ଭୁବନେଶ୍ବର: ସାଧାରଣ ଲୋକଙ୍କ ପାଇଁ ଯୋଜନା ଆଳରେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହେଉଛି। କିନ୍ତୁ ଏଥିରୁ ସିଂହଭାଗ ବାଟମାରଣା ହୋଇଯାଉଛି। ନୀତି ନିୟମକୁ ଦଳି ମକଚି ଦେଉଛନ୍ତି ସରକାରୀ ବାବୁ। ପ୍ରମାଣ ଲିଭାଇବାକୁ ଯାଇ ନୋଟ୍‌ ସିଟ୍‌ ବଦଳାଇ ଦେଉଛନ୍ତି। ନକଲି ନଥି ପ୍ରସ୍ତୁତ କରି ଯୋଜନା ଅର୍ଥକୁ ହଡ଼ପ କରି ନେଉଛନ୍ତି। ବିଏମ୍‌ସି, ବିଡିଏ, ସ୍ମାର୍ଟ ସିଟି, କ୍ରୁଟ୍‌ ପ୍ରଭୃତି କାର୍ଯ୍ୟାଳୟରେ ଏଭଳି କାରବାର ବଢ଼ି ବଢ଼ି ଚାଲିଥିବାବେଳେ ପ୍ରଶ୍ନ ଉଠାଇବାକୁ କେହି ନାହାନ୍ତି। ବିଏମ୍‌ସି କର୍ପୋରେସନ ବୈଠକରେ ଦୁର୍ନୀତି ବିରୋଧରେ ସ୍ବର ଉଠାଉଥିବା ଏକମାତ୍ର କର୍ପୋରେଟରଙ୍କ ମୁହଁ ବନ୍ଦ କରିବାକୁ ଖୋଲା ବୈଠକରେ କେତେକ କର୍ପୋରେଟର ଚିହିଁକି ଆସିବା ଭଳି ନଗ୍ନ ଉଦାହରଣ ବିଏମ୍‌ସିରେ ରହିଛି। ଏଭଳି ସ୍ଥିତିରେ ଦୁର୍ନୀତି ବାବଦରେ ତଥ୍ୟ ହାସଲ ପାଇଁ ବ୍ୟବସ୍ଥା ଥିବା ସୂଚନା ଅଧିକାର ଆଇନକୁ ମଧ୍ୟ ବାବୁମାନେ ନିଜ ପକେଟ୍‌ରେ ରଖିଛନ୍ତି। ସୂଚନା ଅଧିକାର କର୍ମୀଙ୍କୁ ଅଫିସ୍‌ ଡାକି ଧମକ ଦେଉଥିବା ଅଭିଯୋଗ ଅନେକ ଅଧିକାରୀଙ୍କ ବିରୋଧରେ ରହିଛି। ଏଣୁ ଘରେ ବସି କିଭଳି ଏହି ସବୁ ସୂଚନା ପାଇ ହେବ, ସେଥିପାଇଁ ଏହାକୁ ଅନ୍‌ ଲାଇନ୍‌ କରାଯାଇଛି। ସରକାର ଏଥିପାଇଁ ସ୍ବତନ୍ତ୍ର ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଛନ୍ତି। ହେଲେ ଏହି ବ୍ୟବସ୍ଥାକୁ ବି ବାବୁମାନେ ଏଭଳି ମୋଡ଼ି ଦେଇଛନ୍ତି କି ଆବେଦନକାରୀ ଅଫିସ୍‌ ଯିବାକୁ ବାଧ୍ୟ।

Advertisment

ବିଏମ୍‌ସି, ବିଡିଏ, କ୍ରୁଟ୍‌ ଓ ସ୍ମାର୍ଟ ସିଟି ସମ୍ବନ୍ଧରେ ସୂଚନା ପାଇବା ପାଇଁ ହୋଇଥିବା ବ୍ୟବସ୍ଥା (bhubaneswar.me)ରେ ମନୁଷ୍ୟକୃତ ତ୍ରୁଟି ଏହି ଆଇନକୁ ପ୍ରହସନ କରିଦେଇଛି। ସୂଚନା ଅଧିକାରରେ ଆବେଦନ କରିବାଲାଗି ସ୍ବତନ୍ତ୍ର ଫର୍ମାଟ୍‌ ରହିଛି। ଫର୍ମକୁ ପୂରଣ କରି ଆବଶ୍ୟକ ଫି ସହ ସମ୍ପୃକ୍ତ କାର୍ଯ୍ୟାଳୟରେ ଦାଖଲ କଲେ ୩୦ ଦିନ ମଧ୍ୟରେ ସୂଚନା ଦେବା ଆଇନ୍‌ରେ ରହିଛି। ବିଭିନ୍ନ ସମୟରେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ଓ କରୋନା ସମୟରେ ବିଭିନ୍ନ ଅଫିସ୍‌ ବାରଣ ହେବା ପରେ ଏହି ବ୍ୟବସ୍ଥାକୁ ଏବେ ଅନ୍‌ଲାଇନ୍‌ କରାଯାଇଛି। ସରକାରଙ୍କ ପକ୍ଷରୁ ଗୋଟିଏ ପ୍ଲାଟ୍‌ଫର୍ମ (https://rtiodisha.gov.in) ଆରଟିଆଇ ସେଣ୍ଟ୍ରାଲ ମନିଟରିଂ ମେକାନିଜମ୍‌ ନାମରେ ସମସ୍ତ ସରକାରୀ ବିଭାଗରୁ ସୂଚନା ପାଇବା ପାଇଁ ଆବେଦନ କରିବାକୁ ବ୍ୟବସ୍ଥା ରହିଛି। ଅନ୍‌ଲାଇନ୍‌ରେ ଫି ଦାଖଲ ବ୍ୟବସ୍ଥା ସହ ଇ-ମେଲ୍‌ ଜରିଆରେ ସୂଚନା ପହଞ୍ଚାଇବା ସୁବିଧା ଦିଆଯାଇଛି। ଏଥିରେ ସରକାରୀ କାର୍ଯ୍ୟାଳୟ ସମେତ ବିଏମ୍‌ସି, ବିଡିଏ, କ୍ରୁଟ୍‌ ଓ ସ୍ମାର୍ଟ ସିଟି ମଧ୍ୟ ରହିଛନ୍ତି। କିନ୍ତୁ ଏଥିରେ ଆବେଦନ କଲେ ମାସେ କଣ ବର୍ଷ ବର୍ଷ ଧରି ସୂଚନା ଆସେ ନାହିଁ। ଅପିଲ୍‌ କଲେ ମଧ୍ୟ ଉତ୍ତର ଆସେ ନାହିଁ। ଏହାର ସ୍ଥିତାବସ୍ଥା ଯାଞ୍ଚ କଲେ ଉତ୍ତର ଆସେ 'ଆପ୍ଲିକେସନ ପେଣ୍ଡିଂ'। ବାସ୍ତବରେ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଆସୁଥିବା ଆବେଦନକୁ ସମ୍ପୃକ୍ତ ବିଭାଗର ସୂଚନା ଅଧିକାରୀମାନେ ଦେଖନ୍ତି ନାହିଁ।

ଏଭଳି ଗଦା ଗଦା ଅଭିଯୋଗ ଆସିବାରୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ବିଏମ୍‌ସି, ବିଡିଏ, କ୍ରୁଟ୍‌ରୁ ସୂଚନା ପାଇବା ପାଇଁ ଭୁବନେଶ୍ବର ଡଟ୍‌ ଏମ୍‌ଇ (bhubaneswar.me) ବ୍ୟବସ୍ଥା କରାଯାଇଛି। ଏଥିରେ ଆବେଦନ ଅନ୍‌ଲାଇନ୍‌ରେ ହେବ। ଆବେଦନ ଦେୟ ପାଇଁ ପୋଷ୍ଟ ଅଫିସ୍‌ରୁ 'ଆଇପିଓ' କିଣିବାକୁ ପଡ଼ିବ। ସେହି ଆଇପିଓର ଫଟୋ ଉଠାଇ ଅପ୍‌ଲୋଡ୍‌ କରିବାକୁ ପଡ଼ିବ। ଆବେଦନ ପତ୍ର ଦାଖଲ କରିବା ପରେ ସେହି ଆଇପିଓର ହାର୍ଡ କପି ନେଇ ସମ୍ପୃକ୍ତ ଅଫିସ୍‌ରେ ଦାଖଲ କରିବା ପରେ ଆବେଦନପତ୍ର ଗ୍ରହଣ କରାଯିବ। ନଚେତ୍‌ ସୂଚନା ମିଳିବ ନାହିଁ। ଏଭଳି ବିଚିତ୍ର ବ୍ୟବସ୍ଥା ଯୋଗୁ ଅନ୍‌ଲାଇନ୍‌ରେ ସୂଚନା ମିଳୁଥିବା ଘୋଷଣା କରି ସରକାର ଯେଉଁ ବାହାବା ନେଇଥିଲେ ତାହା କେବଳ ଏକ ପ୍ରହସନ ହୋଇ ରହିଯାଇଛି।
ଏହି ବିଚିତ୍ର ବ୍ୟବସ୍ଥାରେ ବିଏମ୍‌ସିରେ ସବୁଠାରୁ ଅଧିକ ଆବେଦନପତ୍ର ପଡ଼ି ରହିଛି। ମାସ ମାସ ଧରି ଦାୟିତ୍ବରେ ଥିବା ଅଧିକାରୀ ଆରଟିଆଇ ସେଲ୍‌କୁ କିରାଣୀଙ୍କ ହାତରେ ଟେକି ଦେଇ ବସି ଯାଇଛନ୍ତି। ବାସ୍ତବରେ ଅଧିକାରୀମାନେ ସୂଚନା ଦେଲେ ଫସି ଯିବା ଭୟ ରହିଛି। ଏଥିପାଇଁ ଯଥା ସମ୍ଭବ ସୂଚନା ଲୁଚାଇ ରଖିବାକୁ ଉଦ୍ୟମ ହେଉଛି।

ବଡ଼ କଥା ହେଉଛି, ଗତ ଜୁନ୍‌ ମାସରେ ବସିଥିବା କର୍ପୋରେସନ ବୈଠକରେ ଗୃହୀତ ହୋଇଛି ଯେ କୌଣସି ଅଧିକାରୀ ବା କର୍ପୋରେଟର ଗଣମାଧ୍ୟମକୁ ସୂଚନା ଦେଇ ପାରିବେ ନାହିଁ। ଗୋଟିଏ ପଟେ ଆରଟିଆଇ ବ୍ୟବସ୍ଥାକୁ ଅଚଳ କରି ରଖାଯାଇଥିବା ବେଳେ ଏଭଳି କର୍ପୋରେସନ ରିଜଲ୍ୟୁସନ ବିଏମ୍‌ସିରେ ଚାଲିଥିବା ଦୁର୍ନୀତି ଉପରେ ଘଣ୍ଟ ଘୋଡ଼ାଇ ରଖିଛି। ବିଡିଏ, କ୍ରୁଟ୍‌ ଓ ସ୍ମାର୍ଟ ସିଟିରେ ମଧ୍ୟ ଅନୁରୂପ ସ୍ଥିତି ରହିଛି। ଆରଟିଆଇ କର୍ମୀ ଦିଲିପ ବରାଳ କହିଛନ୍ତି, ‘‘ଅଧିକାରୀମାନେ ସୂଚନା ଗୁପ୍ତ ରଖିବା ପାଇଁ ସୂଚନା ଅଧିକାର ଆଇନକୁ ପଙ୍ଗୁ କରି ଦେଇଛନ୍ତି। ଏହି ଅବ୍ୟବସ୍ଥା ସରକାରଙ୍କୁ ଜଳ ଜଳ ଦିଶୁଛି। ଆମେ ଅନେକ ସମୟରେ ସରକାରଙ୍କ ଦୃଷ୍ଟିକୁ ମଧ୍ୟ ଆଣିଛୁ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ଜନପ୍ରତିନିଧିମାନେ ମଧ୍ୟ ନିଜ ସ୍ବାର୍ଥ ପାଇଁ ଅଧିକାରୀମାନଙ୍କ ସହ ସାମିଲ ହୋଇଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।’’