଶାନୁରୂପକ ଦର ହ୍ରାସ କରିବ, ତାହା ନୁହେଁ। ବରଂ ବିଳମ୍ବରେ ଚାଷ କରାଯାଇଥିବା ହୋଇଥିବା ଖରିଫ୍ ପିଆଜ ଅମଳ ହେବା ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ। ଜାନୁଆରି ପର୍ଯ୍ୟନ୍ତ ଖାଉଟିମାନେ ହନ୍ତସନ୍ତ ହେବା ନିଶ୍ଚିତ।

ସମ୍ବନ୍ଧିତ ଖବର