ଗତ ଦୁଇ ମାସ ଧରି ବଢ଼ି ଚାଲିଥିବା ପିଆଜ ଦର ତଳକୁ ଖସିବା ନାଁ ଧରୁନାହିଁ : ଖୁଚୁରା ବଜାରରେ ପିଆଜ କିଲୋ ୪୦ ଛୁଇଁଲା

ଖଣ୍ଡଗିରି : ଗତ ଦୁଇ ମାସ ଧରି ବଢ଼ି ଚାଲିଥିବା ପିଆଜ ଦର ତଳକୁ ଖସିବା ନାଁ ଧରୁନାହିଁ। ମାସକ ଭିତରେ ଏହି ଦର ୩ ଗୁଣରୁ ଅଧିକ ବୃଦ୍ଧି ପାଇସାରିଲାଣି। ଗୁରୁବାରଠାରୁ ଖୁଚୁରା ବଜାରରେ କିଲୋ ପିଛା ୪୦ ଟଙ୍କାକୁ ଛୁଇଁଛି। ରାଜଧାନୀରେ କେଉଁଠି ୩୮ ଟଙ୍କା ତ କେଉଁଠି ୪୦ ଟଙ୍କାରେ ବିକ୍ରି ହେଉଛି। ପାଇକାରୀ ବଜାରରେ କିଲୋ ପିଛା ୩୦ ଟଙ୍କା ହୋଇଥିବା‌ବେଳେ ଯୋଗାଣ ବିଭାଗର ଉଦାସୀନତା ପାଇଁ ଖୁଚୁରା ବେପାରୀମାନେ ଗ୍ରାହକଙ୍କୁ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ମହାରାଷ୍ଟ୍ରର ଲଗାଣ ବର୍ଷା ସାଙ୍ଗକୁ ଦେଶର ନୂଆ ମୋଟର ଯାନ ଆଇନ୍‌ ପାଇଁ ଖାଉଟିଙ୍କ ଉପରେ ପିଆଜ ଦର ବୃଦ୍ଧି ମାଡ଼ ପଡ଼ିଛି ବୋଲି ବ୍ୟବସାୟୀ ମାନେ କହିଛନ୍ତି। ଆଇଗିଣିଆ କୁ‌ବେରପୁରୀରୁ ମିଳିଥିବା ସୂଚନାନୁସାରେ ଉଚ୍ଚମାନ ପିଆଜର ପାଇକାରୀ ଦର କିଲୋ ପିଛା ୩୦ ଟଙ୍କା ରହିଛି। ନାସିକ୍‌ରେ ପାଇକାରୀ ଦର ୨୮ ଟଙ୍କା ଥିବାବେଳେ ଭୁବନେଶ୍ବରରେ ୩୦ ଟଙ୍କା ରହିଛି। ନାସିକ୍‌ ଓ ଭୁବନେଶ୍ବର ମଧ୍ୟରେ ଦର ପାର୍ଥକ୍ୟ ଅଧିକ ରହୁନଥିଲେ ମଧ୍ୟ ଆମଦାନୀ ପ୍ରଭାବିତ ହୋଇନାହିଁ ବୋଲି ବ୍ୟବସାୟୀମାନେ କହିଛନ୍ତି।

ଦୈନିକ ୧୫୦ରୁ ୧୬୦ ଟନ୍‌ ମାଲ୍ ରାଜଧାନୀକୁ ଆସୁଛି। ତେଣୁ ପାଇକାରୀ ବଜାରରୁ ଗ୍ରାହକଙ୍କ ପାଇଁ କୌଣସି ସମସ୍ୟା ନଥିବା କୁହାଯାଉଛି। କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ କହିବା କଥା ଦେଶର ସବୁ ପ୍ରମୁଖ ସହର ତୁଳନାରେ ଭୁବନେଶ୍ବରରେ ପିଆଜ ଦର କମ୍ ରହିଛି। ତେଣୁ ଖୁଚୁରା ବଜାରରେ ଏହି ଦର ଅତିବେଶୀରେ ୩୫ ଟଙ୍କା ରହିବା କଥା। ମାତ୍ର କ୍ୟାପିଟାଲ ହାଟରୁ ମିଳିଥିବା ସୂଚନାନୁସାରେ ପିଆଜ କିଲୋ ୩୬ ଟଙ୍କାରୁ ୩୮ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ସେହିଭଳି ରାଜଧାନୀର ଅନ୍ୟ କେତେକ ସାପ୍ତାହିକ ହାଟରେ କି‌ଲୋ ୪୦ ଟଙ୍କା ହୋଇଥିବା ଜଣାପଡ଼ିଛି। ଗୁରୁବାର ସନ୍ଧ୍ୟାରେ ଜଟଣୀରେ ପିଆଜ କିଲୋ ୪୦ ଟଙ୍କା‌ ରହିଛି। ତେଣୁ ଖୁଚୁରା ବେପାରୀମାନେ କିଲୋ ପିଛା ୮ରୁ ୧୦ ଟଙ୍କା ମୁନାଫା ରଖି ଗ୍ରାହକମାନଙ୍କୁ ଶୋଷଣ କରୁଛନ୍ତି। ଏଥିପାଇଁ ଯୋଗାଣ ବିଭାଗ ତତ୍ପର ହେବା ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ଶେଷ ସପ୍ତାହ ବେଳକୁ ପିଆଜ ଦର କିଲୋ ପିଛା ୧୨ ଟଙ୍କା ଥିଲା। ମାତ୍ର ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେବା କାରଣରୁ ହଠାତ୍ ପିଆଜ ଦର ବଢ଼ିବାରେ ଲାଗିଲା ଓ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହା ୩୦ ଟଙ୍କାକୁ ଟପିଗଲା ଓ ଏବେ ୪୦ ଟଙ୍କାରେ ପହଞ୍ଚିଛି। ବର୍ଷା ଯୋଗୁଁ ପିଆଜ ଚାଷ ଓ ଅମଳ ବାଧାପ୍ରାପ୍ତ ହେବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ଏବେ ଆନ୍ଧ୍ରପ୍ରଦେଶରେ ନୂଆ ପିଆଜ ଅମଳ ହେଲାଣି। ତେଣୁ ପିଆଜ ଦର କମିବା କଥା। ମାତ୍ର ଦେଶରେ ଲାଗୁ ହୋଇଥିବା ନୂଆ ମୋଟରଯାନ ଆଇନ୍ ପାଇଁ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଆଉ ପିଆଜ ଦର କମିବା ଆଶା କମ୍ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର